ହେକେଟ୍ ରୋଡ଼ରେ କୃତିମ ପୋଖରୀ! ଯାତାୟତରେ ବାଧା

ରାଉରକେଲା ୩୦-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ଦୀର୍ଘ ଦିନ ବନ୍ଦ ହେବା ପରେ ଗତ ମାସରେ ହେକେଟ୍ ରୋଡ଼ରେ ଅସ୍ଥାୟୀ ରାସ୍ତା ଖୋଲାଯାଇ ଜନସାଧାରଣଙ୍କ ଯାତାୟତ ନିମନ୍ତେ ଆଶାର କିରଣ ସୃଷ୍ଟି କରିଥିଲା। ମାତ୍ର ବର୍ଷା ଦିନରେ ଏହି ରାସ୍ତାରେ ଯିବା ଆସିବା କରିବା ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି। ଗତ ଦୁଇ ଦିନର ଲଗାଣ ବର୍ଷାରେ ହେକେଟ୍ ରୋଡରେ ବର୍ଷା ପାଣି ଜମି କୃତିମ ପୋଖରୀ ସୃଷ୍ଟି ହୋଇଛି। ଆଣ୍ଠୁଏ ପାଣିରେ ସାଇକେଲ, ବାଇକ ଚାଳନା କରି ବହୁ କଷ୍ଟରେ ରାସ୍ତା ଅତିକ୍ରମ କରୁଛନ୍ତି ଲୋକେ। ସମୟ ସମୟରେ ବର୍ଷା ପାଣିରେ ବାଇକର ଚକା ମଧ୍ୟ ଅଟକି ଯାଉଛି। ଚାରିଚକା ଗାଡ଼ି ସେହି ସମୟ ଦେଇ ଚଳାଚଳ କଲେ ବର୍ଷା ପାଣି ଛିଟିକି ଯାଇ ବ୍ୟକ୍ତି ମାନଙ୍କ କପଡ଼ାପତ୍ର ନଷ୍ଟ ହୋଇଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ମ୍ୟୁନିସିପାଲ କଲେଜ, ଇସ୍ପାତ କଲେଜ, ସରକାରୀ ମହିଳା କଲେଜ ସାଇକେଲରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା ଏଯାଏ କରାଯାଇ ପାରିନଥିବାରୁ ଏହାକୁ ନେଇ ଦକ୍ଷିଣ ରାଉରକେଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଅପରପକ୍ଷରେ ଆରଏସ୍ପି କର୍ତ୍ତୃପକ୍ଷ ମଧ୍ୟ ଏହି ରାସ୍ତା ପ୍ରତି ଆଦୌ କର୍ଣ୍ଣପାତ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଲଗାଣ ବର୍ଷା ଫଳରେ ହେକେଟ୍ ରୋଡ଼ର ଅନ୍ୟାନ ଗାଢା ସ୍ଥାନରେ ବର୍ଷା ପାଣି ଜମିରହି ଯାତାୟତ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା ଖବର ମିଳିଛି। ରାତ୍ରୀ ସମୟରେ ଯାନବାହାନର ଚକ ଏହି ଗାଢା ଗୁଡ଼ିକ ଉପରେ ପଡୁଥିବାରୁ ଲୋକେ ଛୋଟବଡ଼ ଦୁର୍ଘଟଣାର ଶୀକାର ହେଉଛନ୍ତି। ଏଣୁ ଯଥାଶୀଘ୍ର ହେକେଟ୍ ରୋଡ଼ରେ ଜମି ରହିଥିବା ବର୍ଷା ଜଳକୁ ନିଷ୍ପାସନ କରିବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *