ହେଂସମୂଳ ବିସ୍ଥାପିତ କଲୋନୀ ପାଇଁ ଜବର ଦଖଲ ଉଚ୍ଛେଦ

ତାଳଚେର, ୧୭/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋଇଲାଖଣି ଯୋଗୁଁ ବିସ୍ଥାପିତ ହୋଇଥିବା ହେଂସମୂଳ ଗ୍ରାମବାସୀଙ୍କୁ ଥଇଥାନ କରାଯିବା ପାଇଁ ତାଳଚେର ବ୍ଲକ ଅନ୍ତର୍ଗତ ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ ସମ୍ମୁଖ ଜାଗାରେ ଏକ ବିସ୍ଥାପିତ କଲୋନୀ ନିର୍ମାଣ କରାଯାଉଛି। ତେବେ ସେଠାରେ ଜବର ଦଖଲ କରି ଅନେକ ଗୃହ ଏବଂ ବସ୍ତି ନିର୍ମିତ ହୋଇଛି। ଉକ୍ତ ବ୍ୟକ୍ତିବିଶେଷଙ୍କୁ ସେଠାରୁ ହଟିଯିବା ନିମନ୍ତେ ପୂର୍ବରୁ ନୋଟିସ ଜାରି କରାଯାଇଥିଲା। ତଥାପି ସେମାନେ ଘରଦ୍ୱାର ଖାଲି ନକରିବାରୁ ଏମ୍.ସି.ଏଲ୍ ଦ୍ୱାରା ପୋଲିସ ଏବଂ ପ୍ରଶାସନ ସହଯୋଗରେ ରବିବାର ସକାଳୁ ଘର ଏବଂ ବସ୍ତି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଘଟଣାସ୍ଥଳରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସମେତ ବରିଷ୍ଠ ପୋଲସି ପଦାଧିକାରୀ, ଥାନା ଅଧିକାରୀ ଏମ୍.ସି.ଏଲ୍.ର ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ତଥା ବସ୍ତି ଭାଙ୍ଗି ନଥିବା ବ୍ୟକ୍ତିମାନଙ୍କର ଘରକୁ ଡ୍ରୋଜର ସାହାଯ୍ୟରେ ଭଙ୍ଗା ଯାଇଥିଲା। ପ୍ରକାଶ ଥାଉକି, ପୂର୍ବରୁ ଉକ୍ତ ଜାଗାରେ ହେଂସମୂଳ ଗ୍ରାମବାସୀଙ୍କୁ ଥଇଥାନ କରାଯିବାକୁ ଏମ୍.ସି.ଏଲ୍ ତଥା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଉକ୍ତ ଜାଗାରେ ବର୍ତମାନ ଶତାଧିକ ପରିବାର ଘର କରି ରହି ଆସୁଥିବାରୁ ସ୍ଥାନ ଛାଡି ଚାଲିଯିବାକୁ ଏମ.ସି.ଏଲ୍ ପକ୍ଷରୁ ନୋଟିସ ଓ ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରାଯାଇଥିଲା। ତେବେ ଉକ୍ତ ପରିବାରଗୁଡ଼ିକ ବହୁ ବର୍ଷ ଧରି ସେଠାରେ ରହି ଆସୁଥିବାରୁ କ୍ଷତିପୂରଣ ବାବଦରେ ପ୍ରତ୍ୟେକ ପରିବାରକୁ ଏକ ଲକ୍ଷ ଟଙ୍କାର ପ୍ୟାକେଜ୍ ଦିଆଯିବ ବୋଲି ଖଣି କର୍ତ୍ତୃପକ୍ଷ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। କେତେକ ପରିବାର ଜାଗା ଛାଡି ଚାଲି ଯାଇଥିବା ବେଳେ ଆଉ କେତେକ ପୂର୍ବ ପରି ସେଠାରେ ଅବସ୍ଥାନ କରୁଥିଲେ। ମୋଟ ୧୬୫ଟି ଘର ଉଚ୍ଛେଦ କରାଯିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଘର ଉଚ୍ଛେଦ କରାଯିବାକୁ ସ୍ଥିର କରାଯାଇଛି। ରବିବାର ସକାଳୁ ପ୍ରଶାସନ ଓ ଏମ୍.ସି.ଏଲ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଆରମ୍ଭ କରାଯାଇଥିବା ବେଳେ ଏଥିପାଇଁ ଦୁଇଟି ବୋଲଡୋଜର ସହିତ ୧୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ଦଙ୍ଗା ନିୟନ୍ତ୍ରିତ ଗାଡି ସହ ଦମକଳ ବାହିନୀ, ଆମ୍ବୁଲାନ୍ସ ଗାଡି ନିୟୋଜିତ କରାଯାଇଥିଲା। ତେବେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। କେତେକ ବାସିନ୍ଦା ପ୍ରବଳ ଖରାରେ ଘରୁ ଜିନିଷ ବାହାର କରି ଅନ୍ୟତ୍ର ଚାଲି ଯାଇଥିବା ବେଳେ ଅନ୍ୟ କିଛି ପରିବାର କ୍ଷତିପୂରଣ ଅର୍ଥରାଶି ସଠିକ ଭାବରେ ପାଇ ନଥିବାର ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *