ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ କଚେରୀ ବଜାରର ପୂଜା ସାମଗ୍ରୀ ବ୍ୟବସାୟୀ ନରେଶ ଚନ୍ଦ୍ର ସାହୁଙ୍କର ହୃଦ୍ଘାତରେ ଦେହାନ୍ତ ହୋଇଛି। ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ କେବଳ ଭଦ୍ରକ ସହର ନୁହେଁ ଏହି ଜିଲାର ନିଜ ଗ୍ରାମ ଧାମନଗର ନିର୍ବାଚନ ମଣ୍ଡଳୀର କଲ୍ୟାଣୀରେ ବେଶ୍ ପରିଚିତ ଥିଲେ। ଗତକାଲି ପ୍ରାତଃରେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ସେଠାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଆଦିତ୍ୟ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଗତକାଲି ରାତି ପ୍ରାୟ ଦେଢଟା ସମୟରେ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କର ମର ଶରୀର ଆଜି ଭଦ୍ରକ କଚେରୀ ବଜାରରେ ପହଞ୍ଚିବା ପରେ ସଂଜୟ ବେହେରା, ତିଲକ ସାହା, ବିଷ୍ଣୁମୋହନ ସାହୁ, ଦୀପୁ ସାହୁ, ନରେନ୍ଦ୍ର ସାହୁ, ପଂଚାନନ ସାହୁ, ସଂଜୟ ବେହେରା, ଜୟ ଜଗନ୍ନାଥ ମଲ୍ଲିକ, ପ୍ରମୋଦ ରାୟ, ସ୍ମୃତିରଂଜନ ସାହୁ, ରବିନାରାୟଣ ଖିଲାର, ତପନ ମିଶ୍ର, ଅପୂର୍ବ ବେହେରା, ହେମନ୍ତ ମହାପାତ୍ର, ଗୌରହରି ନାୟକ, ଡ. ହରିହର ନାୟକ, ଅବିନାଶ ପଣ୍ଡା, ରବିନାରାୟଣ ସାହୁ, ଭରତ ପାଢୀ, ଆଶିଷ ନାୟକ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ। ଏହାପରେ ତାଙ୍କର ମର ଶରୀରକୁ ସହରର ନ୍ୟୁ କଲୋନୀସ୍ଥିତ ବାସଭବନକୁ ନିଆଯିବା ପରେ ସେଠାରେ ସ୍ଥାନୀୟ କାଉନ୍ସିଲର ହେମପ୍ରଭା ଦାସ, ନିଶିକାନ୍ତ ନାୟକ, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ପୂର୍ବତନ କାଉନ୍ସିଲର ଅତୁଲ୍ୟ ନାୟକ, ସୁକାନ୍ତ ମହାନ୍ତି ପ୍ରମୁଖ ତାଙ୍କର ବିଧବା ପତ୍ନୀ, ୩ କନ୍ୟା ଓ ଏକମାତ୍ର ପୁତ୍ରଙ୍କୁ ସମବେଦନା ଜ୍ଞାପନ ପୂର୍ବକ ଶୋକବ୍ୟକ୍ତ କରିଥିଲେ। ପରେ ତାଙ୍କ ଶବାଧାରା ନିଜ ଗ୍ରାମ କଲ୍ୟାଣୀକୁ ନିଆଯାଇ ସଂସ୍କାର କରାଯାଇଛି।
