ହୀରାକୁଦ ନଦୀବନ୍ଧର ସୁରକ୍ଷା ଦାୟିତ୍ୱରେ ରହିବେ ଓଆଇଏସ୍ଏଫ : ଲାଗିବ ୪୪ ସିସି ଟିଭି କ୍ୟାମେରା

ସମ୍ବଲପୁର, ୩/୧(ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ହୀରାକୁଦ ନଦୀବନ୍ଧର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ କ୍ଲୋଜ ସାର୍କିଟ ଟେଲିଭିଜନ – ସିସି ଟିଭି, ଇଲେକ୍ଟ୍ରୋନିକ୍ସ ଡ୍ରପ ଗେଟ୍ ଓ ଅନ୍ୟାନ୍ୟ ସାଜସରଞ୍ଜାମ ସ୍ଥାପନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଇତିମଧ୍ୟରେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ (ଓଆଇଏସ୍ଏଫ)ର ୨୦୦ ଯବାନଙ୍କୁ ଏଠାରେ ଅବସ୍ଥାପିତ କରାଯିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମୋହର ମାରିଛନ୍ତି। ଏବେ ନଦୀବନ୍ଧ ଅଞ୍ଚଳରେ ଏମାନଙ୍କ ବ୍ୟାରେକ୍ ବା ରହଣୀ ବ୍ୟବସ୍ଥା କରାଯାଉଛି। ଏହାହେଲେ ଆସନ୍ତା ୧୫ ତାରିଖ ସୁଦ୍ଧା ଓଆଇଏସଏଫ ଏଠାରେ କାର୍ଯ୍ୟାରମ୍ଭ କରିବ। ପ୍ରାୟ ୫ କିଲୋମିଟର ଦୀର୍ଘ ମୁଖ୍ୟ ବନ୍ଧ ସହିତ ୨୫ କିଲୋମିଟର ଲମ୍ବ ଏସିଆର ଏହି ଦୀର୍ଘତମ ମାଟିବନ୍ଧର ବିଭିନ୍ନ ସ୍ଥାନରେ ସିସି ଟିଭି ସ୍ଥାପନ କରାଯିବ। ଏଥିପାଇଁ ୫୦ରୁ ଉର୍ଦ୍ଧ୍ୱ ସିସି ଟିଭି କ୍ୟାମେରା ଖଞ୍ଜା ଯିବ। ପ୍ରାଥମିକ ଭାବେ ୪୪ଟି ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ଖଞ୍ଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଗୁଡ଼ିକ ଖୁବ୍ଶୀଘ୍ର ସ୍ଥାପନ କରାଯିବ। ଡ୍ୟାମକୁ ସଂଯୋଗ କରୁଥିବା ଡାଇକ ଓ ଅନ୍ୟାନ୍ୟ ପ୍ରବେଶ ଦ୍ୱାରରେ ଇଲେକ୍ଟ୍ରୋନିକ୍ସ ଡ୍ରପ ଗେଟ୍ ସ୍ଥାପନ ପାଇଁ ନିଷ୍ପିତ୍ତି ନିଆଯାଇଛି। ଏବେ ଏହି ସବୁ ସିସି ଟିଭି କ୍ୟାମେରା ଓ ଗେଟ୍ର ନିରୀକ୍ଷଣ ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ବର୍ତ୍ତମାନ ନଦୀବନ୍ଧର ସୁରକ୍ଷା ଦାୟିତ୍ୱରେ ୩୫ ଜଣ ସୁରକ୍ଷା କର୍ମୀଙ୍କ ସ୍ଥାନରେ ୩୧ ଜଣ ଦାୟିତ୍ୱରେ ଅଛନ୍ତି। ହେଲେ ଏମାନଙ୍କ ପାଖରେ ବହୁବର୍ଷ ହେଲା ଆଉ ବନ୍ଧୁକ ନାହିଁ। ଉତ୍ତରାଞ୍ଚଳ ଡିଆଇଜି ପଦରେ ଥିବାବେଳେ ବର୍ତ୍ତମାନ ଆଇଜି ପାହ୍ୟାକୁ ଉନ୍ନିତ ହୋଇଥିବା ପ୍ରତୀକ ମହାନ୍ତି କିଛି ବର୍ଷ ଆଗରୁ ହୀରାକୁଦ ନଦୀବନ୍ଧର ସୁରକ୍ଷା ବ୍ୟବସ୍ଥା ବାବଦରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସକାଶେ ସୁପାରିଶ କରିଥିଲେ। ସୂଚନାଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ନେଇ ରାଜ୍ୟ ସରକାରଙ୍କୁ ସତର୍କ ରହିବା ସକାଶେ ଦିଆଯାଉଥିବା ସୂଚନା ଅନୁଯାୟୀ ଯେଉଁ କେତେକ ସ୍ପର୍ଶକାତର ସ୍ଥାନକୁ ଏହି ତାଲିକାରେ ରଖାଯାଇଥାଏ, ତନ୍ମଧ୍ୟରେ ହୀରାକୁଦ ଡ୍ୟାମ ଅନ୍ୟତମ। ଏଣେ ବର୍ଷକୁ ବର୍ଷ ହୀରାକୁଦ ଓ ଆଖପାଖ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କ ଆଗମନ ବଢ଼ି ବଢ଼ି ଚାଲିଛି।

Leave a Reply

Your email address will not be published. Required fields are marked *