ଓଡ଼ିଶା

ହୀରାକୁଦରେ ବିଦ୍ୟତ୍ ଉତ୍ପାଦନ ବଢ଼ୁଛି ନା ବାଧାପ୍ରାପ୍ତ ହେଉଛି : ଦୁଇ ମନ୍ତ୍ରୀଙ୍କ ଭିନ୍ନ ତଥ୍ୟ

ଭୁବନେଶ୍ୱର, ୩୦ା୦୪(ଓଡ଼ିଆ ପୁଅ): ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ରେ ବ୍ୟାପକ ସଂଖ୍ୟକ ବନ୍ଧ ନିର୍ମାଣ ଯୋଗୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଉଛି। ଏଥିଯୋଗୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଛି ବୋଲି ଜଳ ସମ୍ପଦ ମନ୍ତ୍ରୀ କହୁଥିବା ବେଳେ ଶକ୍ତିମନ୍ତ୍ରୀ କିନ୍ତୁ ଯେଉଁ ତଥ୍ୟ ଦେଉଛନ୍ତି ସେଥିରେ ଗତ ୩ ବର୍ଷ ମଧ୍ୟରେ ହୀରାକୁଦ ଓ ଚିପିଲିମା ଜଳ ବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟତ୍ ଶକ୍ତି ଉତ୍ପାଦନ ବୃଦ୍ଧି ପାଉଥିବା ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଜଣେ ବିଧାୟକଙ୍କ ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି।

ବ୍ରାହ୍ମଣୀ ଓ ମହାନଦୀରେ ଅଣମୌସୁମୀ ଋତୁରେ ଜଳ ପ୍ରବାହ କମିବା ଯୋଗୁ ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବା ପ୍ରସଙ୍ଗରେ ଏହି ସମସ୍ୟାର ସମାଧାନ ଲାଗି ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଧାୟକ ଦିଲିପ ରାୟ ଏକ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଓ ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀର ଉପରମୁଣ୍ଡରେ କେଉଁଠି କେତୋଟି ବନ୍ଧ ନିର୍ମାଣ କରିଛନ୍ତି ଓ ଆଉ କେତୋଟି ବନ୍ଧ ନିର୍ମାଣ କରିବାକୁ ଯାଉଛି ସେ ସଂକ୍ରାନ୍ତରେ ସୂଚାଇଛନ୍ତି।

୨୦୦୫-୦୬ରୁ ୨୦୧୫-୧୬ ବର୍ଷ ମଧ୍ୟରେ ହୀରାକୁଦରୁ ଉପଲବ୍ଧ ତଥ୍ୟ ଅନୁଯାୟୀ ମହାନଦୀରେ ଜଳ ପ୍ରବାହ ଗତ ୨୦୧୬ ନଭେମ୍ବରରେ ୪୧ ପ୍ରତିଶତ, ଡିସେମ୍ବରରେ ୩୩ ପ୍ରତିଶତ, ୨୦୧୭ ମାର୍ଚ୍ଚରେ ୨୮ ପ୍ରତିଶତ, ଏପ୍ରିଲ୍ରେ ୭୩ ପ୍ରତିଶତ ଓ ମେ ମାସରେ ୭୮ ପ୍ରତିଶତ ହ୍ରାସ ପାଇଛି। ୨୦୧୭ ନଭେମ୍ବରରୁ ଏପର୍ଯ୍ୟନ୍ତ ଏହି ନଦୀରେ ଜଳ ପ୍ରବାହ ୪୦ ଭାଗ ହ୍ରାସ ପାଇଛି ବୋଲି ଶ୍ରୀ ପୂଜାରୀ ସୂଚାଇଛନ୍ତି।

ହୀରାକୁଦ ପ୍ରକଳ୍ପରେ ବର୍ତ୍ତମାନ ସୁଦ୍ଧା ଉପରମୁଣ୍ଡରୁ ଜଳ ପ୍ରବାହ ହ୍ରାସ ପାଇଥିଲେ ବି ଜଳ ଭଣ୍ଡାରରେ ଗଚ୍ଛିତ ଥିବା ଜଳର ସୁପରିଚାଳନା ଯୋଗୁ ବର୍ତ୍ତମାନ ସୁଦ୍ଧା ଯଦିଓ ଜଳସେଚନ ବାଧାପ୍ରାପ୍ତ ହୋଇନାହିଁ, କିନ୍ତୁ ଏହି ଜଳଭଣ୍ଡାରରୁ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଏହି ଧାରା ଅବ୍ୟାହତ ରହିଲେ ମହାନଦୀ ଉପରେ ନିର୍ଭରଶୀଳ କୃଷି ଓ ଜଳ ବିଦ୍ୟୁତ୍ ଗଭୀର ଭାବେ ବାଧାପ୍ରାପ୍ତ ହେବ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚାଇଛନ୍ତି।

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ରାୟଙ୍କ ଭିନ୍ନ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ଜଳବିଦ୍ୟୁତ୍ କେନ୍ଦ୍ରଗୁଡ଼ିକର ଉପର ମୁଣ୍ଡରେ ବ୍ୟାପକ ସଂଖ୍ୟକ ବ୍ୟାରେଜ୍ ନିର୍ମାଣ ଯୋଗୁ ରାଜ୍ୟରେ ଗତ ୫ ବର୍ଷରେ ଜଳ ବିଦ୍ୟୁତ୍ ଉତ୍ପାଦନ କେତେ କମିଛି ତାହାର ଆକଳନ କରାଯାଇନାହିଁ। ତେବେ ୨୦୧୩-୧୪ ତୁଳନାରେ ୨୦୧୫-୧୬ ବେଳକୁ ମହାନଦୀର ହୀରାକୁଦ ଓ ଚିପିଲିମାଠାରେ ଥିବା ଜଳ ବିଦ୍ୟୁତ୍ କେନ୍ଦ୍ରର ଶକ୍ତି ଉତ୍ପାଦନ ହ୍ରାସ ପାଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷଗୁଡ଼ିକରେ ଏହା ବଢ଼ିବାରେ ଲାଗିଛି। ୨୦୧୩-୧୪ ବର୍ଷରେ ହୀରାକୁଦରେ ୭୦୨ ନିୟୁତ ୟୁନିଟ୍ ଓ ଚିପିଲିମାରେ ୩୧୨ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇଥିବା ବେଳେ ୨୦୧୫-୧୬ ବର୍ଷରେ ଏଠାରେ ଯଥାକ୍ରମେ ୪୫୭ ନିୟୁତ ଓ ୨୧୭ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଥିଲା। ତେବେ ୨୦୧୬-୧୭ ବର୍ଷରେ ହୀରାକୁଦରେ ବିଦ୍ୟୁତ୍ ଉତ୍ପାଦନ ୫୩୫.୮୮ ନିୟୁତ ୟୁନିଟ୍ ଓ ୨୦୧୭-୧୮ରେ ୬୧୪.୨୯ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ କହୁଛି। ସେହିପରି ଚିପିଲିମାରେ ୨୦୧୫-୧୬ରେ ୨୧୬.୭୫ ନିୟୁତ ୟୁନିଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଥିବା ବେଳେ ୨୦୧୬-୧୭ରେ ଏହା ୨୦୦.୫୬ ନିୟୁତ ୟୁନିଟ୍କୁ କମିଥିଲା ଓ ୨୦୧୭-୧୮ ବର୍ଷରେ ୨୧୯.୨୩ ନିୟୁତ ୟୁନିଟ୍କୁ ବୃଦ୍ଧି ପାଇଛି ବୋଲି ଶକ୍ତିମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନରେ ଉଲ୍ଲେଖ ଅଛି।

ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ପୂର୍ବରୁ ୧୫ଟି ବନ୍ଧ ନିର୍ମାଣ କରିଥିବା ବେଳେ ଆଉ ତିନୋଟିର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା କଥା ଜଳ ସମ୍ପଦ ମନ୍ତ୍ରୀ ଦର୍ଶାଇଛନ୍ତି। ଝାଡ଼ଖଣ୍ଡର ଏହି ବନ୍ଧ ନିର୍ମାଣ ବାବଦରେ ଓଡ଼ିଶା ସରକାର ଯତ୍ନବାନ ଅଛନ୍ତି ଓ ଏହା ସରକାରଙ୍କ ବିଚାରାଧିନ ରହିଛି ବୋଲି ଜଳ ସମ୍ପଦ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top