ହିନ୍ଦୋଳ ଆକ୍ରମଣ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲା ବିଜେପି

ଭୁବନେଶ୍ୱର, ତା.୩୦/୦୩ (ଓଡ଼ିଆ ପୁଅ): ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ଅନୁଷ୍ଠିତ ହେଉଥିବା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନରେ ରାଜ୍ୟ ଶାସକ ବିଜେଡ଼ି ରକ୍ତମୁଖା ହୋଇପଡିଛି। ଗଣତାନ୍ତ୍ରିକ ଉପାୟରେ ପ୍ରଚାର କାର୍ଯ୍ୟରେ ଥିବା ବିଜେପିର କର୍ମୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରୁଛନ୍ତି। ମରଣାନ୍ତକ ଆକ୍ରମଣର ଶିକାର ବିଜେପି କାର୍ଯ୍ୟକର୍ତାଙ୍କ ତରଫରୁ ଥାନାରେ ବିଧିବଦ୍ଧ ମାମଲା ରୁଜୁ ହୋଇଥିଲେ ମଧ୍ୟ ଶାସକ ଦଳର ହାତବାରିସି ସାଜିଥିବା ସ୍ଥାନୀୟ ପୋଲିସ ଆଇନକୁ ତା ବାଟରେ ଯିବାକୁ ଦେବା ବଦଳରେ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେବାରେ ଲାଗିଛି ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଛି। ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଏ ସଂପର୍କରେ ଅଭିଯୋଗ କରିଥିଲେ।

ଘଟଣା ସଂପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇ ବିଜେପିର ଏହି ପ୍ରତିନିଧି ଦଳ କହିଛି ଯେ, ଗତ କାଲି ହିନ୍ଦୋଳଠାରେ ଏକ ନିର୍ବାଚନ ପ୍ରଚାରରେ ଥିବା ବିଜେପିର କାର୍ଯ୍ୟକର୍ତାମାନଙ୍କୁ ଗୁଣ୍ଡିଚା ମନ୍ଦିର ପାଖରେ ଗୋପାଳପୁର ଗାଁର ବୁଦ୍ଧଦେବ ନାୟକ, ନିରଞ୍ଜନ ନାୟକ, ଆଦିତ୍ୟ ନାଏକ ଓ ପ୍ରକାଶ ନାୟକ ସମେତ ୨୦ରୁ ଅଧିକ ବିଜେଡ଼ି କର୍ମୀ ଓ ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସମସ୍ତ ଅଭିଯୁକ୍ତମାନଙ୍କ ନାମ ଏଫଆଇଆର୍ ରେ ଲିପିବଦ୍ଧ କରି ଥାନାରେ ବିଧିବଦ୍ଧ ଭାବରେ ମାମଲା ରୁଜୁ କରାଗଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ଏହି ଆକ୍ରମଣରେ ଅଭିଯୁକ୍ତମାନେ ଠେଙ୍ଗା, ବାଡ଼ି, ଢେଲା ପଥର ସହ ମରଣାନ୍ତକ ଆକ୍ରମଣ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ଏପରିକି ବିଜେପିର ପ୍ରଚାରରେ ଥିବା ମହିଳାମାନଙ୍କୁ ମଧ୍ୟ ମାଡ଼ ମାରିବା, ଟଣାଓଟରା କରିବା, ପିନ୍ଧିଥିବା ଲୁଗାକୁ ଭିଡ଼ି ନେବା ଭଳି କୁତ୍ସିତ କାମ କରିଥିଲେ।

ନିର୍ବାଚନ ପ୍ରଚାର ଚାଲୁଥିଲେ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ଅଧିକ ସୁରକ୍ଷା ବଳ ନିୟୋଜନ କରିବା ସହ ପ୍ରଶାସନ ଓ ଆଇନ ଶୃଙ୍ଖଳା ଅଧିକାରୀଙ୍କୁ ନିରପେକ୍ଷତାର ସହ କାମ କରିବା ପାଇଁ ପଦକ୍ଷେପ ନ ନିଆଯିବା ଦୁଃଖ ଓ ପରିତାପର ବିଷୟ। ଗତ କାଲି ଆକ୍ରମଣ ଘଟଣା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଅଫିସ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଗଲେ ମଧ୍ୟ ଅଭିଯୋଗ ଶୁଣିବାକୁ କମିଶନଙ୍କ କାର୍ଯ୍ୟାଳୟରେ କେହି ନଥିଲେ। ଏପରିକି ମୋବାଇଲରେ ଉତର ଦେଇନଥିଲେ କିମ୍ବା ମୋବାଇଲ୍କୁ ପ୍ରତ୍ୟୁତର ମଧ୍ୟ ଦେଇନଥିଲେ ବୋଲି ଏହି ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଥିଲେ।

ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଜଣାଇବା ସହ ଉପରୋକ୍ତ ଘଟଣାରେ ଦୋଷୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଆୟୋଗଙ୍କ ପାଖରେ ଦାବି କରିଛି।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ଦିଲୀପ ମହାନ୍ତି, ରାଜ୍ୟ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଶିଶିର ଗମାଙ୍ଗୋ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *