ହିଙ୍ଗୁଳା ନୋଡ଼ାଲ ହାଇସ୍କୁଲରେ ପ୍ରଭୁ ଗଜାନନଙ୍କୁ ଆରାଧନା

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅଗ୍ରପୂଜ୍ୟ ମହାପ୍ରଭୁ ଗଜାନନଙ୍କ ପୂଜା ତାଳଚେର ସମେତ ସମସ୍ତ ପୁରପଲ୍ଲୀରେ ମହାସମାରୋହରେ ପାଳନ କରାଯାଉଛି। ତାଳଚେର ବ୍ଲକ କଳମଛୁଇଁ ପଂଚାୟତସ୍ଥିତ ହିଙ୍ଗୁଳା ନୋଡାଲ ହାଇସ୍କୁଲ ପରିସରରେ ମଧ୍ୟ ଗଣେଶ ପୂଜା ମହାଆଡମ୍ବର ସହକାରେ ପାଳନ କରାଯାଇଛି। ପ୍ରଭୁ ଗଣେଶଙ୍କର ମୃଣ୍ମୟୀ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ରଖି ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ମୃଣ୍ମୟୀ ପ୍ରତିମାକୁ ବିଧିପୂର୍ବକ ଜୀବନ୍ୟାସ ଦେଇ ଯଥାରୀତି ପୂଜାର୍ଚ୍ଚନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ପୂଷ୍ପାଞ୍ଜଳୀ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଣେଶ ପୂଜା ଆନନ୍ଦଉଲ୍ଲାସର ସହ ପାଳିତ ହୋଇଯାଇଛି। ପ୍ରଧାନାଚାର୍ଯ୍ୟ ଚର୍ତୁଭୂଜ ସାହୁଙ୍କ ପୌରହିତ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ବାରିକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ବିଦ୍ୟାଦାତାଙ୍କର ଉପାସନା କରିଛନ୍ତି। ଏହାସହିତ ମଝୀକା ପ୍ରାଥମିକ ବିଦ୍ୟାଳୟ, ହିଙ୍ଗୁଳା ମହାବିଦ୍ୟାଳୟ, କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ, ସୋଲଡା ପ୍ରାଥମିକ ବିଦ୍ୟାଳୟ ସହ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏନ୍ଏଲ୍ଏସ୍ ପବ୍ଲିକ ସ୍କୁଲ, ଡଅଁରା ଉଚ୍ଚ ବିଦ୍ୟାଳୟ, କୁମୁଣ୍ଡା ହାଇସ୍କୁଲ, ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରଭୃତି ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ କ୍ଲବରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *