ହାତୀଶାଳ ଛକ ରୁ କେନ୍ଦ୍ରୀୟ ବିଦ୍ୟାଳୟକୁ ୪ଲେନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ବୌଦ୍ଧ, ୦୫ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ସହରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଅଛି। ଜିଲାର ୩ ଟି ସ୍ଥାନରେ ପୁର୍ତ୍ତ ବିଭାଗ ରାସ୍ତାକୁ ଚାରିଲେନ ବିଶିଷ୍ଟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ବୌଦ୍ଧ ଅତିଥି ଭବନଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକୁ ଚାରିଲେନ ବିଶିଷ୍ଟ କରାଯିବାକୁ ବାଚସ୍ପତି ପ୍ରଦିପ କୁମାର ଅମାତ ଶିଳାନ୍ୟାସ କରିଛନ୍ତି। ରାଜ୍ୟ ଯୋଜନା ୨୦୧୭-୧୮ ରେ ୩୮୭.୬୩ ଲକ୍ଷ ଟଙ୍କା ବ୍ୟୟରେ ଏହି ୦.୯୦ କିମି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରାଯିବ। ପୂର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟ କୁ ପ୍ରତିଦିନ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଯାତାୟତ କରୁଥିବାରୁ ଏହି ରାସ୍ତାର ଉନ୍ନତିକରଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। ତେବେ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ନୂତନ କୋଠାକୁ ସ୍ଥାନାନ୍ତର ହେବାପରେ ଏହି ରାସ୍ତାରେ ଟ୍ରାଫିକ ସମସ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଅତିଥି ଭବନଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ କୃଷି, ଅବକାରୀ, ସମବାୟ ଉପନିବନ୍ଧକ, ଉଦ୍ୟାନ, ଅବକାରୀ, କର୍ମନିୟୋଜନ, ବିକ୍ରିକର, ଜଳଛାୟା ମିଶନ, ଖାଉଟି ସୂରକ୍ଷା ମଂଚ, ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମେତ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଅଗ୍ନିଶମ ବିଭାଗର ଦମକଳ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ମହାନଦୀ ପାର୍କ, କୃଷି ବିଭାଗ କଲୋନୀ ଓ ରାଜସ୍ୱ କଲୋନୀ ମଧ୍ୟ ଅବସ୍ଥିତ ଅଛି। ଏହାବ୍ୟତୀତ ମହାନଦୀ କୂଳେ କୂଳେ ଜଗନ୍ନାଥ ସଡକ ଭାବରେ ପରିଚିତ ଏହି ରାସ୍ତା ଦେଇ ହରଭଙ୍ଗା ବ୍ଲକର ହଜାର ହଜାର ଲୋକ ପ୍ରତିଦିନ ଯାତାୟତ କରିଥାନ୍ତି। ତେଣୁ ଏହି ରାସ୍ତାର ଗୁରୁତ୍ୱ ବୃଦ୍ଧି ପାଇବା ସହିତ ଆଗାମୀ ଦିନରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଚାରିଲେନ ବିଶିଷ୍ଟ କରାଯିବାକୁ ଗ୍ରହଣ କରାଯାଇଥିବା ନିଷ୍ପତିକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି। ଜିଲାପାଳଙ୍କ ଉଦ୍ୟମକ୍ରମେ ଅତିଥି ଭବନ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ରହିଥିବା ସରକାରୀ କାର୍ଯ୍ୟାଳୟ ଗୁଡିକର ପାଚେରୀ ସବୁ ବହୁ ପୂର୍ବରୁ ପ୍ରାୟ ୧୫ ଫୁଟ ପଛକୁ ନିର୍ମାଣ ସରିଥିବାବେଳେ ବର୍ତମାନ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ କୌଣସି ପ୍ରତିବନ୍ଧକ ନଥିବା ଜଣାଯାଇଛି। ସେହିପରି ଷ୍ଟେଡିୟମ ଛକ ଠାରୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ସଂଯୁକ୍ତ କରୁଥିବା ହାତୀଶାଳ ଛକ ପର୍ଯ୍ୟନ୍ତ ପୁର୍ତ୍ତ ରାସ୍ତାକୁ ମଧ୍ୟ ଚାରିଲେନ ବିଶିଷ୍ଟ କରାଯିବାକୁ ବାଚସ୍ପତି ଶ୍ରୀଅମାତ ଶିଳାନ୍ୟାସ କରିଛନ୍ତି। ୦.୭୨୩ କିମି ଲମ୍ବ ଏହି ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଯୋଜନା ୨୦୧୭-୧୮ ରେ ୩୧୫.୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟଳଳ କରାଯାଇଛି। ବୌଦ୍ଧ ସହରରେ ସରକାରୀ ଜମିର ଘୋର ଅଭାବ ଥିବା ଯୋଗୁଁ ଅନେକ ଗୁଡିଏ ଗୁରୁତ୍ୱପୁର୍ଣ୍ଣ ଅନୁଷ୍ଠାନ ବୌଦ୍ଧବ୍ଲକ ଅନ୍ତର୍ଗତ ବଘିଆପଡା ପଂଚାୟତରେ ନିର୍ମାଣ କରାଯାଇଛି। ସରକାରୀ ପଲିଟେକନିକ କଲେଜ, କୃଷି ବିଜ୍ଞାନ କେନ୍ଦ୍ର, ନବଦୋୟ ବିଦ୍ୟାଳୟ, ପିଆଜ ଓ ଆଳୁ ଗବେଷଣା କେନ୍ଦ୍ର ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଭଳି ଗୁରୁତ୍ୱପୁର୍ଣ୍ଣ ଅନୁଷ୍ଠାନ ବଘିଆପଡା ପଂଚାୟତରେ ଖୋଲାଯାଇଛି ତେଣୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ସଂଯୁକ୍ତ କରୁଥିବା ବୌଦ୍ଧ ବୁଟୁପାଲି ଠାରୁ ବଘିଆପଡାକୁ ସଂଯୁକ୍ତ କରୁଥିବା ପୁର୍ତ୍ତରାସ୍ତାକୁ ମଧ୍ୟ ଉନ୍ନତିକରଣ କରାଯିବାକୁ ପ୍ରାଥମିକ ପର୍ଯ୍ୟାୟରେ ୩.୧୦୦ କିମି ରାସ୍ତା ନିର୍ମାଣ ପାଇଁ ୨୦୧୭-୧୮ ରାଜ୍ୟ ଯୋଜନାରେ ୪୨୯.୬୯ ଲକ୍ଷ ଟଙ୍କା ମଂଜୁର ହୋଇଛି। ଆଜି ଏହି ତିନୋଟି ଯାକ ଗୁରୁତ୍ୱପୁର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ବାଚସ୍ପତି ଶ୍ରୀଅମାତ ଶୀଳାନ୍ୟାସ କରିଥିବାବେଳେ ବୌଦ୍ଧର ବିକାଶରେ ଆଉ ଏକ ମାଇଲ ଖୁଂଟି ଯୋଡି ହୋଇଛି। ଜିଲା ପୁର୍ତ୍ତ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାସ ଉତ୍ସବ ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲାପାଳ ମଧୁସୁଦନ ମିଶ୍ର, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଏନଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁ, ଜିଲାପରିଷଦ ଉପାଧ୍ୟକ୍ଷ ଅ୍ରକୁର ସେଠୀ ଓ ପୁର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ତ୍ରିପାଠୀ ଅତିଥି ଭାବରେ ଯୋଗଦେଇଥିଲେ। ସହକାରୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *