ଅପରାଧ

ହାଟଡିହି ଅଞ୍ଚଳ ପାଲଟିଛି ଚୋରା ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ମରୈଗାଁରୁ ଏକକୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ, ଜଣେ ମହିଳା ଗିରଫ

ହାଟଡ଼ିହି, ୪ । ୯ : (ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଏବେ ଚୋରା ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ପାଲଟିଛି । ହାଟଡିହି ବ୍ଲକର ମରୈଗାଁ, ଠୁଣିଗାଁ ଆଦି ଅଞ୍ଚଳରୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି । ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗର ଜ୍ଞାତସାରରେ ଏହି ଚୋରା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଛି । ଆଜି କଟକର ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ଗ୍ରାମରେ ଚଢ଼ାଉକରି ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବଦ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଗଞ୍ଜେଇ ବ୍ୟବସାୟୀର ପତ୍ନୀକୁ ଗିରଫ କରାଯାଇଛି ।
ଖବରରୁ ଜଣାଯାଇଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା ଗଞ୍ଜେଇ କାରବାର ନେଇ ଅଭିଯୋଗ ହୋଇ ଆସୁଥିଲା । ବିଭିନ୍ନ ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ କେନ୍ଦୁଝର ଅବକାରୀ ବିଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିଲା । ଥାନାଠାରୁ ମାତ୍ର ଦୁଇଶହ ମିଟର ଦୁରରେ ଚାଲୁଥିଲା ଗଞ୍ଜେଇ ବେପାର । ପୁଲିସ ଓ ଅବକାରୀ ବାବୁ ମାନେ ସବୁ ଜାଣୁଥିଲେ ମଧ୍ୟ କେବେ ବି ଚଢ଼ାଉ କରିବାକୁ ଚେଷ୍ଟା କରୁନଥିଲେ । ଫଳରେ ବର୍ଷ ବର୍ଷ ଧରି ପୁଲିସର ନାକତଳେ ଚାଲୁଥିଲା ଏହି ବେପାର । କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଅଣାଯାଇ ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା । ଅବକାରୀ ବିଭାଗର କମିସନରଙ୍କ ନିଦେ୍ର୍ଦଶରେ ଡି.ଏସ.ଇ ଶାନ୍ତନୁ ଦାଶଙ୍କ ନେତୃତ୍ୱରେ କଟକ, ଭଦ୍ରକ ଓ ବାଲେଶ୍ୱରର ଅବକାରୀ ବିଭାଗର ଅଧିକାରୀ ମାନେ ଆଜି ଭୋର ୩ଟାବେଳେ ମରୈଗାଁ ଗ୍ରାମର କାହ୍ନୁ ଜେନାଙ୍କ ଘରେ ଚଢ଼ାଉ କରିବାପରେ ଘର ଭିତରୁ ପ୍ୟାକେଟ ପ୍ୟାକେଟ ହୋଇ ରଖାଯାଇଥିବା ଏକକୁଇଣ୍ଟାଲ ଏଗାର କିଲୋ ଗଞ୍ଜେଇ ଜବଦ କରିଥିଲେ । କାହ୍ନୁ ଘରେ ନଥିବାବେଳେ ଘରେଥିବା ତାଙ୍କ ପତ୍ନୀ ସ୍ୱର୍ଣ୍ଣପ୍ରଭାକୁ ଅବକାରୀ ବିଭାଗ ଗିରଫ କରିଥିଲା । ଗ୍ରାମବାସୀମାନେ ଏହି ଚଢ଼ାଉବେଳେ ଅବକାରୀ ବିଭାଗକୁ ସଂପୁର୍ଣ୍ଣ ସହଯୋଗ କରିବା ସହ ଏହି କାରବାରକୁ ଗାଁ ଭିତରୁ ସଂପୁର୍ଣ୍ଣ ବନ୍ଦ କରାଯାଉ ବୋଲି ଦାବି କରିଥିଲେ । ଏହି ଚଢ଼ାଉରେ ଅବକାରୀ ବିଭାଗର ଆଇ.ଆଇ.ସି ଶରତ ଚନ୍ଦ୍ର ଭଞ୍ଜ, କେ. ପାଇକରାୟ, ଅର୍ଜୁନ ମଲ୍ଲିକ, ଶ୍ୱେତାଶୁଂ ମଲ୍ଲିକ, ନନ୍ଦିପଦା ଥାନା ଏ.ଏସ.ଆଇ ସନାତନ ମହାରଣା, ହାବିଲଦାରଙ୍କ ସମେତ ୩୦ରୁ ଉର୍ଦ୍ଧ ଅବକାରୀ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ । ଅବକାରୀ ବିଭାଗର ଅଧିକାରୀ ମାନେ ଜବଦ ଗଞ୍ଜେଇ ଓ ଅଭିଯୁକ୍ତ ସ୍ୱର୍ଣ୍ଣପ୍ରଭାଙ୍କୁ ଆନନ୍ଦପୁର ଅବକାରୀ ବିଭାଗ କାର୍ଯ୍ୟାଳୟକୁ ନେଇ ମହିଳାଙ୍କୁ ପଚରା ଉଚୁରା କରିବାରୁ ତାଙ୍କ ଠାରୁ ବ୍ୟବସାୟିକ କାର୍ଯ୍ୟକଳାପ ସମ୍ପର୍କରେ ବହୁ ତଥ୍ୟ ଅବକାରୀ ବିଭାଗ ହାସଲ କରିଥିଲା । ତାଙ୍କ ବିରୁଦ୍ଧରେ ଏନ.ଡି.ପି.ଏସ ଆକ୍ଟରେ ମାମଲା ରୁଜୁ କରାଯିବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆନନ୍ଦପୁର ଅବକାରୀ ବିଭାଗର ଇନସପେକ୍ଟର ସନ୍ତୋଷ ପ୍ରଧାନ ଓ ଅବକାରୀ ସବ୍ଇନସପେକ୍ଟର ଅଭିରାମ ବେହେରାଙ୍କ ତତ୍ୱାବଧାନରେ ଜବଦ ଗଞ୍ଜେଇକୁ ଓଜନ କରିବାରୁ ଏହା ୧କୁଇଣ୍ଟାଲ ୧୧କେଜି ହୋଇଥିଲା । ଯାହାର ଆନୁମାନିକ ମୁଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୁଚନା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top