ହାଉସିଂ ବୋର୍ଡ଼-ଗୁରୁଦ୍ୱାର ରାସ୍ତା ମରାମତି ଦାବିରେ ଆମରଣ ଅନଶନ ୨ ଦିନରେ

ତାଳଚେର, ୧୯/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡା ଗୁରୁଦ୍ୱାରଠାରୁ ଏଫ୍.ସି.ଆଇ ହାଇସିଂ ବୋର୍ଡ଼ କଲୋନୀ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ମରାମତି ଦାବିରେ ତେଂଟୁଲେଇ ପଂଚାୟତବାସୀଙ୍କ ପକ୍ଷରୁ ସୋମବାର ସକାଳୁ ହାଉସିଂବୋର୍ଡ ଛକଠାରେ ଆମରଣ ଅନଶନ ଆରମ୍ଭ ହୋଇଥିବା ଅନଶନ ୨ ଦିନରେ ଜାରି ରହିଛି। ପ୍ରକାଶ ଥାଉକି, ଗୁରୁଦ୍ୱାର ଠାରୁ ହାଉସିଂବୋର୍ଡ ପର୍ଯ୍ୟନ୍ତ ରାସ୍ତାର ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ, ଏମ୍.ସି.ଏଲ୍ କର୍ତ୍ତୃପକ୍ଷ, ଏଫ୍.ସି.ଆଇ କର୍ତ୍ତୃପକ୍ଷଙ୍କୁ ବହୁବାର ମୌଳିକ ଓ ଲିଖିତ ଆକାରରେ ଦାବି ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେଂଟୁଲେଇ ଏବଂ ଗୋବରା ପଂଚାୟତବାସୀ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଦୀର୍ଘ ୯ବର୍ଷ ହେବ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ତେବେ ବର୍ଷ ବର୍ଷ ଧରି ରାସ୍ତା ମରାମତି ପାଇଁ କେବଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି। ସେହିପରି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏହି ରାସ୍ତାରେ ଦୈନିକ ଜବରଦସ୍ତ ଭାରୀଯାନ ଦ୍ୱାରା କୋଇଲା ପରିବହନ କରାଯାଉଛି। ପ୍ରଶାସନ ପକ୍ଷରୁ ରୋକ ଲଗା ଯାଇଥଲେ ସୁଦ୍ଧା ପ୍ରଶାସନର ଆଦେଶକୁ ଭ୍ରୁକ୍ଷେପ ନକରି ଏହି ରାସ୍ତାରେ ପ୍ରତିଦିନ ଶହଶହ କୋଇଲା ବୋଝେଇ ଭାରୀଯାନ ଯାତାୟତ କରୁଥିବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏଥିସହିତ ରାସ୍ତାରେ ଖାଲଖମା ସୃଷ୍ଟି ହେବା ଫଳରେ ଏଥିରେ ଯିବା ଆସିବା କରିବା ସ୍ଥାନୀୟ ବାସିନ୍ଦାଙ୍କ ପାଇ ବିପଦଜନକ ପାଲଟିଛି। ଦୀର୍ଘ ବର୍ଷ ଧରି ଦାବି ହେଉଥିବା ଏହି ରାସ୍ତାର ମରାମତି କରାଯାଉ ନଥିବାରୁ ଏହାର ପ୍ରତିବାଦରେ ଆଜି ସକାଳୁ ହାଉସିଂ ବୋର୍ଡ, ଭଞ୍ଜ କଲୋନୀ, ମୀନାବଜାର ଓ ଗୁରୁଦ୍ୱାର ବାସିନ୍ଦାମାନେ ସ୍ଥାନୀୟ ସମିତି ସଭ୍ୟା ନୀଲମ୍ ଲାଲଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବରେ ଆମରଣ ଅନଶନ କରୁଛନ୍ତି। ସୋମବାର ପୂର୍ବାହ୍ନରେ ତାଳଚେର ଅତିରିକ୍ତ ତହସିଲଦାର ସୈାଭାଗ୍ୟ ବେହେରା ଘଟଣାସ୍ଥଳକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଲିଖିତ ପ୍ରତିଶ୍ରୁତି ନମିଳିଲେ ଆମରଣ ଅନଶନ ଜାରି ରହିବ ବୋଲି ଅନଶନକାରୀମାନେ ସ୍ପଷ୍ଟ କରିଥିଲେ। ସେହିପରି ମଙ୍ଗଳବାର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅନଶନସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ପ୍ରଶାସନ ମଧ୍ୟସ୍ଥତାରେ ଏମ୍.ସି.ଏଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବୈଠକ ଡକାଯିବ ବୋଲି ଜଣାପଡ଼ିଛି। ଏହି ଅନଶନରେ ନୃସିଂହ ଚରଣ ଗୋଚ୍ଛାୟତ, ଆଇନଜୀବି ଉଚ୍ଛନ ପଟ୍ଟନାୟକ, ସମାଜସେବୀ ବିନୋଦ ଲାଲ, ଝତିଶ କୁମାର ନାଏକ, ମାନସ ଦାସ, ଚିତରଞ୍ଜନ ସାମଲ, ଗଗନ ବିହାରୀ ସାମଲ, ଅର୍ଜୁନ ମାରାଣ୍ଡି, ସୁବାସ ତରାଇ, ଗୋବିନ୍ଦ ସାମଲ, ବଟକୃଷ୍ଣ ବିଶ୍ୱାଳ, ରଞ୍ଜନ ଗଡନାୟକ ପ୍ରମୁଖଙ୍କ ସମେତ ଶହଶହ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *