ହାଇଲେବୁଲ କେନାଲରେ କଳମ ବଣ ଜଳଯୋଗାଣରେ ବାଧାପ୍ରାପ୍ତ, କଂକ୍ରିଟ୍ କରଣ ଦାବି

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଆଖୁଆପଦା ଆନିକଟ ସିଷ୍ଟମରୁ ଜଳସଚେନ ପାଇଁ ପ୍ରବାହିତ ହାଇଲେବୁଲ କେନାଲ ଶଯ୍ୟା କମଳ ବଣରେ ପରିପୂର୍ଣ୍ଣ ହୋଇଛି। କ୍ରମାଗତ ବର୍ଷା ହେବା ଫଳରେ କଳମ ଗଛର ବ୍ୟାପକ ବୃଦ୍ଧି ହୋଇ କେନାଲ କଳମ ବଣରେ ଆଚ୍ଛାଦିତ ହୋଇଯାଇଛି। ଜଳସେଚନ ପାଇଁ ଜଳପ୍ରବାହ ବାଧାପ୍ରାପ୍ତ ହେବା ଆଶଙ୍କା ଘନୀଭୂତ ହୋଇଛି। ଆଖୁଆପଦା ଆନିକଟ ଠାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୧୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବୃହଦାକାର କେନାଲରୁ ଶୁଷ୍କ ସମୟରେ ରକ୍ଷଣାବେକ୍ଷଣ ପ୍ରତି ବିଭାଗ ଆବଶ୍ୟକୀୟ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଭଣ୍ଡାରିପୋଖରୀ, ଧାମନଗର ଓ ଭଦ୍ରକ ବ୍ଲକ୍ର ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚିତ କରୁଥିବା ଏହି ହାଇଲେବୁଲ କେନାଲ ଏବେ ଅବହେଳିତ ହୋଇପହଇଛି। ଅନ୍ୟ ପକ୍ଷରେ ଆଖୁଆପଦା ଠାରୁ ପ୍ରବାହିତ ଅନ୍ୟ ଏକ ହାଇଲେବୁଲ କେନାଲ ଯାଜପୁର ଜିଲାକୁ ଜଳସଚେିତ କରୁଛି। ଯାଜପୁର ଜିଲାରେ ଥିବା ହାଇଲେବୁଲ କେନାଲ ଶଯ୍ୟାକୁ ଏବେ ସଂପୂର୍ଣ୍ଣ କଂକ୍ରିଟ୍କରଣ କରାଯାଉଛି। ପ୍ରାୟ ୧୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଯାଜପୁର ଜିଲାର ହାଇଲେବୁଲ କେନାଲ କଂକ୍ରିଟ୍ କରଣ ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମାତ୍ର ଭଦ୍ରକ ଜିଲା ପାଇଁ ଉଦ୍ଦିଷ୍ଟ ହାଇଲେବୁଲ କେନାଲ କଳମ ବଣରେ ପରିପୂର୍ଣ୍ଣ ହେବା ବିଭାଗ ନଜରକୁ ଆସୁନଥିବା ନେଇ ଚାଷୀମାନଙ୍କ ପକ୍ଷରୁ ବିଭାଗକୁ ସମାଲୋଚନା କରାଯାଇଛି। ଆଖୁଆପଦା ଆନିକଟ ସିଷ୍ଟମ ଜଳସେଚନ ପରିଚାଳନା ପାଇଁ ଯାଜପୁର ଠାରେ ଜଳସଂପଦ ବିଭାଗ ବିଭାଜନ କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ସମ୍ଭବତଃ ଏହାର ସୁଯୋଗ ନେଇ ବିଭାଗ ଯାଜପୁର ଜିଲା ଓ ଭଦ୍ରକ ଜିଲା ମଧ୍ୟରେ ଥିବା ହାଇଲେବୁଲ କେନାଲ ରକ୍ଷଣାବେକ୍ଷଣ ମଧ୍ୟରେ ପାତରଅନ୍ତର କରୁଥିବା ନେଇ ଚାଷୀକୂଳ ଆଶଙ୍କା ପ୍ରକାଶ କରିଛି। ଭଦ୍ରକ ଜିଲାର ନେତା ଓ ମନ୍ତ୍ରୀ ଏହି ସ୍ପର୍ଶକାତର ବିଷୟକୁ ଅଣଦେଖା କରିବା ବିଭାଗକୁ ସୁହାଇଛି। ଭଦ୍ରକ ଜିଲାବାସୀ ବିଭାଗର ସାବତ ପୁଅ ପାଲଟିଛନ୍ତି ବୋଲି ବଳଦେବଜୀଉ ପାଣି ପଂଚାୟତ ଚାଷୀମାନେ ଜଳସଂପଦ ବିଭାଗ ଓ ରାଜନେତାମାନଙ୍କୁ ସମାଲୋଚନା କରିଛନ୍ତି। ଚାଷୀମାନଙ୍କ ସ୍ୱାର୍ଥକୁ ସୁରକ୍ଷା ପାଇଁ ହାଇଲେବୁଲ କେନାଲକୁ ସଂପୂର୍ଣ୍ଣ କଂକ୍ରିଟ୍କରଣ କରିବାକୁ ଦାବି ହୋଇଛି। ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଏହି ବିଷୟ ସଂପର୍କରେ ସଚେତନ ଥିବା ଓ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *