ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କଳାପତାକା ପ୍ରଦର୍ଶନ ଆରମ୍ଭ : ମୂଳ ହେଲା ଅର୍ଥମନ୍ତ୍ରୀଙ୍କ ଠାରୁ

ସମ୍ବଲପୁର, ୭/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଦାବି କରାଯାଉଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବା ପ୍ରତିବାଦରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମ୍ବଲପୁର ଗସ୍ତକୁ ବିରୋଧ କରିଛି ଜିଲ୍ଲା ଓକିଲ ସଂଘ। ମନ୍ତ୍ରୀ ଶ୍ରୀ ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହିତ ବିରୋଧ କରିଥିବା ପ୍ରାୟ ୧୫୦ ଆଇନଜୀବୀଙ୍କୁ ଆଜି ପୋଲିସ ଗିରଫ କରିଛି। ଏପରିକି ଏହି ସମୟରେ ପୋଲିସ-ଆଇନଜୀବୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ହୋଇ ଆସୁଛି। ମାତ୍ର ଏହି ଦାବି ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ସମ୍ବଲପୁରକୁ ଯେ କୌଣସି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ଗ୍ରହଣ କରିଛି। ନିଷ୍ପତ୍ତି ନିଆଯିବା ପରେ ଜିଲ୍ଲାକୁ ପ୍ରଥମ ମନ୍ତ୍ରୀ ଭାବରେ ଆଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଗସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଥିଲା। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସମ୍ବଲପୁର ଆସିଥିବା ବେଳେ ତାଙ୍କ ଗସ୍ତକୁ ବିରୋଧ କରି ଓକିଲ ସଂଘ ପକ୍ଷରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସେହିପରି ଚର୍ଚ୍ଚ ଛକ ଠରେ ମଧ୍ୟ ଆଇନଜୀବୀମାନେ ବିକ୍ଷୋଭ କରିଥିଲେ। ସେଠାରେ ପୋଲିସ ଆଇନଜୀବୀମାନଙ୍କୁ ଗିରଫ ପାଇଁ ଉଦ୍ୟମ କଲାବେଳେ ଗଣ୍ଡଗୋଳ ହୋଇଥିଲା। ଓକିଲମାନେ ପୂର୍ବାହ୍ନ ୧୦ଟାରେ କଚେରୀ ପରିସରରୁ କଳାପତାକା ପଟୁଆରରେ ବାହାରି ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଛକ ନିକଟରେ ପହଞ୍ଚିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରୁଥିବା ବେଳେ ଧସ୍ତାଧସ୍ତି ହୋଇଥିଲା। ୫୦ରୁ ଉର୍ଦ୍ଧ୍ୱ ଓକିଲ ଧାଇଁଯାଇ ବିଶ୍ୱବିଦ୍ୟାଳୟ ଗେଟ ସମ୍ମୁଖରେ ପହଞ୍ଚି ଯାଇଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୋଲିସ ଓକିଲମାନଙ୍କୁ ଗିରଫ କରିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ପୁନର୍ଗଠନ ହେବା ସ୍ଥିତିରେ କେନ୍ଦ୍ର ସରକାର ନୂତନ ଗଠିତ ରାଜ୍ୟରେ ହାଇକୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବେ। ଅପରପକ୍ଷରେ କୌଣସି ରାଜ୍ୟ ମଧ୍ୟରେ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ବିଧିବଦ୍ଧ ଭାବରେ ପ୍ରସ୍ତାବ ଦେବା ବାଞ୍ଝନୀୟ। ବିଧାନସଭାରେ ଗୃହୀତ ପ୍ରସ୍ତାବର ଆଧାରରେ ରାଜ୍ୟ ସରକାର ଯେଉଁଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ସେ ସ୍ଥାନର ନାମ, ଭିତ୍ତିଭୂମି ପାଇଁ ରାଜ୍ୟ ସରକାର କ’ଣ ସବୁ ବ୍ୟବସ୍ଥା କରିବେ ବା ଯୋଗାଇ ଦେବେ ସେ ସବୁ ସମ୍ପର୍କରେ ସୂଚନା ସହ କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଇବେ। ଏହିସବୁ ଆବଶ୍ୟକତା ପୂରଣ କରାନଯାଇ ମୁଖ୍ୟମନ୍ତ୍ରୀ କେବଳ ଦୁଇଥର କେନ୍ଦ୍ର ନିକଟକୁ ପତ୍ର ଲେଖିଥିବା ଯୋଗୁଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଆଗେଇ ପାରୁନାହିଁ। ଏପରିକି ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ସକାଶେ ରାଜ୍ୟ ସରକାରଙ୍କ ପାଖରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ରୂପେ ଉତ୍ତର ରଖାଯାଇଛି। ଏଭଳି ପରିସ୍ଥିତିରେ ସମ୍ବଲପୁରରେ ଓକିଲ ତଥା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

High Court Bench nai hebar tak sabu Mantri manku kala pataka dekha heba. Ajinu arambha hela.

Posted by Amaresh Behera on Friday, 6 July 2018

Leave a Reply

Your email address will not be published. Required fields are marked *