ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଆଜି

ସମ୍ବଲପୁର, ୬/୮ (ଓଡ଼ିଆ ପୁଅ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପ୍ରସଙ୍ଗ ପୁନର୍ବାର ସକ୍ରିୟ ହୋଇଛି। ଏଥର ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବ ବୋଲି ତଦ୍ବିତ୍ ମହଲ ଅନୁମାନ କରୁଛନ୍ତି। ଆଗାମୀକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଇନଜୀବୀ ପ୍ରତିନିଧିଙ୍କ ଆଲୋଚନା ପାଇଁ ସମୟ ଧାର୍ଯ୍ୟ ଏବଂ ସଂସଦର ଚଳିତ ଅଧିବେଶନରେ ଏହି ପ୍ରସଙ୍ଗ ଉପସ୍ଥାପିତ ହେବା ଉତ୍ତାରୁ ଏହି ସମ୍ଭାବନା ଦେଖାଯାଉଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଗତକାଲି ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ୬ ତାରିଖ ସିଏସିର ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚାନା କରିବ ବୋଲି ନିଷ୍ପତ୍ତି ହୋଇଛି। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ଆଲୋଚନା ପାଇଁ ସିଏସିକୁ ନିମନ୍ତ୍ରଣ କରିବା ପରେ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ ସୂଚନା ଦେଇଛନ୍ତି। ବୈଠକରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ୨୦୧୩ ମସିହାରେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପରେ କେନ୍ଦ୍ର ସରକାର ହାଇକୋର୍ଟ ପ୍ରତିଷ୍ଠା ନେଇ ହାଇକୋର୍ଟ ମୁଖ୍ୟବିଚାରପତି ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କଠାରୁ ମତାମତ ଲେଡିଥିଲେ। ରାଜ୍ୟ ସରକାର ଏନେଇ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିବେ ବୋଲି ଉତ୍ତର ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟ ମୁଖ୍ୟ ବିଚାରପତି କୌଣସି ମତାମତ ଦେଇ ନଥିବାରୁ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା। ସେହିପରି ରାଜ୍ୟ ସରକାର ମଧ୍ୟ ହାଇକୋର୍ଟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଚୁପ ବସିଯାଇଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା।

ମହାନଦୀ ପ୍ରସଙ୍ଗରେ ବିଜେଡି ଲୋକସଭାରେ କକ୍ଷତ୍ୟାଗ କରିବା ସହ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଉଛନ୍ତି। କିନ୍ତୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେବଳ ଚିଠି ଖୋଲି ଚୁପ ବସିଛନ୍ତି ବୋଲି ମତପ୍ରକାଶ ପାଇଥିଲା। ସେହିପରି ୨୦୧୩ରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଚିଠିକୁ ଗ୍ରହଣ କରି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମତ ଲୋଡିଥିଲେ। ୪ ବର୍ଷ ପରେ ଏବେ ହାଇକୋର୍ଟ ବେଞ୍ଚ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପଯୁକ୍ତ ଫର୍ମାଟରେ ଆବେଦନ ହୋଇ ନଥିବା କେନ୍ଦ୍ର ସରକାରଙ୍କ ମନ୍ତବ୍ୟକୁ ମଧ୍ୟ ଦୃଢ଼ ନିନ୍ଦା କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବୈଠକରେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟ ପ୍ରସଙ୍ଗରେ ପ୍ରଶ୍ନ ଉତ୍ଥାପନ କରିଥିବାରୁ ସିଏସି ପକ୍ଷରୁ ଧନ୍ୟବାଦ ଜ୍ଞାପନ କାରାଯାଇଥିଲା। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଚଳାଇଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇବା ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିଏସି ସଂଯୋଜକ ଅଶୋକ ଦାସ, ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ସହସଂଯୋଜକ ପ୍ରମୋଦ ଦାସ, ସିଏସି ମୁଖପାତ୍ର ସୁରେଶ୍ୱର ମିଶ୍ର, ଝାରସୁଗୁଡା ଓକିଲ ସଂଘ ସଭାପତି ପଦ୍ମନାଭ ପଟେଲ, ଦେବଗଡ଼ ସଂଘ ପକ୍ଷରୁ ଦିଲୀପ ଗୁରୁ, ସୋନପୁରରୁ ମଧୁସୂଦନ ପ୍ରଧାନ, ସମ୍ବଲପୁର ଓକିଲ ସଂଘ ଉପସଭାପତି ବେଦବ୍ୟାସ ସାଠୁଆ, ସମ୍ପାଦକ ପ୍ରବୀଣ ସିଂଦେଓ, ପୂର୍ବତନ ସଭାପତି ପ୍ରମୋଦ ରଥ, ଅତନୁ ଘୋଷ, ପ୍ରଦୀପ ବହିଦାର, ସତ୍ୟନାରାୟଣ ପଣ୍ଡାଙ୍କ ସହ ଅତାବିରା, ବରପାଲି, ବୌଦ୍ଧ, ନୂଆପଡ଼ାରୁ ଆସିଥିବା ସଭ୍ୟ ଉପସ୍ଥିତ ଥିଲେ।

ଆନ୍ଦୋଳନର ଇତିବୃତ୍ତି

ଉଲ୍ଲେଖଯୋଗ୍ୟ ଯେ ସିଏସିର ଆହ୍ୱାନକ୍ରମେ ବ୍ୟାପକ ଆନ୍ଦୋଳନ ପରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସୁପାରିଶ କରିଥିଲେ। ତେବେ ଏହି ସୁପାରିଶ ପତ୍ର ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ନିର୍ଦ୍ଦିଷ୍ଟ ଭାବେ ସୁପାରିଶ କରିବା ପାଇଁ ତଦାନିନ୍ତନ କେନ୍ଦ୍ର ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଉତ୍ତରରେ ଜଣାଇଥିଲେ। ଏହାସହିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଏ ବାବଦ ରାୟ ଜାଣିବା ପାଇଁ କେନ୍ଦ୍ର ଆଇନମନ୍ତ୍ରୀ ମୁଖ୍ୟବିଚାରପତିଙ୍କୁ ପତ୍ର ଲେଖିଥିଲେ। ଏ ପରିପ୍ରେକ୍ଷୀରେ ମୁଖ୍ୟ ବିଚାରପତି ଆଲୋଚନା ପାଇଁ ସିଏସିକୁ ସେ ସମୟରେ ଆମନ୍ତ୍ରଣ ଜଣାଇ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ୧୯୫୪ ମସିହାରୁ ଓଡ଼ିଶା ହାଇକୋର୍ଟର ଦୂରତ୍ୱ ଓ ମହକିଲମାନଙ୍କ ହଇରାଣ ତଥା ଅଯଥା ଖର୍ଚ୍ଚାନ୍ତକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ଦାବି ହୋଇ ଆସୁଛି। ଏହି ଦାବିରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ହୋଇଛି। ଅନ୍ୟୁନ୍ୟ ୩ ଥର ପଶ୍ଚିମ ଓଡ଼ିଶା ବନ୍ଦ ପାଳନ କରାଯାଇଛି। ୭୦ ଦଶକ ଏବଂ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ମାନଙ୍କରେ ଏହି ପ୍ରସଙ୍ଗକୁ ପ୍ରତିଶ୍ରୁତି ଆକାରରେ ସ୍ଥାନ ଦିଆଯାଇଥିଲା। ୧୯୯୦ ବିଧାନସଭା ନିର୍ବାଚନ ଉତ୍ତାରୁ ମୁଖ୍ୟମନ୍ତ୍ରୀ ଭାବେ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନ ପୂର୍ବରୁ ସେ ତକ୍ରାଳୀନ ଜନତା ଦଳ ଶାସନ କ୍ଷମତାକୁ ଆସିଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ। ୨୦୦୬ ମସିହାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟୀର ଆହ୍ୱାନ କ୍ରମେ ପଶ୍ଚିମ ଓଡ଼ିଶା ବିଭିନ୍ନ ଅଦାଲତରେ ପ୍ରତିମାସର ଶେଷ ତିନୋଟି କାର୍ଯ୍ୟଦିବସରେ ଆନ୍ଦୋଳନ ଜାରି ରହିଛି। କମିଟୀ ପକ୍ଷରୁ ବିଧାନସଭା ସମ୍ମୁଖରେ, ନୂଆଦିଲ୍ଲୀ ଯନ୍ତରମନ୍ତର ଠାରେ ମଧ୍ୟ ଧାରଣା ଦିଆଯାଇଥିଲା। ଗତବର୍ଷ ଦାବିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ପଶ୍ଚିମ ଓଡ଼ିଶାର ଆଇନଜୀବୀ, ଜନ ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ସାମାଜିକ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା କଟକ ଠାରେ ଧାରଣା ଦେବା ସହିତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ୨୦୧୩ରେ ଆନ୍ଦୋଳନ ଯୋଗୁଁ ପଶ୍ଚିମ ଓଡ଼ିଶାର ପୌର ନିର୍ବାଚନରେ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପଡ଼ିଥିଲା। ସେଥର ୪୨ ଦିିନ ଧରି ଅଞ୍ଚଳରେ କୋର୍ଟ କଚେରୀ, ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅବରୋଧ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ସିଏସିର ପ୍ରତିନିଧି ଦଳଙ୍କୁ ଆଲୋଚନା ପାଇଁ ଆଇନ ମନ୍ତ୍ରୀଙ୍କ ଜରିଆରେ ଆମନ୍ତ୍ରଣ କରିଥିଲେ। ସିଏସିର ପ୍ରତିନିଧି ଦଳ ଏବଂ ନାଗରିକ କମିଟୀ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ବାବଦରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି, କେନ୍ଦ୍ର ଆଇନମନ୍ତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ସାକ୍ଷାତ କରିଛନ୍ତି। କିଛି ବର୍ଷ ଆଗରୁ କେନ୍ଦ୍ର ଆଇନ ମନ୍ତ୍ରୀ ବିରପ୍ପା ମୋଇଲି ସମ୍ବଲପୁର ଗସ୍ତ ସମୟରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ସପକ୍ଷରେ ମତ ଦେଇଥିଲେ। ହେଲେ ଅଦ୍ୟାବଧି ଏହି ପ୍ରସଙ୍ଗ ଝୁଲନ୍ତା ଅବସ୍ଥାରେ ରହିଛି।

Leave a Reply

Your email address will not be published. Required fields are marked *