ଓଡ଼ିଶା

ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ବିଧାନସଭା ଅଧିବେଶନ ସହ ତାଳଦେଇ କୋର୍ଟ ଓ ରାଜସ୍ୱ କାର୍ଯ୍ୟାଳୟ ଅଚଳ ଆନ୍ଦୋଳନ ଆରମ୍ଭ

ସମ୍ବଲପୁର, ୬/୯ (ଓଡ଼ିଆ ପୁଅ) – ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଚାଲିଥିବା ପ୍ରାୟ ୬୫ ବର୍ଷର ଆନ୍ଦୋଳନ ନିର୍ଣ୍ଣାୟକ ମୋଡ଼କୁ ଆସିଛି। ଏହି ଦାବି ପୂରଣ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀରବତା ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଆହ୍ୱାନ କ୍ରମେ ବୁଧବାରଦିନଠାରୁ ବିକ୍ଷୋଭ ଓ ଧାରଣା ଆରମ୍ଭ ହୋଇଛି। ଜିଲ୍ଲା ବିଚାରବିଭାଗୀୟ ଦପ୍ତର ସମୂହକୁ ସଂଯୋଗ କରୁଥିବା ରାସ୍ତାର ନେଲସନ ମଣ୍ଡେଲା ଛକଠାରେ ବୁଧବାରଦିନ ଗଣଧାରଣା ଦିଆଯାଇଥିଲା। ଫଳରେ ବିଚାର ବିଭାଗୀୟ ଦପ୍ତରଗୁଡ଼ିକ ଖୋଲି ପାରି ନାହିଁ। ଆସନ୍ତାକାଲି ଠାରୁ ବିଚାର ବିଭାଗୀୟ ଦପ୍ତର ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜସ୍ୱ କାର୍ଯ୍ୟାଳୟ ଓ ଅଦାଲତଗୁଡ଼ିକ ଆଗରେ ମଧ୍ୟ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ଦାବିକୁ ସମସ୍ତ ରାଜନୈତିକ ଦଳ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ଟ୍ରେଡ଼ୟୁନିୟନ ଓ ଗଣସଂଗଠନ ସମର୍ଥକ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାଗୃହରେ ସଂଘର ଏକ ଜରୁରୀ ବୈଠକ ମଙ୍ଗଳବାରଦିନ ସଂଘର ସଭାପତି ଶ୍ରୀ ବିଜିତେନ୍ଦ୍ରିୟ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସଂଘର ବହୁ ବରିଷ୍ଠ ଓ କନିଷ୍ଠ ସଦସ୍ୟମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ବିଳମ୍ବିତ କରୁ ଥିବାରୁ ଏହା ବିରୁଦ୍ଧରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ପରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ବିବୃତି ସଂକ୍ରାନ୍ତରେ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟୀର ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳକୁ ପ୍ରତିଶୃତି ଦେଇଥିଲେ। ଏଥିପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲା। ପୂର୍ବ ନିର୍ଧାରିତ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗତକାଲିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ପର୍ଯ୍ୟନ୍ତ ସମ୍ବଲପୁର ଠାରେ ଅବସ୍ଥିତ ସମସ୍ତ ବିଚାର ବିଭାଗୀୟ ଅଦାଲତକୁ ପିକେଟିଂ କରାଯିବ। ନିକଟରେ ଗଣେଶ ପୂଜା ଓ ନୂଆଁଖାଇ ଆଦି ପର୍ବ ପର୍ବାଣି ଥିବାରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଜି ସମସ୍ତ ରେଭିନ୍ୟୁ କୋର୍ଟକୁ ପିକେଟିଂରୁ ବାଦ ଦିଆଯିବ। ତେବେ ଆସନ୍ତାକାଲି ଠାରୁ ବିଚାର ବିଭାଗୀୟ ଅଦାଲତ ସହ ସମସ୍ତ ରାଜସ୍ୱ ଅଦାଲତ ମାନଙ୍କୁ ମଧ୍ୟ ଏହି ବନ୍ଦରେ ସାମିଲ କରାଯିବ। ଆଜିର ବୈଠକରେ ପଶ୍ଚିମ ଓଡିଶାର ସମସ୍ତ ଜନ ପ୍ରତିନିଧିମାନଙ୍କୁ ଦଳମତ ନିର୍ବିଶେଷରେ ପଶ୍ଚିମ ଓଡିଶାର ଜନସ୍ୱାର୍ଥ ନିମନ୍ତେ ମୌସୁମୀ ଅଧିବେଶନରେ ଏ ବିଷୟରେ ବିଧାନ ସଭାରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ଆଜିର ବୈଠକରେ ସର୍ବଶ୍ରୀ ପ୍ରଦୀପ ବହିଦାର, ବିପିନ ବିହାରୀ ନାୟକ, ଆର୍ତତ୍ରାଣ ମିଶ୍ର, ସୁରେଶ୍ୱର ମିଶ୍ର, ରବୀନ୍ଦ୍ର ନାଥ ଦେବତା, ପ୍ର‘ୁଲ୍ଲ କୁମାର ହୋତା, ନବୀନ ଶତପଥି, ରବି ରଂଜନ ପୂଜାରୀ, ଅରବିନ୍ଦ ନାୟକ, ସୁରଜ ବିଶ୍ୱାଳ, ସତ୍ୟ ନାରାୟଣ ପଣ୍ଡା, ସୁନିଲ କୁମାର ମିଶ୍ର, ଚନ୍ଦ୍ରକାନ୍ତ ମହାନ୍ତି, ଦିଲ୍ଲିପ କୁମାର ବିଶି, ଅକ୍ଷୟ କୁମାର ଦାଶ ପ୍ରମୁଖ ମତବ୍ୟକ୍ତ କରିଥିଲେ। ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରେସ୍ ଇସ୍ତାହାର ଦ୍ୱାରା ଅନୁରୋଧ କରାଯାଉଅଛି ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଦ୍ୱନ୍ଦ ଦୂର କରିବା ନିମନ୍ତେ ଅତିଶୀଘ୍ର ଏକ ଉଚ୍ଚ ସ୍ଥରୀୟ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି ସଂଘର ସମ୍ପାଦକ ଶ୍ରୀ ପ୍ରବୀଣ କୁମାର ସିଂହଦେଓ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top