ହରଡ଼ ଡାଲି ବଦଳରେ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ମସୁର ଡାଲି ; ଜିଲା ପ୍ରଶାସନର ନଜର ଦେବେକି

ଯାଜପୁର-୧୩/୧(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ନିମନ୍ତେ ସ୍ୱତନ୍ତ୍ରଭାବେ ଗୃହ ମଧ୍ୟ ନିର୍ମାଣ କରାଯାଉଛି। ସପ୍ତାହକ ନିମନ୍ତେ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ କ’ଣ ପ୍ରସ୍ତୁତ କରାଯିବ ତାଲିକା ପ୍ରସ୍ତୁତ କରାଯାଇଛି। ମଧ୍ୟାହ୍ନ ଭୋଜନରେ ଯେପରି କୌଣସି ପ୍ରକାର ବିଭ୍ରାଟ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାପାଇଁ ରାଜ୍ୟ ସରକାର ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ଏତେ ସତ୍ତ୍ୱେ ମଧ୍ୟ କେତେକ ଅସାଧୁ ଶିକ୍ଷକ ମଧ୍ୟାହ୍ନ ଭୋଜନରେ ହରଡ଼ ଡାଲି ପରିବର୍ତ୍ତେ ମସୁର ଡାଲି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଯାଜପୁର ବ୍ଲକ୍ ଶ୍ୟାମଦାସପୁର ପଞ୍ଚାୟତ କୁଝାଲା ଛକ ନିକଟରେ ଥିବା ରାଧାଗୋବିନ୍ଦଜୀଉ ଉ.ପ୍ରା. ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟରେ ଦୁଇଟି ଶ୍ରେଣୀରେ ମୋଟ ୪୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୬ଷ୍ଠ ଶ୍ରେଣୀରେ ୨୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୭ମ ଶ୍ରେଣୀରେ ୨୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ବିଡ଼ମ୍ବନାର ଘଟଣା ଉକ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ହରଡ଼ ଡାଲି ପରିବର୍ତ୍ତେ ମସୁର ଡାଲି ଦିଆଯାଉଛି। ରୋଷେଇ ଦାୟିତ୍ୱରେ ଥିବା ପାଚିକାକୁ ପଚାରିବାରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ହରଡ଼ ଡାଲି ପରିବର୍ତ୍ତେ ମସୁର ଡାଲି ଦେଉଛନ୍ତି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ସଞ୍ଜୟ କୁମାର ବାରିକଙ୍କୁ ପଚାରିବାରେ ହରଡ଼ ଡାଲି ପରିବର୍ତ୍ତେ ମସୁର ଡାଲି ସେ ଦେଉଛନ୍ତି ଓ ଏହା ସ୍ୱାଦିଷ୍ଟ ବୋଲି କହିଥିଲେ। ଘଟଣା ସମ୍ପର୍କରେ ଯାଜପୁର ବ୍ଲକ୍ ଶିକ୍ଷାଧିକାରୀ ଅଜୟ କୁମାର ଦାସଙ୍କୁ ପଚାରିବାରେ ମସୁର ଡାଲି ବ୍ୟବହାର କରିବାପାଇଁ ନିୟମ ନାହିଁ। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଦାସ ସୂଚନା ଦେବାସହ ସ୍କୁଲରେ ରନ୍ଧା ଯାଉଥିବା ମସୁର ଡାଲିକୁ ଛାତ୍ରଛାତ୍ରୀଙ୍କୁ ନଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ଏହି ଗୋଟିଏ ବିଦ୍ୟାଳୟ ନୁହେଁ ବ୍ଲକ୍ ଶିକ୍ଷା ଅଧିନରେ ଥିବା ବହୁ ବିଦ୍ୟାଳୟରେ ନିମ୍ନମାନର ଡାଲି ବ୍ୟବହାର କରାଯାଉଛି। ଏପରିକି ଖାଦ୍ୟ ଉପଯୋଗୀ ହୋଇନଥିବା କେତେକ ଡାଲିକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରୁଥିବା ନେଇ ଅଭିଯୋଗ ହେଉଛି। ଏହି ମଧ୍ୟାହ୍ନ ଭୋଜନକୁ ତଦାରଖ କରିବାପାଇଁ ବିଦ୍ୟାଳୟଗୁଡ଼ିକରେ ଗଠନ କରାଯାଇଥିବା କମିଟି ନୀରବଦ୍ରଷ୍ଟା ସାଜିଥିବାବେଳେ ଦାୟିତ୍ୱରେ ଥିବା ଶିକ୍ଷା ବିଭାଗର ଜଣେ ପଦାଧିକାରୀଙ୍କ ନୀରବତା ସମସ୍ତଙ୍କୁ ଚକିତ କରିଛି।

Leave a Reply

Your email address will not be published. Required fields are marked *