ହରଭଙ୍ଗା ଭଗାମୁଣ୍ଡା ଗ୍ରାମରେ ଶିକ୍ଷକଙ୍କ ଘରେ ପୋଲିସ କହି ଡକାୟତି ଘଟଣା , ଅଭିଯୁକ୍ତକୁ ୮ ବର୍ଷ ସଶ୍ରମ କାରାଦଣ୍ଡ

ବୌଦ୍ଧ,୧୪ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମର ଶିକ୍ଷକ ଅକ୍ଷୟ କୁମାର ସାହୁଙ୍କ ଘରୁ ଡକାୟତମାନେ ପୋଲିସ ବୋଲି ପରିଚୟ ଦେଇ ଡକାୟତି କରିବା ମାମଲାରେ ଅଭିଯୁକ୍ତକୁ ଜିଲା ଦୌରାଜଜ୍ ୮ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ସୂଚନା ମୁତାବକ ଗତ ୨୪.୦୪ ୨୦୧୪ ରେ ଅଭିନବ ଉପାୟରେ ଘଟିଥିବା ଏହି ଡକାୟତି ଘଟଣାନେଇ ଜିଲାସାରା ଚର୍ଚ୍ଚା ହୋଇଥିଲା । ସୂଚନା ମୁତାବକ ଘଟଣାଦିନ ସବୁଦିନ ପରି ଶିକ୍ଷକ ଶ୍ରୀସାହୁଙ୍କ ପରିବାର ଲୋକ ଖାଇପିିଇ କବାଟ ଦେଇ ଶୋଇଯାଇଥିଲେ । କିନ୍ତୁ ରାତି ୧.୩୦ ମିନିଟରେ ୪ରୁ ୬ ଜଣ ଡକାୟତ ଆସି କବାଟ ଖୋଲ ଆମେ ପୋଲିସ ଆସିଛୁ କହି ଘରର ମୁଖ୍ୟ କବାଟ ବାଡାଇଥିଲେ । ପୋଲିସ ପରିଚୟ ପାଇବା ପରେ ଅକ୍ଷୟ କବାଟ ଖୋଲି ଥିଲେ । ଏହାର ସୁଯୋଗରେ ଡକାୟତ ମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ନଗଦ ପା୍ରୟ ୫୦୦୦୦ ଟଙ୍କା ଓ ସମସ୍ତ ସୁନାଗହଣା ନେଇ ପଳାଇଥିଲେ । ଏହି ମାମଲାର ତଦନ୍ତ କରି ପୋଲିସ ଚାରିଦିନ ପରେ ମୁଖ୍ୟ ଅଭିଯୁକ୍ତ ବାଉଁରିପାଟଣା ସାହି ସୁନାଖଳା ର ଇଶାକ୍ ଖାଁ(ଲିପୁ) କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ମାମଲା ହରଭଙ୍ଗା ଥାନା କେସ ନମ୍ବର ୪୭/୧୪ ରେ ବିଚାର ପାଇଁ ଆସିଥିବାବେଳେ ପରବର୍ତ୍ତି ସମୟରେ ଏସଟି କେସ ନମ୍ବର ୫୫/୧୫ ହୋଇ ଜିଲାଦୌରା ଜଜ୍ଙ୍କ କୋର୍ଟରେ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୫ ଜଣ ସାକ୍ଷୀଙ୍କୁ ଜେରା ପରେ ମାନ୍ୟବର ଜିଲାଦୌରାଜଜ୍ ସୁଚିଶ୍ମିତା ମିଶ୍ର ଅଭିଯୁକ୍ତ ଇଶାକ୍ କୁ ଦୋଷୀ ପ୍ରମାଣିତ କରି ୮ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିବା ଜଣାଯାଇଛି । ସରକାରଙ୍କ ପକ୍ଷରୁ ଆଇନଜିବୀ ଧୂରୀଣ କୁମାର ଦେହୁରୀ ଏହି ମାମଲା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *