ହରଭଙ୍ଗା ବ୍ଲକ ରେ ସୂଚନା ଅଧିକାର ଆଇନ ବାଟବଣା – ଦୁର୍ନୀତିଗ୍ରସ୍ତ ଙ୍କ ପାଇଁ ଖେଳ , ସୂଚନା କର୍ମୀ ଙ୍କୁ ହୋଇଛି କାଳ

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସରକାର ଙ୍କ ପକ୍ଷରୁ ଜନସାଧାରଣ ଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନ ମୁଳକ ଓ ଜନ କଲ୍ୟାଣକାରୀ ଯୋଜନା ର ଟିକିନିକି ସୂଚନା ଓ ତଥ୍ୟ ସର୍ବସାଧାରଣ ରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ଭଳି ଗୁରୁତ୍ୱପୁର୍ଣ୍ଣ ଆଇନ ଲାଗୁ କରାଯାଇଛି । ଦୁର୍ନୀତି ଓ ଅନୀୟମିତତା କୁ ନିୟନ୍ତ୍ରଣ କରିବା ଦିଗରେ ଏହି ଆଇନ ଅତ୍ୟନ୍ତ ଉପଯୋଗି ହୋଇଥିବାରୁ ଏହି ଆଇନ ପ୍ରତି ଲୋକଙ୍କର ଆସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସୁଚନା ଅଧିକାର ଆଇନ ସଂପୁର୍ଣ୍ଣରୁପେ ବାଟବଣା ହୋଇପଡିଛି । ବ୍ଲକରୁ ସୂଚନା ଅଧିକାର ଆଇନ ବଳରେ ଏକ ତଥ୍ୟ ମାଗିବାକୁ ଯାଇ ଜଣେ ସୂଚନା କର୍ମୀ ଓ ତାଙ୍କ ପରିବାର ଙ୍କୁ ଗୋଟିଏ ପଟେ ଦୀର୍ଘ ୨ ମାସ ହେଲା ଗାଁ ରୁ ବାଛନ୍ଦ ହେବାକୁ ପଡିଥିବା ବେଳେ ଅନ୍ୟପଟେ ସେ ମାଗିଥିବା ତଥ୍ୟ ସହିତ ଜଡିତ ଦୁର୍ନୀତି କୁ ଘଣ୍ଟ ଘୋଡାଇବା ପାଇଁ ବ୍ଲକର ପିଆଇଓ ଦାଇତ୍ୱରେ ଥିବା ଅଧିକାରୀ ଙ୍କ ସହ କେତେକ ଅଧିକାରୀ ଉଦେଶ୍ୟ ମୂଳକ ଭାବେ ସୂଚନା ପ୍ରଦାନ କରିବା କ୍ଷେତ୍ରରେ ଟାଳଟୁଳ ନିତି ଅବଲମ୍ବନ କରୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମତେ ବ୍ଲକର ପୁର୍ବରୁ ପୁରୁଣାକଟକ ପଞ୍ଚାୟତ ତଥା ସଂପ୍ରତି ପିତାମ୍ବରପୁର ପଞ୍ଚାୟତ ର ଫୁଲଝରି ଗ୍ରାମ ରେ ୨୦୧୫/୧୬ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଖଳିଆ ବନ୍ଧ ଖନନ କାର୍ଯ୍ୟ ମନରେଗା ଯୋଜନା ରେ କାର୍ଯ୍ୟକାରୀ ହୋଇଥିଲା । ଏହି ପୋଖରୀ ଖନନ କାର୍ଯ୍ୟ ରେ ଶ୍ରମୀକ ଙ୍କୁ ନିୟୋଜିତ ନକରି ଗାଁ ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ତଥା ଛାୟା ଠିକାଦାର ସ୍ଥାନୀୟ ଜିଆରଏସ ,ଦାଇତ୍ୱରେ ଥିବା ଯନ୍ତ୍ରୀ , ନିର୍ବାହୀ ଅଧିକାରୀ ଓ ବ୍ଲକ ଏପିଓ ଙ୍କୁ ହାତ କରି ଜେସିବି ଓ ଟ୍ରାକ୍ଟର ଦ୍ୱାରା କାମ କରି ମିଥ୍ୟା ଭାଉଚର ଓ ବିଲ ବଳରେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ କରି ସେହି ଗ୍ରାମର ବିଶ୍ୱାମିତ୍ର ପ୍ରଧାନ ନାମକ ଜୈନିକ ସୁଚନା କର୍ମୀ ଗତ ୨୦୧୭ ମସିହା ନଭେମ୍ବର ୩ ତାରିଖ ଦିନ ସୁଚନା ଅଧିକାର ଆଇନ ଅନୁଯାଇ ବ୍ଲକ କାର୍ଯ୍ୟଳୟ ଜରିଆରେ କାର୍ଯ୍ୟକାରୀ ହୋଇଥିବା ସଂପୃକ୍ତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ହୋଇଥିବା ପ୍ରକଳ୍ପ ର କାର୍ଯ୍ୟାଦେଶ ସମେତ ପଲ୍ଲିସଭା .ମଷ୍ଟର ରୋଲ , ଏଷ୍ଟିମେଟ ଓ ପର୍ଯ୍ୟାୟ କ୍ରମେ ଉଠାଣ ହୋଇଥିବା ବିଲ ର କପି ପ୍ରଦାନ କରିବା ପାଇଁ ଆବେଦନ କରିଥିଲେ । ଏକଥା ଜାଣିବା ପରେ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ କରିଥିବା ଗ୍ରାମର ପ୍ରଭାବଶାଳୀ ତଥା ଛାୟା ଠିକାଦାର ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କୁ ଧରି ବିଶ୍ୱାମିତ୍ର ପ୍ରଧାନଙ୍କ ପରିବାରକୁ ଦୀର୍ଘ ୨ ମାସରୁ ଉର୍ଦ୍ଧ ହେଲା ଗ୍ରାମରୁ ବାଛନ୍ଦ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବାର ୨ ମାସ ୫ ଦିନ ବିତିଯାଇଥିଲେ ମଧ୍ୟ ସୁଚନା କର୍ମୀ ଙ୍କୁ ସୁଚନା ପ୍ରଦାନ କରାଯାଉନଥିବାରୁ ଏହି ମନରେଗା ଦୁର୍ନୀତି ପଛରେ ବହୁ ଅଧିକାରୀ ସଂଶ୍ଲିଷ୍ଟ ଥିବା ନେଇ ସାଧାରଣରେ ଥିବା ସନେ୍ଦହ ଧିରେ ଧିରେ ଅଧିକ ଦୃଢିଭୁତ ହେବାରେ ଲାଗିଛି । ଏନେଇ ବ୍ଲକର ପିଆଇଓ ଦାଇତ୍ୱରେ ଥିବା ଏବିଡିଓ ବଙ୍କିମ ଚନ୍ଦ୍ର ମଲ୍ଲିକ ଙ୍କୁ ପଚାରାଯିବାରୁ ସେ ସୁଚନା କର୍ମୀ ମାଗିଥିବା ତଥ୍ୟ ଦାଖଲ କରିବା ପାଇଁ ପୁର୍ବ ରୁ ଥିବା ପୁରୁଣାକଟକ ପଞ୍ଚାୟତ ତଥା ଏବର ନୁତନ ପିତାମ୍ବରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଆମେ ଚିଠି କରି ଜଣାଇଛୁ ବୋଲି କହିଥିଲେ । ସରକାର ସୁଚନା ଅଧିକାର ପ୍ରଦାନ କ୍ଷେତ୍ରରେ ଖିଲାପ କରୁଥିବା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ସ୍ପଷ୍ଟ ପ୍ରାବଧାନ ରଖିଥିବା ବେଳେ ଆରଟିଆଇ ମାଗିବାକୁ ଯାଇ ଜଣେ ସୁଚନା କର୍ମୀ ଙ୍କୁ ଦିର୍ଘ ୨ ମାସ ପରେ ବି ଆରଟିଆଇ ତଥ୍ୟ ପ୍ରଦାନ କରାନଯିବା ଓଲଟି ତାଙ୍କୁ ଗ୍ରାମରୁ ବାଛନ୍ଦ ଭଳି ନିର୍ଯ୍ୟାତନା ର ସମ୍ମୁଖିନ ହେବାକୁ ପଡିବା ଘଟଣା ପ୍ରଶାସନର ସ୍ୱଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଠି କରିଛି । ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *