ହରଭଙ୍ଗା ବ୍ଲକ ରେ ସରକାରୀ ଯୋଜନା ବାଟବଣା – ଅସହାୟ ବିଧବା ବୃଦ୍ଧାଙ୍କ ପାଇଁ ସରକାରୀ ସହାୟତା ଅପହଞ୍ଚ

ବୌଦ୍ଧ,୦୭ା୧୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ମାଁ କୁ ସମ୍ମାନ ଗାଁ କୁ କାମ ନାରା କୁ ପାଥେୟ କରି ରାଜ୍ୟ ସରକାର ମାଁ ପେଟରେ ଥିବା ଶିଶୁଙ୍କ ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଲାଗି ହରିଶ୍ଚନ୍ଦ୍ର ଯୋଜନା ଭଳି ଅନେକ ଜନହିତକର ଯୋଜନା ସବୁ କାର୍ଯ୍ୟକାରି କରିଛନ୍ତି । ଏହି ସବୁ ଯୋଜନାର ସୁଫଳ ଯେପରି ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପ୍ରକୃତ ହିତାଧିକାରୀ ଙ୍କ ନିକଟରେ ସଠିକ ଭାବରେ ପହଂଚି ପାରିବ ସେଥିପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ବହୁ କର୍ମଚାରୀ ଓ ଅଧିକାରୀ ଙ୍କୁ ଦାଇତ୍ୱନ୍ୟସ୍ତ କରାଯାଇଛି । ହେଲେ ସ୍ୱାମୀଙ୍କ ମୃତ୍ୟୁର ପ୍ରାୟ ୧୪ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣିଭୂଷଣପୁର ପଞ୍ଚାୟତ ଅନ୍ତର୍ଗତ ଲେଣ୍ଡେରିଯୋର ଗ୍ରାମର ଉପାସି ବେହେରା ନାମ୍ନି ଜଣେ ୬୦ ବର୍ଷିୟ ଅସହାୟ ବିଧବା ହରିଜନ ମହିଳାଙ୍କୁ ଏପର୍ଯ୍ୟନ୍ତ ବିଧବା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ପରିତାପର ବିଷୟ । କେବଳ ଏତିକି ନୁହେଁ ସ୍ୱାମୀ ଙ୍କ ମୃତ୍ୟୁ ପରେ ତାଙ୍କର ଦାହ ସଂସ୍କାର କରିବା ପାଇଁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପାଇବା ପାଇଁ ତକôାଳିନ ସରପଞ୍ଚ ଙ୍କୁ ଆକୁଳ ନିବେଦନ କରିବା ସତ୍ୱେ କାର୍ଯ୍ୟକାଳ ଶେଷ ହୋଇ ଗଲା ସିନା ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ମିଳିଲାନାହିଁ । ସେହିପରି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମିଳୁଥିବା ୨୦ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପାଇବାରୁ ବଂଚିତ ହୋଇଥିବା ଜଣାଯାଇଛି । ଏପରିକି ଉପାସିଙ୍କ ସ୍ୱାମୀ ଖଗେଶ୍ୱର ବେହେରା ଜୀବିତବସ୍ଥା ରେ ଇନ୍ଦିରା ଆବାସ ଘର ଖଣ୍ଡେ ପାଇବାକୁ ବହୁବାର ପ୍ରଶାସନର ଦ୍ୱାରସ୍ଥ ହୋଇ ଶେଷରେ ଆରପାରି କୁ ଚାଲିଗଲେ ସିନା ତାଙ୍କ ପରିବାର ପାଇଁ ଆଜି ସୁଦ୍ଧା ଇନ୍ଦିରା ଆବାସ ଘର ଖଣ୍ଡେ ସପନ ହୋଇ ରହିଗଲା । ଏକ ତାରପୋଲିନ ପାଲ ଢଙ୍କା ଝାଟିମାଟି ଘରେ ଦିନ ସରିଗଲା ତାଙ୍କର । ସ୍ୱାମୀଙ୍କ ମୃତ୍ୟୁ ପରେ ଏକମାତ୍ର ସାହାରା ଥିବା ବିବାହିତ ପୁଅ ତାଙ୍କର ଦୁର୍ଦ୍ଦିନରେ ଛିଡା ହେବା ବଦଳରେ ନିଜର ବିବାହିତ ପତ୍ନି ଓ ୪ ଟି ଜନ୍ମିତ ସନ୍ତାନକୁ ଛାଡି ଅନ୍ୟ ଜଣେ ମହିଳାକୁ ପ୍ରେମ ବିବାହ କରି ଘର ଛାଡି ଚାଲିଯିବା ପରେ ଓଲଟି ସେମାନଙ୍କ ଲାଳନପାଳନ ଦାଇତ୍ୱ ନେବାକୁ ପଡୁଛି ଉପାସିଙ୍କୁ । ସେ ନାତି ନାତୁଣିଙ୍କ ପେଟକୁ ମୁଠେ ଦାନା ଯୋଗାଡ କରିବା ପାଇଁ ଏ ବୟସ ରେ ମୁଲ ଲାଗି ପରିବାର ଚଳାଉଛନ୍ତି । ଭତ୍ତା ଖଣ୍ଡେ ପାଇଁ ସେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଙ୍କ ନିକଟକୁ ବାରମ୍ବାର ଧାଇଁ ଧାଇଁ ଥକି ଯାଇଥିଲେ ମଧ୍ୟ କୌଣସି ସରକାରୀ ଯୋଜନାର ସୁଫଳ ପାଇପାରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଅସହାୟ ଦଳିତ ପରିବାରକୁ ତୁରନ୍ତ ସରକାରୀ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *