ଜିଲ୍ଲା ପରିକ୍ରମା

ହରଭଙ୍ଗା ବ୍ଲକ ଆରଟିଆଇ ଆଇନ ବାଟବଣା ପ୍ରସଙ୍ଗ –ଗଣମାଧ୍ୟମରେ ଖବର ପ୍ରକାଶ ପରେ ଫାଇଲ ଗାଏବ

ବୌଦ୍ଧ, ୧୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପିତାମ୍ବରପୁର ପଞ୍ଚାୟତ ର ଫୁଲଝରି ଗ୍ରାମର ଜୈନିକ ସୂଚନା କର୍ମୀ ସୂଚନା ଆଇନ ଅଧିକାର ବଳରେ ନିଜ ଗ୍ରାମରେ ହୋଇଥିବା ଏକ ମନରେଗା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ମାଗିବାର ୨ ମାସ ବିତିଗଲା। ହେଲେ ଗୋଟିଏ ପଟେ ବ୍ଲକର ଜନ ସୂଚନା ଅଧିକାରୀ ତାଙ୍କୁ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିବା ବେଳେ ଅନ୍ୟପଟେ ଏହି ପ୍ରକଳ୍ପ ରେ ହୋଇଥିବା ଅନିୟମିତତା ପଛରେ ପ୍ରଛନ୍ନ ହାତଥିବା ପ୍ରଭାବଶାଳୀ ଛାୟା ଠିକାଦାରଙ୍କ ପ୍ରରୋଚନାରେ ସୂଚନା କର୍ମୀ ଓ ତାଙ୍କ ପରିବାର ଗାଁ ରୁ ବାଛନ୍ଦ ହେବା ଭଳି ଏକ ଅଭାବନୀୟ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକର ବୁଦ୍ଧିଜୀବି ମହଲରେ ଆଲୋଡନ ସୃଷ୍ଟି କରିଥିଲା। ତେବେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏ ଘଟଣା ଟି ପଦାକୁ ଆସିବାର ଗୋଟିଏ ଦିନ ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ବ୍ଲକ କାର୍ଯ୍ୟାଳୟ ରୁ ଉକ୍ତ ମନରେଗା ପ୍ରକଳ୍ପ ର ରେକର୍ଡପତ୍ର ଓ ଫାଇଲ କେହି ଗାଏବ କରିଦେଇଥିବା ସୂଚନା ଖୋଦ୍ ବ୍ଲକ ମନରେଗା ସହକାରୀ ପକଳ୍ପ ଅଧିକାରୀ (ଏପିଓ) ସ୍ୱିକାର କରିବା ଘଟଣା ଜଣାଶୁଣା ଓ ବିଭିନ୍ନ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି। ବ୍ଲକ କାର୍ଯ୍ୟାଳୟ ରୁ ଫାଇଲ ଗାଏବ କରିବା ପଛରେ କାହା କାହାର ହାତ ରହିଛି ଆଇନକୁ ଭୟ ନକରି କିଏ ଓ କାହିଁକି ଏଭଳି କାର୍ଯ୍ୟ କଲା ଏହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସୂଚନା ତଥ୍ୟ ପ୍ରଘଟ ହେଲେ ମନରେଗା ପ୍ରକଳ୍ପ ରେ ହୋଇଥିବା ଦୁର୍ନୀତି ଓ ଅନୀୟମିତତା ର ପର୍ଦାଫାସ ହେବା ସହିତ ଏହା ପଛରେ ସଂପୃକ୍ତ ଥିବା ବହୁ କର୍ମଚାରୀଙ୍କ ପ୍ରକୃତ ମୁଖା ପଦାରେ ପଡିଯିବା ଭୟରେ ଆପେ ବଂଚିଲେ ବାପ ର ନାଁ ନ୍ୟାୟରେ କାର୍ଯ୍ୟାଳୟରୁ ରେକର୍ଡ ଗାଏବ କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରକାଶ ଥାଉକି ୨୦୧୫/୧୬ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ମନରେଗା ଯୋଜନା ରେ ପୁଲଝରି ଗ୍ରାମର ଖଲିଆ ବନ୍ଧ ପୋଖରି ଖୋଳା ପ୍ରକଳ୍ପ କାର୍ଯ୍ୟକାରି ହୋଇଥିଲା। ଏହି କାମକୁ ଜବକାର୍ଡ ଧାରୀ ଶ୍ରମିକଙ୍କ ଦ୍ୱାରା କରିବା ବଦଳରେ ଗ୍ରାମର ଜଣେ ପ୍ରଭାବଶାଳୀ ଛାୟା ଠିକାଦାର ଜିଆରଏସ୍ ଓ ଯନ୍ତ୍ରୀ ଙ୍କୁ ହାତକରି ବେଆଇନ ଭାବେ ଜେସିବି ଓ ଟ୍ରାକ୍ଟର ଲଗାଇ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବାରୁ ଗ୍ରାମର ବିଶ୍ୱାମିତ୍ର ପ୍ରଧାନ ନାମକ ଜଣେ ସୂଚନା କର୍ମୀ ସୂଚନା ଅଧିକାର ଆଇନ ଅନୁଯାଇ ଗତ ୩ ନଭେମ୍ବର ୨୦୧୭ ରିଖ ରେ ଉକ୍ତ ପ୍ରକଳ୍ପର କାର୍ଯ୍ୟାଦେଶ,  ପଲ୍ଲିସଭା, ମଷ୍ଟରରୋଲ ଓ ବିଭିନ୍ନ ସମୟରେ ହୋଇଥିବା ଲେବର ପେମେଣ୍ଟ ବିଲ ର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଆବେଦନ କରିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top