ଜିଲ୍ଲା ପରିକ୍ରମା

ହରଭଙ୍ଗା ଫଡିଘର ନିର୍ମାଣରେ ବ୍ୟାପକ ଜଙ୍ଗଲ କ୍ଷୟ, ବନ ବିଭାଗ ନୀରବ

ବୌଦ୍ଧ, ୨୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଜଳବାୟୁର ପରିବର୍ତ୍ତନକୁ ଦେଖି ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ଫଳରେ କୋଟି କୋଟି କଙ୍କା ଖର୍ଚ୍ଚ କରି ନୁତନ ଜଙ୍ଗଲ ସୃଷ୍ଟି, ପତିତ ଜଙ୍ଗଲର ଉଦ୍ଧାର, ଉଜୁଡା ଜଙ୍ଗଲରେ ବୃକ୍ଷ ରୋପଣ, ବନୀ କରଣ ତଥା ଜଙ୍ଗଲକୁ ନିଆ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଅର୍ଥ ବ୍ୟୟ ବରାଦ କରିଛନ୍ତି। କିନ୍ତୁ ଅସାଧୁ ବନକର୍ମଚାରୀ ମାନଙ୍କ ଦ୍ୱାରା ଦିନକୁ ଦିନ ଜଙ୍ଗଲର ଉନ୍ନତି ହେବା ପରିବର୍ତେ ଜଙ୍ଗଲ ଶେଷ ପ୍ରାୟ ହେବାକୁ ବସିଛି। ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ଜିଲାର ହରଭଙ୍ଗା ବ୍ଳକରେ ବନ ବିଭାଗର କେତକ କର୍ମଚାରୀଙ୍କୁ ହାତ କରି କେନ୍ଦୁପତ୍ର କର୍ମଚାରୀ ମାନେ ଦିନ ଦ୍ୱିପ୍ରହରେ ଜଙ୍ଗଲରୁ ବଡ ବଡ ଗଛ ମାନ କାଟି ଖୋଲମଖୋଲା ଭାବେ କେନ୍ଦୁପତ୍ର ଫଡି ଘର ନିର୍ମାଣ କରିଛନ୍ତି। ସାରା ପଶ୍ଚିମ ଓଡିଶାରେ ସବୁଜ ହୀରା କୁହାଯାଉଥିବା କେନ୍ଦୁପତ୍ରକୁ ସାଇତି ରଖିବା ପାଇଁ ଫଡିଘର ନିର୍ମାଣ ଚାଲିଛି। ହରଭଙ୍ଗା ବ୍ଳକର ଚାରିଛକ, ଛତରଙ୍ଗ ଓ ରାଧାନଗର ଆଦି କେନ୍ଦୁପତ୍ର ରେଞରେ ଫଡି ଘର ନିର୍ମାଣରେ ବ୍ୟାପକ କାଠ, ବାଉଁଶ, ଶେଣି, କରଡାଝାଟି, ମେଢା ବାନ୍ଧିବା ପାଇଁ ଶିଆଳି ଲଇ ଆଦି ହାଣି ଫଡି ଘର ନିର୍ମାଣ କରାଯାଉଛି। ଏହା ଯୋଗୁଁ ବ୍ୟାପକ ଭାବେ ଜଙ୍ଗଲ ସଂପଦ ନଷ୍ଟ ହେଉଛି। ଏପଟେ ସାଧାରଣ ଲୋକଟିଏ ନିତ୍ୟ ବ୍ୟବହାର ଜିନିଷ ଜାଳକାଠ ଓ ଘର କରିବା ପାଇ ଜଙ୍ଗଲରୁ ବାଉଁଶ ଆଣିଲେ ବନ କର୍ମଚାରୀଙ୍କ ନାଲିଆଖି ସହ ମାମଲା ରୁଜୁ କରି ହଇରାଣ କରୁଥିବା ଦେଖିବାକୁ ମିଳୁଛି। ଫଡି ଘର ନିର୍ମାଣରେ ବ୍ୟାପକ ଗଛ ନଷ୍ଟ ହେଉଥିଲେ ମଧ୍ୟ ବନ ବିଭାଗ ନୀରବ ଦର୍ଶକ ସାଜିଛି। ଯଦି କେହି ଅଭିଯୋଗ କଲେ ବନ କର୍ମଚାରୀ ମାନେ ନାମକୁ ମାତ୍ର କାଭାଁ କେସ କାଟି ଚୁପ ରହୁଥିବା ମଧ୍ୟ ଜଣାପଡିଛି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ କେନ୍ଦୁପତ୍ର ଫଡି ଘର ନିର୍ମାଣରେ ବ୍ୟାପକ ଅର୍ଥ ଖର୍ଚ୍ଚ ଦର୍ଶାଯାଇ ଜଙ୍ଗଲରୁ କାଠ ବାଉଁଶ ଆଣି ଫଡ଼ି ଘର ନିର୍ମାଣ କରି ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିଲେ ସୁଧା ବନ ବିଭାଗ ପ୍ରତି ବର୍ଷ ପରି ଚୁପଚାପ ରହି ଚିର ନିଦ୍ରାରେ ଶୋଇଥିବା ଦେଖିବାକୁ ମିଳିଛି। ସରକାର ଏହି କେନ୍ଦୁପତ୍ରରୁ ବ୍ୟାପକ ରାଜସ୍ୱ ପାଇଆସୁଥିଲେ ମଧ୍ୟ ଜଙ୍ଗଲ ନଷ୍ଟ କରି ଫଡି ଘର ନିର୍ମାଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ଖରା ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏବେଠୁ ଯଦି ଏହାକୁ ରୋକା ନଯାଏ ତେବେ ଆଗାମୀ ଦିନରେ ଜିଲାରୁ ଜଙ୍ଗଲ ନଷ୍ଟ ହୋଇ ଶେଷ ହେବାର ଆଶଙ୍କାଙ୍କୁ ଏଡାଇ ହେବ ନାହି। ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top