ହଜିଯାଉଛି ହାଟ ସଂସ୍କୃତି : ପୁନରୁଦ୍ଧାର ଲୋଡା

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରାଜ୍ୟ ରାଜୁଡା ଅମଳରୁ ଆମ ସମାଜରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର କ୍ରୟ ଓ ବିକ୍ରୟ ପାଇଁ ସୃଷ୍ଟି ହୋଇଥିବା ସାପ୍ତାହିକ ହାଟ ଏବେ ଅଲୋଡା ହେଲାଣି। ଏବେ କାଁ ଭାଁ କେଉଁଠାରେ ହାଟ ନାମାକୁ ମାତ୍ର ଚାଲୁଥିବା ବେଳେ ବହୁ ହାଟ କେଉଁ କାଳରୁ ବନ୍ଦ ହୋଇଗଲାଣି। ହାଟ ଜମି ପଡିଆ ପାଲଟିଗଳାଣି ତ କେତେକ ହାଟ ଜମି ଜବରଦଖଲ ହୋଇଗଲାଣି। କେଉଁଠି ହାଟ ଏବେ ଖୁଣ୍ଟରେ ସୀମିତ ରହିଛି। ନଦୀନାଳ ଘେରା ଓଡ଼ିଶାର ପୁରପଲ୍ଲୀରେ କୃଷିଜାତ ଦ୍ରବ୍ୟର ବିପଣନ ଓ ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଏକକାଳୀନ କ୍ରୟ ସୁବିଧା ପାଇଁ ପୁରାତନ କାଳରେ ସୃଷ୍ଟି କରାଯାଇଥିଲା ଗ୍ରାମୀଣ ହାଟ। ସପ୍ତାହକୁ ଥରେ ଅବା ଦୁଇଥର ନିର୍ଦ୍ଧାରିତ ବ୍ୟବଧାନରେ ହାଟ ବସୁଥିଲା। ଧାଡି ହୋଇ ଅସ୍ଥାୟୀ ଭାବେ ନିର୍ମିତ ବାଉଁଶ ଖୁଣ୍ଟି, ତାଳପତ୍ର ଛାମୁଣ୍ଡିଆରେ ଉଠା ଦୋକାନୀମାନେ ସକାଳୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ବେପାର କରି ଫେରିଯାଉଥିଲେ। କୃଷିଜାତ ସାମଗ୍ରୀ ଠାରୁ ଆରମ୍ଭ କରି କପଡା, ତେଜରାତି ସାମଗ୍ରୀ, ମାଛ-ଶୁଖୁଆ, ପରିବା ପତ୍ର, ଗାଈଗୋରୁ, ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଏକକାଳୀନ ଭାବେ ସୁବିଧାରେ କ୍ରେତାମାନେ ପାଇବା ସହ ବିକ୍ରେତାମାନେ ମଧ୍ୟ ଗୋଟିଏ ଦିନରେ ବିପୁଳ କାରବାର କରିବା ସୁବିଧା ମିଳୁଥିଲା। କାରଣ ସେହି ସମୟରେ ହାତ ପାଆନ୍ତରେ ବଜାର ସୁବିଧା ନଥିଲା। ରାସ୍ତାଘାଟ ଅଗମ୍ୟ ଥିଲା। ତେଣୁ ଜନସାଧାରଣ ଅପେକ୍ଷା କରି ରହୁଥିଲେ ହାଟ ବସିବା ଦିନକୁ। ଚାଷୀମାନେ ନିଜ ଅଂଚଳର ଉତ୍ପାଦିତ ସାମଗ୍ରୀ ବିକ୍ରୟ କରିବା ସହ ହାଟକୁ ବାହାରରୁ ବିକ୍ରେତାମାନେ ମଧ୍ୟ ନିର୍ବିଘ୍ନରେ ଆସି ବ୍ୟବସାୟ କରୁଥିଲେ। ଫଳରେ ହାଟଗୁଡିକ ସଂପର୍କ ସୃଷ୍ଟି କରୁଥିଲା। ହାଟଗୁଡିକ ମଧ୍ୟ ସ୍ୱୟଂ ନିୟନ୍ତ୍ରିତ ହେଉଥିଲା। ଏବେ ବଜାର ବୃଦ୍ଧି ସାଙ୍ଗକୁ ପ୍ରତ୍ୟେକ ଗାଁ ଛକମୁଣ୍ଡରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ବହୁ ଦୋକାନ ସୃଷ୍ଟି ହେଲାଣି। ରାସ୍ତାଘାଟର ଉନ୍ନତି ହେବା ଦ୍ୱାରା ସହରକୁ ଅବିଳମ୍ବେ ଯାଇ ଆବଶ୍ୟକୀୟ ଜିନିଷପତ୍ର କ୍ରୟ କରାଯାଇ ପାରୁଛି। ପୁନଶ୍ଚ ହାଟରେ ଏବେ ପୂର୍ବଭଳି ସମସ୍ତ ଜିନିଷପତ୍ର ଏକକାଳୀନ ଭାବେ ମିଳୁନାହିଁ। ବ୍ୟସ୍ତବହୁଳ ଜୀବନ ଯୋଗୁଁ ହାଟକୁ ଯାଇ ସଂପୂର୍ଣ୍ଣ ଭାବେ ଗୋଟିଏ କାର୍ଯ୍ୟ ଦିବସ ହରାଇବାକୁ କାହାରି ପାଖେ ସମୟ ବି ନାହିଁ। ହାଟର ରକ୍ଷଣାବେକ୍ଷଣ କରିବାକୁ ସରକାରୀ ଭାବେ କୌଣସି ପଦକ୍ଷେପ ନିଆଯାଉନାହିଁ। ମାତ୍ର କୌଳିକ ବୃତ୍ତିର କାରୀଗର କୁମ୍ଭରଙ୍କ ଦ୍ୱାରା ପ୍ରସ୍ତୁତ ମାଟିପାତ୍ର, ବଢେଇଙ୍କ ଦ୍ୱାରା ନିର୍ମିତ କାଠ ସାମଗ୍ରୀ, ମେହେରଙ୍କ ଦ୍ୱାରା ବୁଣାଯାଇଥିବା ବସ୍ତ୍ର, ଚମାରଙ୍କ ଦ୍ୱାରା ତାଳ ବରଡା ନିର୍ମିତ ପଖିଆ ଆଦି ସାମଗ୍ରୀ ବିକ୍ରି ବଟା ପାଇଁ ଏବେ ବି ହାଟର ଆବଶ୍ୟକତା ରହିଛି। ସରକାର କୃଷିଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ବିଜୁ କୃଷକ ବଜାର ସୃଷ୍ଟି କରିଛନ୍ତି। ସେହିଭଳି ପ୍ରାଚୀନ ହାଟଗୁଡିକର ପୁନରୁଦ୍ଧାର କରାଯାଇ ସୁନିୟନ୍ତ୍ରଣ କରିବାର ବ୍ୟବସ୍ଥା କରାଗଲେ କ୍ଷୁଦ୍ରଚାଷୀଙ୍କ ସମେତ ସାମଗି୍ରକ ଭାବେ ସମାଜର ସମସ୍ତ ବର୍ଗର ଲୋକେ ଉପକୃତ ହୋଇପାରନ୍ତେ।

Leave a Reply

Your email address will not be published. Required fields are marked *