ଓଡ଼ିଶା

ହଜିଯାଇଛି ମାନବିକତା :୭୦ହଜାର ଟଙ୍କା ପାଇଁ ଚିକିତ୍ସାଳୟରେ ବନ୍ଧା ପଡିଛି ଜୀବନ :ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

କେନ୍ଦୁଝର ୨୯-୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପ୍ଟଟନାୟକ) ଆଦିବାସୀ ଗରିବ ବିପିଏଲ ପରିବାରଟିଏ। ସେମାନଙ୍କର ଅଶିକ୍ଷିତତା ଓ ସରଳତାର ସୁଯୋଗ ନେଇ ରୋଗୀକୁ ଘରୋଇ ଚିକିତ୍ସାଳୟରେ ଭର୍ତ୍ତୀ କରି ପକେଟ ଗରମ କରି ଦଲାଲ ଚାଲିଗଲା। ହସପିଟାଲର ଖର୍ଚ୍ଚ ବହନ କରିବାକୁ ପାଖରେ ଅର୍ଥ ନଥିବାରୁ ସେଠାରେ ବନ୍ଧା ପଡିଛି ବିପିଏଲ ପରିବାରଟିର ରୋଗୀ। ଟଙ୍କା ଦିଅ ରୋଗୀକୁ ନିଅ, ଏପରି କଠୋର ନିଷ୍ପତି ଶୁଣାଇ ଦେଇଛନ୍ତି ସେହି ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ। ଏଭଳି ଏକ ସମ୍ବେଦନଶୀଳ ତଥ୍ୟ ରଖି ରୋଗୀର ମୁକ୍ତି ପାଇିଁ ଜିଲ୍ଲା ପ୍ରଶାସନର ଶରଣାପନ୍ନ ହୋଇଛନ୍ତି କେନ୍ଦୁଝର ଶଙ୍କିରୀ ଗ୍ରାମର ତୁଳସୀ ମୁଣ୍ଡା।

କେନ୍ଦୁଝର ସଦର ବ୍ଲକ ଶଙ୍କିରୀ ଗ୍ରାମର ଗରୀବ ଆଦିବାସୀ ଶୁକଲାଲ ମୁଣ୍ଡା ଏବଂ ତାଙ୍କ ଝିଅ କୁନ୍ତଳାଙ୍କୁ ଗତ ୧୭ ତାରିଖ ରାତି ଏକ ବିଷାକ୍ତ ସାପ କାମୁଡିଥିଲା। ଫଳରେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା। ସେଠାରେ ଝିଅ କୁନ୍ତଳାର ମୃତ୍ୟୁ ହୋଇଥିଲା ଏବଂ ଶୁକଲାଲଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ରେଫର କରିଦେଇ ନିଜ ଦାୟୀତ୍ୱ ସାରିଦେଇଥିଲେ। କିନ୍ତୁ ଗରୀବ ଶୁକଲାଲ କେମିତି କଟକ ଯିବ ସେନେଇ କେହିବି ଚିନ୍ତା କଲେନାହିଁ। ଅସହାୟ ଅବସ୍ଥାରେ ଥିବା ବେଳେ ଜଣେ ଦଲାଲ ୪ହଜାର ଟଙ୍କା ଦେଲେ ତାଙ୍କୁ କଟକ ପହଂଚାଇ ଦେବ ବୋଲି କହିଥିଲ। ଫଳରେ ଏହି ପରିବାରରେ ଆଶାର ସଞ୍ଚାର ହୋଇଥିଲା। ଏବଂ ଘରେ ସଂଚିତ ରଖିଥିବା ଟଙ୍କା ଏବଂ ସମ୍ପର୍କୀୟଙ୍କଠାରୁ ଧାର କରଜ କରି ଟଙ୍କା ଯୋଗାଡ କରି ଶୁକଲାଲ କଟକ ନେଇଥିଲେ। କିନ୍ତୁ ଦଲାଲ ଜଣଙ୍କ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ନେଇ କଟକ ବଡମେଡିକାଲ ପରିବର୍ତ୍ତେ ଲିଙ୍କରୋଡରେ ଥିବା ସିଲଭରସିଟି ନାମକ ଏକ ଘରୋଇ ହସପିଟାଲରେ ଭର୍ତ୍ତୀ କରିଦେଇଥିଲେ। ପ୍ରଥମାବସ୍ଥାରେ ସିଲଭରସିଟିର କର୍ତ୍ତୃପକ୍ଷ ୨୦/୨୫ ହଜାର ଟଙ୍କାରେ ଚିକିତ୍ସା ହୋଇଯିବ ବୋଲି କହିଥିଲେ। ଫଳରେ ଶୁକଲାଲଙ୍କ ପତ୍ନୀ ତୁଳସୀ ଘରେ ଥିବା ଛେଳି, ଗାଈ ଏବଂ ଧାନ ବିକି ଟଙ୍କା ଯୋଗାଡ କରି ହସପିଟାଲରେ ପୈଠ କରିଥିଲେ। କିନ୍ତୁ ହସପିଟାଲ କର୍ତ୍ତୃପକ୍ଷ ପୁଣି ଟଙ୍କା ମାଗିବାରୁ ତୁଳସୀ ଶେଷରେ ନିଜ ଘର ଖଣ୍ଡିକ ମଧ୍ୟ ବନ୍ଧା ପକାଇ ଆଉ ଟଙ୍କା ଆଣି ଦେଇଥିଲେ। ତୁଳସୀଙ୍କ କହିବା ଅନୁଯାୟୀ ବର୍ତମାନ ପର୍ଯ୍ୟନ୍ତ ସେ ୪୫ ହଜାର ଟଙ୍କା ଦେଇଥିଲେ ବି ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆହୁରି ୭୦ହଜାର ଟଙ୍କା ମାଗୁଛନ୍ତି।ଏବଂ ଟଙ୍କା ନ ଦେଲେ ରୋଗୀକୁ ଛଡାଯିବ ନାହିଁ ବୋଲି ସିଧାସଳଖ ଶୁଣାଇଦେଇଛନ୍ତି। ଏପରିକି ରୋଗୀକୁ ଦେଖାକରିବାକୁ ଅନୁମତି ମଧ୍ୟ ଦେଉନଥିବା ତୁଳସୀ ଅଭିଯୋଗ କରିଛନ୍ତି। ଶେଷରେ ଅନ୍ୟ ଉପାୟ ନପାଇ ସୋମବାର ଦିନ ତୁଳସୀ ଜିଲ୍ଲା ପ୍ରଶାସନର ଶରଣାପନ୍ନ ହୋଇ ନିଜ ସ୍ୱାମୀଙ୍କୁ ମୁକୁଳାଇବାକୁ ନିବେଦନ କରିଛନ୍ତି।

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଘଟଣାର ଅନୁଧ୍ୟାନ କରାଯିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଶୁକଲାଲର ମୁକ୍ତି ପାଇିଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top