ସ୍ୱେରେଜ ବୋର୍ଡ କାର୍ଯ୍ୟ ଯୋଗୁ ଲୋକେ ଅସୁବିଧାରେ!

ରାଉରକେଲା ୨୯-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସମେତ ମହାନଗର ନିଗମର ଛେଣ୍ଡ ଅଂଚଳରେ ସ୍ୱେରେଜ ବୋର୍ଡ କାର୍ଯ୍ୟ ଚାଲୁଅଛି। ଏହି କାର୍ଯ୍ୟ ଚାଲିବା ଦ୍ୱାରା ମହାନଗର ନିଗମ ଅଂଚଳର ବହୁ ଅଂଚଳ ଧୂଳି ଧୂଆଁରେ ପୂର୍ଣ୍ଣ ହୋଇ ଯାଇଛି। ଏହା ଫଳରେ ଲୋକ ମାନଙ୍କୁ ବହୁ ଅସୁବିଧାର ସମ୍ୁଖୀନ ହେବାକୁ ପଡ଼ୁଛି। ଏକ କମ୍ପାନୀ ପକ୍ଷରୁ ସ୍ୱେରେଜ ପାଇପଲାଇନ ସଂଯୋଗ ନିମନ୍ତେ ରାସ୍ତା ଖୋଳି କାମ ଚାଲିଛି। ସ୍ୱେରେଜ ବୋର୍ଡ ଖୋଳୁଥିବା ରାସ୍ତା ଗୁଡ଼ିକ ସଠିକ ଭାବେ ଯାତାୟତ ଉପଯୋଗୀ କରୁନଥିବାରୁ ଲୋକେ ତ୍ରାହୀ ତ୍ରାହୀ ଡାକିଲେଣି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଧୂଳି ଧୂଆଁରେ ଶିଶୁ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାକୁ ପଡ଼ୁଛି। ବିଶେଷ କରି ସ୍କୁଲ କଲେଜ, ପଢୁଆ ଛାତ୍ରଛାତ୍ରୀ ମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି। ଏବେ କଲୋନୀ ବାସୀଙ୍କୁ ଚିନ୍ତା ଘାରିଛି ଯେ, କେବେ ସ୍ୱେରେଜ ବୋର୍ଡ କାର୍ଯ୍ୟ ସରିବ! ବିଗତ ଦିନରେ ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଅ ଭରି ଯାଇଥିଲା ଓ ଏହାପରେ ରାସ୍ତା ଅଧିକ ଗଭୀର ହୋଇ ଯାଇଥିଲା। ଦୁଇ ପାର୍ଶ୍ୱ ହିଡ଼ ଭଳି ରହୁଥିବା ବେଳେ ମଝି ଅଂଶ ଖାଲ ହୋଇ ଯାଇଛି। ଛୋଟ ଛୋଟ ପିଲା ପିଠିରେ ଓଜନିଆ ବ୍ୟାଗ ରଖି ସ୍କୁଲ ଯାଉଥିବା ବେଳେ ଏସବୁ ଯୋଗୁ ରାସ୍ତାରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା ଦେଖିବାକୁ ମିଳିଛି। କୌଣସି ଅଂଚଳରେ ସ୍ୱେରେଜ ବିଛା ପାଇପ ପରେ ରାସ୍ତା ପିଚୁ ଅବବା କଂକ୍ରିଟ ହୋଇ ନାହିଁ। ଫଳରେ ଦୁର୍ଘଟଣାର ହାର ବଢିବାରେ ଲାଗିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *