ହାଟଡ଼ିହି, ୧୨। ୯ (ଓଡ଼ିଆ ପୁଅ) : ଓଡିଶା ସ୍ୱାସ୍ଥ୍ୟମିଶନ ସଂଘର ୬ଦଫା ଦାବିନେଇ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱାରା ସମଗ୍ର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଛି। ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମସ୍ତ ଡାକ୍ତରଖାନାରେ ବର୍ତ୍ତମାନ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି। ଏହାଦ୍ୱାରା ଗତ ସୋମବାରରେ ହେବାକୁଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇପାରି ନାହିଁ। ଟୀକା ଯୋଗାଣ ବନ୍ଦ ଯୋଗୁଁ ସମସ୍ତ ଟୀକା ଉପଲବ୍ଧ ହୋଇପାରୁନି। ଫଳରେ ଶିଶୁମାନେ ସଂପୁର୍ଣ୍ଣ ଟୀକାରଣରୁ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀମାନେ ମାସର ୧୦ତାରିଖରେ ନିଜର ପ୍ରାପ୍ୟ ପାଇବାପାଇଁ ନିୟମ ଥିବାସ୍ଥଳେ ଏହା ଦିଆଯାଇ ପାରିନାହିଁ। ଆଶାକର୍ମୀମାନେ ନିଜର ପ୍ରାପ୍ୟ ପାଇନଥିବାରୁ ଆଗାମି ଦିନରେ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଆଗାମି ଦିନରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ବ୍ୟାହତ ହେବାର ସମ୍ଭାବନା ଦେଖା ଦେଇଛି। ଏହା ସହିତ ଜନନୀ ସୁରକ୍ଷା ଯୋଜନା, କୁଷ୍ଠ ନିରାକରଣ ଅଭିଯାନ, ମିଶନ ଇନ୍ଦ୍ରଧନୁସ,, ଭିଟାମିନ ଏ, କୃମୀନାଶକ ଦିବସ, ମେଲେରିଆ ନିରାକରଣ, ଯକ୍ଷ୍ମା ନିୟନ୍ତ୍ରଣ ଓ ଔଷଧ ବିତରଣ ଆଦି ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ବନ୍ଦ ହେବାର ସମ୍ଭାବନା ଦେଖା ଦେଇଛି। ଗାଁ କଲ୍ୟାଣ ସମିତି ଓ ରୋଗୀକଲ୍ୟାଣ ସମିତିର ବିନିଯୋଗ ସଂପୂର୍ଣ୍ଣ ଠପ ହୋଇଯାଇଛି। ଆଗାମି ଦିନରେ ମିଶନ କର୍ମଚାରୀଙ୍କ ଦାବି ସରକାର ନମାନିଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଧର୍ମଘଟରେ ସାମିଲ ହୋଇଥିବା ହାଟଡିହି ବ୍ଲକର ସଂଘ ନେତାମାନେ ଜଣାଇଛନ୍ତି।
