ସ୍ୱାସ୍ଥ୍ୟ ବିଭାଗର ୨୨୪ ଗ୍ରୁପ୍‘ଡି’ ଠିକା କର୍ମଚାରୀ ସ୍ଥାୟୀ ହେଲେ

ଭୁବନେଶ୍ୱର, ୪ା୪ (ଓଡ଼ିଆ ପୁଅ) : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଅଧିନରେ ୧୦ ବର୍ଷ ଧରି ଠିକାରେ ନିଯୁକ୍ତି ଥାଇ ଦୈନିକ ମଜୁରୀ ଭିତ୍ତିରେ ୧୩ଗୋଟି ଜିଲ୍ଲା ଯଥା- କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଦେବଗଡ଼, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଜଗତ୍ସିଂହପୁର, ମୟୁରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଓ ମାଲକାନାଗିରି ଆଦି ବିଭିନ୍ନ ଚିକିତ୍ସାଳୟମାନଙ୍କରେ କାର୍ଯ୍ୟରତ ଥିବା ୯୬ ଆଟେଣ୍ଡାଣ୍ଟ, ୯୦ ସୁଇପର, ୨୭ ସିନିୟର ହେଲପର, ୭ ଆଇ.ଏଫ୍.ଡବ୍ଲ୍ୟୁ, ୨ ରୋଷେଆ, ୧ଜଣ ପିଅନ, ୧ଜଣ ଧୋବି ଏହିପରି ୨୨୪ଜଣ ସ୍ଥାୟୀ ନିଯୁକ୍ତି ପାଇବା ପାଇଁ ବିଳମ୍ବରେ ହେଲେବି ସ୍ୱାସ୍ଥ୍ୟ ବିଭାଗ ଆଦେଶ ଜାରି କରିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ରିଜୋଲୁ୍ୟସନ୍ ନଂ- ୨୬୧୦୮, ତାରିଖ ୧୭.୦୯.୨୦୧୩ ଓ ନଂ- ୧୦୬୬, ତାରିଖ ୧୬.୦୧.୨୦୧୪ରିଖର ନିଷ୍ପତ୍ତିକ୍ରମେ ସ୍ୱାସ୍ଥ୍ୟ ବିଭାଗ ପତ୍ର ସଂଖ୍ୟା ୯୯୩୪-୬୦ ତାରିଖ ୨୯.୦୩.୨୦୧୮ରେ ନିର୍ଦ୍ଦେଶ ଜାରି କରି ପ୍ରଚଳିତ ନୀତିନିୟମ ଅନୁଯାୟୀ ସ୍ଥାୟୀ ନିଯୁକ୍ତିପତ୍ର କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆଦେଶ ରହିଛି। ପ୍ରକାଶଯୋଗ୍ୟଯେ, ୨୦୧୪ ଓ ୨୦୧୬ ମସିହାରେ ୮୫୩ଜଣ ଆଟେଣ୍ଡାଣ୍ଟ ଓ ସୁଇପର ସ୍ଥାୟୀ ନିଯୁକ୍ତି ପାଇସାରିଛନ୍ତି। ଏହି ୨୨୪ଜଣଙ୍କୁ ସ୍ଥାୟୀ ନିଯୁକ୍ତିରେ ଅବସ୍ଥାପିତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ, ବିଧି ବିଭାଗ ଓ ଅର୍ଥ ବିଭାଗର ଅନୁମୋଦନ ଲୋଡ଼ି ସ୍ୱାସ୍ଥ୍ୟ ବିଭାଗ ଶେଷରେ ନିଯୁକ୍ତି ପ୍ରଦାନ କରିଥିବାରୁ ଓଡ଼ିଶା ରାଜ୍ୟ ସରକାରୀ ଅଣରେଗୁଲାର କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସାଧାରଣ ସମ୍ପାଦକ ଗଗନ ଭଞ୍ଜ, ସଭାପତି ଗିରିଶ ନନ୍ଦ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଅନ୍ୟ ବିଭାଗ ଯଥା- ବାଣିଜ୍ୟ ଓ ପରିବହନ, କୃଷି, ପଞ୍ଚାୟତିରାଜ, ପୂର୍ତ୍ତ, ସେଚ, ଗ୍ରାମ ନିର୍ମାଣ ଓ ନଗର ଉନ୍ନୟନ ଆଦି ବିଭାଗ ଗୁଡ଼ିକରେ ୨୫ ରୁ ୩୦ ବର୍ଷ ଧରି କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବାକୁ ସମନ୍ୱୟ ସମିତି ଦାବି କରିଛି।

Leave a Reply

Your email address will not be published. Required fields are marked *