ସ୍ୱାଧୀନତା ସଂଗ୍ରାମର ଅଲିଭା ସ୍ୱାକ୍ଷର ଶହିଦ୍ ଭଗତ ସିଂ ଓଏସ୍ଏପି ଉଚ୍ଚବିଦ୍ୟାଳୟରେ ଶହିଦ୍ ଦିବସ ପାଳିତ

ରାଉରକେଲା ୨୫-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଓଏସ୍ଏପି ଉଚ୍ଚବିଦ୍ୟାଳୟ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଶହିଦ୍ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି କୁଞ୍ଜ ବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରୀ ଦିବ୍ୟାଶ୍ରୀ ସ୍ୱାଇଁ, ରାଜୁ ମାଝି ଓ ପ୍ରଦ୍ୟୁମ୍ନ ଜେନାମଣି ଶହିଦ୍ଙ୍କ ଉଦ୍ଦେଶ୍ୟରେ କବିତା ଓ ପ୍ରବନ୍ଧ ପାଠ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ନିଜ ବକ୍ତବ୍ୟରେ କହିଲେ ଯେ, ଶହିଦ୍ ଭଗତ ସିଂ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମର ଅଲିଭା ସ୍ୱାକ୍ଷର। ସ୍ୱାଧୀନଚେନା ଭଗତଙ୍କ ମୂଳଲକ୍ଷ୍ୟ ଥିଲା ସାମ୍ରାଜ୍ୟବାଦର ଲୋପ ସହ ଶ୍ରେଣୀହୀନ ଓ ସ୍ୱାଧୀନ ସମାଜ ଗଠନ। ତାଙ୍କ କାର୍ଯ୍ୟକଳାପ ତକ୍ରାଳୀନ ବ୍ରିଟିଶ ସରକାରଙ୍କୁ ଏତେ ଉଦ୍ବେଳିତ କରିଥିଲା ଯେ, କଳେବଳେ କୌଶଳେ ତାଙ୍କୁ ବନ୍ଦୀ କରି ନିୟମ ବିରୁଦ୍ଧ ଭାବେ ଫାଶୀ ପ୍ରଦାନ କରିଥିଲେ। ଖାଲି ଭଗତ ସିଂ ନୁହଁନ୍ତି ତାଙ୍କର ଅନ୍ୟତମ ଦୁଇ ବନ୍ଧୁ ଶୁଖଦେବ ଓ ରାଜଗୁରୁଙ୍କୁ ମଧ୍ୟ ଫାଶୀ ଦେଇଥିଲେ। ତେବେ ସେମାନଙ୍କ ଏହି ବଳିଦାନ ସେମାନଙ୍କୁ ଚିର ଅମର କରି ରଖିଛି। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ କହିଲେ ଯେ, ଭଗତ ସିଂ ଜଣେ କ୍ରାନ୍ତିକାରୀ ବ୍ୟକ୍ତିତ୍ୱ ଥିଲେ। ଦେଶ ମାତୃକାର ସେବା ଦେଶପ୍ରେମ ଓ ଜାତି ପାଇଁ ଉତ୍ସର୍ଗୀକୃତ ସେବା ମନୋଭାବର ସେ ଥିଲେ ଜ୍ୱଳନ୍ତ ନିଦର୍ଶନ। ବ୍ରିଟିଶ ଶାସକଙ୍କ ଅନ୍ୟାୟ, ଅତ୍ୟାଚାର, ଶୋଷଣ ଏବଂ ଯେସାକୁ ତେସା ନୀତିରେ ଇଂରେଜଙ୍କୁ ହତ୍ୟା କରି ବ୍ରିଟିଶ ଶିବିରରେ ଭୟର ବାତାବରଣ ଖେଳାଇ ଦେଇଥିଲେ। ୧୯୧୯ ଏପ୍ରିଲ ୧୩ରେ ଘଟିଥିବା ଜାଲିଆନାୱାଲାବାଗ୍ର ନରସଂହାର ସ୍ଥଳରୁ ରକ୍ତଭିଜା ମାଟି ସଂଗ୍ରହ କରି ମାତ୍ର ୧୨ ବର୍ଷର ବାଳକ ଭଗତ ସେଦିନ ରକ୍ତ ଶପଥ ନେଇଥିଲେ ଏହାର ଯଥୋଚିତ ପ୍ରତିଶୋଧ ନେବାପାଇଁ। ଏଥିପାଇଁ ସେ ବିଭିନ୍ନ ସଙ୍ଗଠନ ଓ ବିଭିନ୍ନ ଉପାୟରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଥିଲେ। ଯଦିଓ କୁଚକ୍ରାନ୍ତକାରୀ ତକ୍ରାଳୀନ ବ୍ରିଟିଶ ସରକାର ଶେଷରେ ତାଙ୍କୁ ଓ ତାଙ୍କର ଅନ୍ୟତମ ଦୁଇସାଥୀଙ୍କୁ ଫାଶୀ ଦେଇଥିଲେ ତେବେ ସେହିଦିନରୁ ସ୍ୱାଧୀନତା ପାଇଁ କ୍ରାନ୍ତିକାରୀଙ୍କ ମଧ୍ୟରେ ଦେଶକୁ ସ୍ୱାଧୀନ କରିବା ପାଇଁ ବଜ୍ର ଶପଥ ନେଇଥିଲେ। ଅଧ୍ୟକ୍ଷତା କରୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଭଗତ ସିଂଙ୍କୁ ବିପ୍ଳବର ସୂର୍ଯ୍ୟ ଭାବେ ଅଭିହିତ କରି ତାଙ୍କ କାର୍ଯ୍ୟକଳାପ ଓ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ଦେଶପ୍ରେମୀ ଭଗତ ସିଂ ଓ ତାଙ୍କର ଦୁଇସାଥୀ ସମଗ୍ର ଭାରତ ବର୍ଷରେ ଯେଉଁ ଉନ୍ମାଦନା ଖେଳାଇଥିଲେ ତାହା ଅନନ୍ୟ ବୋଲି ସେ ଉଲ୍ଲେଖ କରିଥିଲେ। ବରିଷ୍ଠ ଶିକ୍ଷକ ଉମାକାନ୍ତ କରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକାଶ ମହାନ୍ତି, ବିଜୟାଲକ୍ଷ୍ମୀ ସ୍ୱାଇଁ, ଅଚଳା ମିଶ୍ର, ସୁଶାନ୍ତ କୁମାର ବିଶ୍ୱାଳ, ପଦ୍ମନାଭ ଦାସ ଓ ସ୍ୱର୍ଣ୍ଣପ୍ରଭା ଗୌଡ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *