ସ୍ୱର୍ଗଦ୍ୱାରେ ବିଦାୟର ବେଳେ…

– ପ୍ରଶାନ୍ତ କୁମାର ବେହେରା

ମୁଁ ତ ଏବେ
ପ୍ରେମରେ, ମୋହରେ
ଆଉ ମିଛ ମାୟାରେ
ମସଗୁଲ୍ ଅଛି।
କିଏ ଜାଣେ
ମୁକ୍ତିର ପଥ
ସ୍ୱର୍ଗଦ୍ୱାର
ମୋ’ ପାଇଁ
କେତେ ଦୂର?
ଭାବନାରେ ଛନ୍ଦିହୋଇ
ସମୟକୁ ଜାଳିଛି।
ସ୍ୱପ୍ନରେ ମୋହାଛନ୍ନ ହୋଇ
ଅତୀତକୁ ଝୁରିଛି।
ପାପ ପୂଣ୍ୟର ଲଢେଇ ଭିତରେ
ବିବେକର ଦଂଶନରେ
ତୁହାକୁ ତୁହା
ଯନ୍ତ୍ରଣାକୁ ସହିଛି।
ପ୍ରେମିକାର ରୂପରେ
ବିଭୋର ହୋଇ
ପୂର୍ଣ୍ଣ ଜହ୍ନକୁ
ଅମାବସ୍ୟାର ରାତ୍ରିରେ ଦେଖିଛି।
ତା’ ପ୍ରେମରେ
ହତାଶ ହୋଇ
ଅନ୍ଧାର ରାତ୍ରିକୁ
ପୂର୍ଣ୍ଣିମାରେ ଭେଟିଛି।
ଏବେ ସ୍ୱର୍ଗଦ୍ୱାରେ
ବିଦାୟର ବେଳେ
ସମୁଦ୍ର ଲହଡ଼ିର ଘୁ’ ଘୁ’
ଗୁରୁଗମ୍ଭୀର ଗର୍ଜନ
ଶୁଭୁ କି ନ ଶୁଭୁ,
କିନ୍ତୁ ଠିକ୍ ଶୁଭୁଥିବ
ରାମ ନାମ ସତ୍ୟ ହେ
ହରି ନାମ ସତ୍ୟ ହେ।
ଆଉ ତା’ପରେ
ହୁତୁ ହୁତୁ ହୋଇ
ଜଳିଉଠିବ
ମୋ ଜୀବନ ଜୁଇ।

ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର

Leave a Reply

Your email address will not be published. Required fields are marked *