ସ୍ୱର୍ଗତ ପତିତପାବନ ପରିଡ଼ା ଓଡ଼ିଶାର ବିକାଶ ଚିନ୍ତା କରୁଥିଲେ

ଭୁବନେଶ୍ୱର, ୮ା୭ (ଓଡ଼ିଆ ପୁଅ) : ଓଡ଼ିଶାର ଅପ୍ରତିଦ୍ୱନ୍ଦ୍ୱି ନେତା, ଲେଖକ, ସ୍ତମ୍ଭକାର, ଜଣେ ସାମ୍ୟବାଦ ଚିନ୍ତାଧାରାର ବ୍ୟକ୍ତିତ୍ୱ, କର୍ମଚାରୀ ଜଗତର ଧ୍ରୁବତାରା, ଗଣଆନ୍ଦୋଳନର ସ୍ରଷ୍ଟା ସ୍ୱର୍ଗତ ପତିତପାବନ ପରିଡ଼ା ଓଡ଼ିଶାର ବିକାଶ ଦିଗରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ବୋଲି ପତିତପାବନ ପରିଡ଼ାଙ୍କ ତ୍ରୟୋଦଶ ଶ୍ରାଦ୍ଧବାର୍ଷିକ ସ୍ମୃତି ସନ୍ଧ୍ୟାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଛନ୍ତି। ସେ କହିଛନ୍ତି ଯେ, ସ୍ୱର୍ଗତ ପରିଡ଼ା କେବଳ କର୍ମଚାରୀ ଓ ଶିକ୍ଷକ ନେତା ନଥିଲେ, ସେ ଓଡ଼ିଶାର ବିକାଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ପାରାଦ୍ୱୀପ ବନ୍ଦର, ଧାମରା ବନ୍ଦର, ଗୋପାଳପୁର ବନ୍ଦର ପୁର୍ନବିକାଶ ପାଇଁ ତାଙ୍କ ଉଦ୍ୟମପ ଉଲ୍ଲେଖନୀୟ ଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ଏବଂ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ସ୍ମୃତିସଭାରେ ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ସଂଗଠନବିତ୍ କର୍ମଚାରୀ ନେତା ଚୈତନ୍ୟ ଚରଣ ନାୟକ, ଆନନ୍ଦ ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ଜେନା ଓ ମୀନାମଞ୍ଜରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କୁଳମଣି ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ନରସିଂହ ଆଚାରୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଦୀପ୍ତ କୁମାର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଭିନ୍ନ ସଂଗଠନର ପ୍ରମୁଖ ନେତୃବୃନ୍ଦ ଓ ସ୍ୱର୍ଗତ ପରିଡ଼ାଙ୍କ ସହଯୋଗୀ ସାଥୀ ସର୍ବଶ୍ରୀ ଅନୀଲ କୁମାର ମହାନ୍ତି, ଜଗନ ମୋହନ ସାହୁ, ଲୋକନାଥ ରଥ, ବଳରାମ ପ୍ରସାଦ ବସୁ ମଲ୍ଲିକ, ଦୁର୍ଗାଚରଣ ନାୟକ, ପ୍ରଫେସର ବିଭୂଦତ୍ତ ପରାସର, ଲକ୍ଷ୍ମୀଧର ସାମନ୍ତସିଂହାର, ଗଗନ ଭଞ୍ଜ, ରବିନ୍ଦ୍ରନାଥ ଦାସ, ବିଭୂତି କାନୁନ୍ଗୋ, ଶ୍ୟାମସୁନ୍ଦର ଦାସ, ଅଶୋକ ଚୌଧୁରୀ, ଆଶୀଷ ନନ୍ଦ, ଗଙ୍ଗାଧର ସ୍ୱାଇଁ, ପ୍ରମୋଦ ପ୍ରଧାନ, ସଭାପତି ସାରଦା ପ୍ରସାଦ ମହାନ୍ତି ତାଙ୍କର ଅଭିଭାଷଣ ରଖିଥିବା ବେଳେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *