ସ୍ୱଛଭାରତ ଅଭିଯାନକୁ ଉପହାସ, ଐତିହାସିକ ଗଡଖାଇ ପୁନରୁଦ୍ଧାର ଦାବିରେ ଅଭିନବ ପ୍ରତିବାଦ, ଆବର୍ଜନା ଗଦାରେ ଉଡିଲା ତ୍ରିରଙ୍ଗା

ବୌଦ୍ଧ,୧୭ା୮ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କେନ୍ଦ୍ରର ଏନଡିଏ ସରକାର ସ୍ୱଛ ଭାରତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଏହାକୁ କଡାକଡି ଭାବରେ କାର୍ଯ୍ୟକାରୀ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ନେବା ସହ ପାଣିପରି ଅର୍ଥ ବୁହାଇ ଚାଲିଛନ୍ତି । ୭୧ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଜିଲାସ୍ତରୀୟ ପ୍ୟାରେଡରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ଜିଲାପାଳ ପର୍ଯ୍ୟନ୍ତ ସ୍ୱଛ ଭାରତ ଗଠନରେ ନିଜର ଭାଗିଦାରୀକୁ ନିଷ୍ଠାର ସହିତ ପାଳନ କରିବା ପାଇଁ ତି୍ରରଙ୍ଗା ତଳେ ଆହ୍ୱାନ ଜଣାଇଛନ୍ତି । କିନ୍ତୁ ବିକାଶ କ୍ଷେତ୍ରରେ ବହୁ ପଛରେ ପଡିଥିବା ବୌଦ୍ଧ ଜିଲାରେ ସ୍ୱଛଭାରତ କାର୍ଯ୍ୟକ୍ରମ ଧର୍ମକୁ ଆଖିଠାର ଭଳି ଚାଲୂ ରହିଥିବା ଅଭିଯୋଗ ହୋଇଛି । ଐତିହାସିକ ବୌଦ୍ଧ ସହହର କେନ୍ଦ୍ରସ୍ଥଳରେ ଅନେକ ଇତିହାସର ମୁକସାକ୍ଷୀ ଭାବରେ ଆଜି ପର୍ଯ୍ୟନ୍ତ ରହିଥିବା ଗଡଖାଇ(ଜରୀଖଣ୍ଡି) ଏବେ ଅବାର୍ଜନା କୁଣ୍ଡରେ ପରିଣତ ହେବା ସହିତ ଏନଏସି ପକ୍ଷରୁ ଏହାକୁ ବିଲୀନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହାରି ପ୍ରତିବାଦରେ ବୌଦ୍ଧର ବୁଦ୍ଧିଜିବୀମାନେ ଗଡଖାଇରେ ଏନଏସି ପକ୍ଷରୁ ଜମା କରାଯାଉଥିବା ଆବର୍ଜନା ଗଦା ଉପରେ ତି୍ରରଙ୍ଗା ଉଡାଇ ଏହାର ସୂରକ୍ଷା ପାଇଁ ଅଭିନବ ପ୍ରତିବାଦ ଜଣାଇଛନ୍ତି । ଏହାକୁ ନେଇ ଏବେ ବୌଦ୍ଧ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶତ୍ରୁମାନଙ୍କ ଆକ୍ରମଣରୁ ରାଜପ୍ରାସାଦକୁ ରକ୍ଷା କରିବା ପାଇଁ ବୌଦ୍ଧର ରାଜା ଏହି ଗଡଖାଇ ଖୋଳାଇ ମହାନଦୀର ପାଣିକୁ ଗଡଖାଇ ମଧ୍ୟରେ ପ୍ରବେଶ କରାଇଥିଲେ । ଫଳରେ ବୌଦ୍ଧ ରାଜପ୍ରାସାଦ ଗଡଖାଇର ମଝିରେ ଗଭୀର ମହାନଦୀ ଜଳ ପ୍ରବାହିତ ହେବା ଦ୍ୱାରା ସୁରକ୍ଷିତ ରହିଥିଲା । ରାଜତନ୍ତ୍ରର ଅବସାନ ପରେ ଏସବୁ ଇତିହାସ ହୋଇସାରିଥିବାବେଳେ ଗଡଖାଇର ସୂରକ୍ଷା ଅଭାବରୁ ଏହା ସହରର ଆବର୍ଜନା କୁଣ୍ଡରେ ପରିଣତ ହୋଇସାରିଛି । ଏନଏସି ପକ୍ଷରୁ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ସହରର ଅଧିକାଂଶ ଡ୍ରେନ ପାଣି ଗଡଖାଇ ମଧ୍ୟରେ ମିଶିବା ପରେ ମହାନଦୀକୁ ନିଷ୍କାସିତ ହୋଇଥାଏ । ଏହି ଗଡଖାଇକୁ ପୁନରୁଦ୍ଧାର କରିବା ପାଇଁ ପୂର୍ବରୁ ଏନଏସି ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ତେବେ ବର୍ତମାନ ବୌଦ୍ଧ ସହରକୁ ଯୋଜନାବଦ୍ଧ ଭାବରେ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ କାମ ଆରମ୍ଭ ହୋଇଥିବାବେଳେ ଗଡଖାଇର ପୁନରୁଦ୍ଧାର ପାଇଁ ଜଣେ ଆର୍କିଟେକ୍ ଛାତ୍ରୀ ସୋନମ୍ ଷଡଙ୍ଗୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୁଶ୍ରୀ ଷଡଙ୍ଗୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟରେ ଗଡଖାଇର ଜଳକୁ ପୁନଃ ବ୍ୟବହାର ଉପଯୋଗୀ କରାଯିବା ସହିତ ଏହାକୁ ବୋଟିଂ କ୍ଲବ କରାଯିବା,ଗଡଖାଇର କୂଳକୁ ଯୋଜନା ବଦ୍ଧ ଭାବରେ ମାର୍କେଟ କଂପ୍ଲେକ୍ସ,ପାର୍କିଂ ଅଞ୍ଚଳ,ବୁଦ୍ଧବିହାର ଓ ଉଦ୍ୟାନ ସୃଷ୍ଟି କରାଯାଇ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ତେବେ ଜିଲାପାଳ ଆର୍କିଟେକ୍ ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରୋଜେକ୍ଟକୁ ପ୍ରଶଂସା କରିବା ସହିତ ଏହାକୁ କାର୍ଯ୍ୟକାରୀ କରାଇବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ଏନଏସି କର୍ତୃପକ୍ଷ ନିଜ ଜିଦରେ ଅଟଳ ରହି ପ୍ରତିଦିନ ସହରରୁ ସଂଗୃହୀତ ଆବର୍ଜନାକୁ ଗଡଖାଇ ପୋତିବା କାର୍ଯ୍ୟରେ ବ୍ୟବହାର କରୁଥିବା ଦେଖାଯାଉଛି । ଏନଏସି ନିକଟରେ ଆବର୍ଜନା ପକାଇବା ପାଇଁ ବିକଳ୍ପ ନଥିବାରୁ ଗଡଖାଇ ମଧ୍ୟରେ ଏହାକୁ ପକାଯାଉଥିବା କୁହାଯାଉଛି । ତେବେ ଗୋଟିଏ ପଟେ ସ୍ୱାଧିନତା ଦିବସରେ ଆବର୍ଜନା ଗଦାରେ ଜାତୀୟ ପତାକା ଉତ୍ତୋଳନ କରାଯାଉଥିବାବେଳେ ସେହି ସମୟରେ ଏନଏସି ଟ୍ରାକ୍ଟର ଦ୍ୱାରା ଅବାର୍ଜନା ପକାଯାଉଥିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଗଡଖାଇର ସୂରକ୍ଷା ପାଇଁ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ସ୍ଥାନୀୟ ଲୋକମାନେ ଆଗାମୀ ଦିନରେ ଗଡଖାଇର ସୂରକ୍ଷା ପାଇଁ ଆନେ୍ଦାଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *