ଜିଲ୍ଲା ପରିକ୍ରମା

ସ୍ୱଚ୍ଛ ଭାରତ ମିଶନ ଦିଗହରା ଶୌଚାଳୟ ନିର୍ମାଣ ପରେ ହିତାଧିକାରୀଙ୍କୁ ପ୍ରାପ୍ୟ ମିଳୁନି

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଖୋଲା ସ୍ଥାନରେ ଶୌଚ ମନା। ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଚାର ପ୍ରସାର ଜୋରଦାର କରାଯାଉଛି। ମଳ ମୁକ୍ତ ଅଞ୍ଚଳ କରିବା ଲକ୍ଷ୍ୟ। ସ୍ୱଚ୍ଛ ଭାରତ ମିଶନ ଜରିଆରେ ପାଇଖାନା ନିର୍ମାଣ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପାଇଖାନା ନିର୍ମାଣ ପରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଳୁନି। ଟଙ୍କା ପାଇଁ ହିତାଧିକାରୀଙ୍କୁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳକୁ ଦୌଡିବାକୁ ପଡୁଛି। ଶୌଚାଳୟ ନିର୍ମାଣ କରି ବ୍ଲକରେ ଶତାଧିକ ହିତାଧିକାରୀ ବାରଦ୍ୱାର ହେଉଥିବା ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ବିଡିଓ ବୀରକିଶୋର ପାଣିଗ୍ରାହୀ। ଯେଉଁମାନେ କାର୍ଯ୍ୟାଦେଶ ପାଇ କାମ କରିଛନ୍ତି କାଗଜପତ୍ର ଧରି ମୋ ପାଖକୁ ଆସିଲେ ତାଙ୍କ କଥା ବୁଝାଯିବ ବୋଲି ସେ କହିଛନ୍ତି। ଶୌଚାଳୟ ନିର୍ମାଣ ସରିବାର କାହାର ୩ ମାସ ତ ଆଉ କାହାର ୬ ମାସ ପୂରିଲାଣି। ଆଜି ପର୍ଯ୍ୟନ୍ତ ଟଙ୍କା ମିଳୁନି। ସୁଦର୍ଶନପୁର ପଞ୍ଚାୟତ ମିରିଗା ଗାଁର ନରେନ୍ଦ୍ର ଧଳ ଗତ ୨୦୧୬/ ୧୭ ଆର୍ଥିକ ବର୍ଷ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ଧାରଉଧାର କରି ପାଇଖାନା ନିର୍ମାଣ କଲେ। ୫ ମାସ ହେଲା ପାଇଖାନା ନିର୍ମାଣ କରି ଫଟୋକପି ସହିତ ଆବଶ୍ୟକ କାଗଜପତ୍ର ପଞ୍ଚାୟତ ଜରିଆରେ ବ୍ଲକରେ ଦାଖଲ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କୁ ପାଇଖାନା ଟଙ୍କା ମିଳୁନି। ସେହିପରି ଅଫୁଲା ଗାଁର ମାନସ ନାୟକଙ୍କ ସମଦଶା। ୨୦୧୬/୧୭ ଆର୍ଥିକ ବର୍ଷରେ ତାଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ମାନସଙ୍କ ଭାଇ ରବୀନ୍ଦ୍ର ୪ ମାସ ହେଲା ପାଇଖାନା କାମ ଶେଷ କରି କାଗଜପତ୍ର ପୈଠ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କୁ ପ୍ରୋତ୍ସାହନ ଟଙ୍କା ମିଳୁନି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ପାଇଖାନା ପାଇଁ ଟଙ୍କାର ପରିମାଣ ଯାହା ରହିଛି, ସେହି ଟଙ୍କାରେ ପାଇଖାନା ନିର୍ମାଣ କରିବା ସମ୍ଭବ ନୁହେଁ ବୋଲି ହିତାଧିକାରୀମାନେ କହିଛନ୍ତି। ସେଥିପାଇଁ ଧାରଉଧାର କରି ପାଇଖାନା ନିର୍ମାଣ କାମ ସାରିବା ପରେ ବି ଟଙ୍କା ମିଳୁ ନଥିବାରୁ ବହୁ ହଇରାଣ ହେବାକୁ ପଡୁଛି। ସେହିପରି ବିଳାସ ରାଉଳ, ପ୍ରଶାନ୍ତ ରାଉଳ, ପୁରୁଷୋତ୍ତମ ଧଳ ପାଇଖାନା ନିର୍ମାଣ ଶେଷ କରି ଫଟୋକପି ସହ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ବି ତାଙ୍କୁ ଟଙ୍କା ମିଳୁନି। କେବଳ ଅଫୁଲା, ମିରିଗା, ସୁଦର୍ଶନପୁର ଗାଁର ପାଇଖାନା ହିତାଧିକାରୀଙ୍କ ଏହି ସମସ୍ୟା ରହିଛି ତାହା ନୁହେଁ, ବ୍ଲକର ସବୁ ପଞ୍ଚାୟତରେ ଏହି ସମସ୍ୟା ଦେଖାଦେଇଛି। କାର୍ଯ୍ୟାଦେଶ ପାଇ ହିତାଧିକାରୀମାନେ କାମ ଶେଷ କରିଥିଲେ ବି ଟଙ୍କା ମିଳୁନି। ଫଳରେ ସ୍ୱଚ୍ଛ ଭାରତ ମିଶନ ଦିଗହରା ହେଉଛି। ସୂଚନା ଅନୁସାରେ, ବ୍ଲକ ପକ୍ଷରୁ ଦଶ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିମଧ୍ୟରୁ ୩ ହଜାର ୯୮୦ ଜଣ ହିତାଧିକାରୀ ପ୍ରୋତ୍ସାହନ ରାଶି ପାଇଛନ୍ତି। ବାକି କାହାର କାମ ଅଧା ହୋଇଛି ଓ ଆଉ କାହାର କାଗଜପତ୍ରରେ ତୃଟି ଥିବାରୁ ଏହି ଅର୍ଥ ଦିଆଯାଇ ପାରିନି ବୋଲି ଦାୟିତ୍ୱରେ ଥିବା କର୍ମଚାରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top