ଆମ ସଂସ୍କୃତି, କଳା ଓ ଐତିହ୍ୟ

ସ୍ନାନ ମଣ୍ଡପରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ହାତୀବେଶରେ ଚତୁର୍ଦ୍ଧା ମୂର୍ତ୍ତି : ପ୍ରବଳ ବର୍ଷା ସତ୍ତ୍ୱେ ସିଂହଦ୍ୱାରରେ ହଜାର ହଜାର ଦର୍ଶକ ମହାପ୍ରଭୁଙ୍କ ପହଣ୍ଡି ଦେଖିଲେ।

ପୁରୀ:୨୮/୬(ଓଡ଼ିଆ ପୁଅ) : ଆଜି ପବିତ୍ର ଦେବ ସ୍ନାନ ଅବସରରେ ଶ୍ରୀଜୀଉମାନଙ୍କର ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟୁଷରୁ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ବେଦୀରେ ମହାର୍ଘ୍ୟ ଗଜାନନ ବା ହାତୀବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଅତ୍ୟନ୍ତ କମନୀୟ ଭାବେ ମହାପ୍ରଭୁଙ୍କୁ ଏହି ଦୂର୍ଲଭ ବେଶରେ ସଜିତ କରାଯାଇଥିବା ବେଳେ ବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହରିବୋଲ ହୁଳହୁଳି ଓ ଶଙ୍ଖଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପକିତ ହୋଇ ଉଠିଥିଲା। ବଡ଼ଦାଣ୍ଡରେ ସ୍ନାନପୂର୍ଣ୍ଣିମା ପାଇଁ ବୁଧବାର ବିଳମ୍ବିତ ରାତ୍ରୀରେ ଶ୍ରୀମୁଖ ଖଣ୍ଡୁଆ ପରେ ଦଇତାପତି ମାନଙ୍କ ଦ୍ୱାରା ବାହୁଟ କଂଟରେ ନୀତି ସଂପନ୍ନ ହୋଇଥିଲା। ଏହାପରେ କୋଠ ସୁଆଁସିଆ ମାନେ ଚାରବାନ୍ଧିବା ପାଇଁ ପ୍ରବେଶ କରିଥିଲେ। କୋଠସୁଆଁସୁଆ ବାହାରିବା ପରେ ଦଇତାପତିମାନଙ୍କ ଦ୍ୱାରା ସେନାପଟା ଲାଗି କରାଯାଇଥିଲା। ସେନାପଟା ଲଗିପରେ ମଙ୍ଗଳାଆଳତୀ ନୀତି ସଂପାଦିତ ହୋଇଥିଲା। ପ୍ରଥମେ ବରୁଣ ପୂଜା ପରେ ଜଗନ୍ନାଥଙ୍କ ବାଡ଼ରେ ପୂଜାପଣ୍ଡା, ବଳଭଦ୍ରଙ୍କ ବାଡ଼ରେ ମୁଦିରସ୍ତ ଏବଂ ସୁଭଦ୍ରାଙ୍କ ବାଡ଼ରେ ପତିମହାପାତ୍ର ମଙ୍ଗଳପିତା କରିଥିଲେ। ମଙ୍ଗଳାପିତା ନୀତିପରେ ଶ୍ରୀଜୀଉମାନଙ୍କର ସ୍ନାନଦେବୀକୁ ପହଣ୍ଡି ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ସ୍ନାନଦେବୀକୁ ବିଜେ କରିଥିଲେ। ଜଗମୋହନରୁ ଆସିବା ପରେ ସାତପାହାଚ ନିକଟରେ ଶ୍ରୀଜୀଉ ମାନଙ୍କୁ ଟାହିଆ ଲାଗି କରାଯାଇଥିଲା। ଦୋଳାୟିତ ଟାହିଆରେ ଘଂଟଘଂଟା ବାଦନ ମଧ୍ୟରେ ଦଇତାପତିମାନେ ଠାକୁରଙ୍କୁ ପହଣ୍ଡି କରି ଆଣି ସ୍ନାନମଣ୍ଡପରେ ବିଜେ କରାଇଥିଲେ। ଏହି ଅବସରରେ ଶୀତଳାଦେବୀ ମନ୍ଦିର ସମ୍ମୁଖରୁ ସ୍ୱର୍ଣ୍ଣକୁଅରୁ ୧୦୮ କୁମ୍ଭ ଜଳ ଅଧିବାସ ଗୃହକୁ ଅଣାଯାଇ ରଖାଯାଇଥିଲା। ଅଧିବାସ ଘରେ କୁମ୍ଭ ଜଳରେ ଚନ୍ଦନ, କର୍ପୁର, କେଶର ଆଦି ମିଶ୍ରୀତ କରାଯିବା ସହ ଏହା ଉପରେ ନାରୀକେଳ ସଂସ୍ଥାପନ ପୂର୍ବକ ବସ୍ତ୍ରରେ ଆଛାଦନ କରାଯାଇଥିଲା। ଠାକୁରମାନେ ସ୍ନାନବେଦୀରେ ବିଜେ କରିବାପରେ ଦୈନ୍ୟଦିନ ନୀତି ମଙ୍ଗଳା ଆଳତୀ, ମଇଲମ, ତଡ଼ପଲାଗି ଶ୍ରୀମୁଖ ଧୋପଖଳ, ଅବକାଶ, ବେଶ, ରୋଶହୋମ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସଂପନ୍ନ ହୋଇଥିଲା। ପ୍ରତିହାରୀ ସେବକମାନେ ଛତି, ତ୍ରାସ ଓ ବିଜେ କାହାଳୀ ବାଦନ ମଧ୍ୟମରେ ଜଳ କୁମ୍ଭଗୁଡ଼ିକୁ ସ୍ନାନବେଦୀକୁ ଆଣିଥିଲେ। ଶ୍ରୀଜଗନ୍ନାଥ ନିମନ୍ତେ ୩୫କୁମ୍ଭ, ବଳଭଦ୍ରଙ୍କ ନିମନ୍ତେ ୩୩କୁମ୍ଭ, ସୁଭଦ୍ରାଙ୍କ ନିମନ୍ତେ ୨୨କୁମ୍ଭ ଓ ସୁଦର୍ଶନଙ୍କ ନିମନ୍ତେ ୧୮କୁମ୍ଭଜଳ ସ୍ନାନବେଦୀରେ ରଖାଯାଇଥିଲା।

ବିଧି ପୂର୍ବକ ପୂଜାବଢିବା ପରେ ମେକାପକ ରୂପା ପିଙ୍ଗଣରେ ଅଧିବାସ ଜଳକୁ ଢଳାଯାଇଥିଲା। ସେହି ଜଳକୁ ନେଇ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କୁ ଜଳଲାଗି କରିଥିଲେ। ମହାପ୍ରଭୁଙ୍କ ସ୍ନାନ ସମୟରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ହରିବୋଲହୁଳହୁଳି ଧ୍ୱନୀରେ ଏକ ଭାବ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା। ରୀତିନୀତି ଅନୁଯାୟୀ ଏହି ନୀତି ପରେ ଜଗତଗୁରୁ ଶଙ୍କର ଆଚାର୍ଯ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା କଥା ମାତ୍ର ଜଗତ ଗୁରୁ ପୁରୀରେ ଅନୁପସ୍ଥିତ ଥିବାରୁ ଏହି ନୀତି ପରେ ସ୍ନାନମଣ୍ଡପର ଛେରାପହଁରା କାର୍ଯ୍ୟକରାଯାଇଥିଲା। ଗଜପତି ଦିବ୍ୟସିଂହଦେବ ସ୍ନାନ ମଣ୍ଡପର ଛେରାପହଁରା କାର୍ଯ୍ୟଶେଷ କରିଥିଲେ। ଗଜପତି ମହାପ୍ରଭୁଙ୍କ ଦର୍ଶନ ପୂର୍ବକ ସ୍ନାନମଣ୍ଡପର ମାର୍ଜନ କରିଥିଲେ। ମାର୍ଜନ କାର୍ଯ୍ୟଶେଷ ପରେ ଠାକୁରମାନଙ୍କୁ ହାତୀ ବା ଗଜାନନ ବେଶରେ ସଜିତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ ରାଘବ ଦାସ ମଠ ଓ ଗୋପାଳତିର୍ଥମଠରେ ବେଶ ସାମଗ୍ରୀ ସମ୍ମୁଖରେ ପଣାଭୋଗ କରାଯାଇଥିଲା। ବେଶକୁ ତାଟରେ ରଖାଯାଇ ବିଜେକାହାଳୀ ବାଦନ ମଧ୍ୟରେ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଭିତରୁଛ, ତଳୁଛ, ଦଇତାପତି, ଖୁଣ୍ଟିଆ, ପୁଷ୍ପାଳକ ଓ ମେକାପସେବାୟତ ମହାପ୍ରଭୁଙ୍କୁ ହାତୀବେଶରେ ସଜିତ କରିଥିଲେ। ମହାପ୍ରଭୁଙ୍କ ବେଶ ପରେମହନ୍ତପଢି ବନ୍ଧା ନୀତି ଅନୁଷ୍ଠିତ ହୋଇଥିଲା।

ମହାପ୍ରଭୁଙ୍କ ହାତୀବେଶ କିମ୍ବଦନ୍ତୀ ଅନୁଯାୟୀ ପଂଚଦଶ ଶତାଦ୍ଦୀରେ ମହାରାଷ୍ଟର ଗଣପତି ଭଟ୍ଟ ବ୍ରହ୍ମଦର୍ଶନ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆସିଥିଲେ। ତେବେ ସ୍ନାନବେଦୀରେ ନିଜର ଆରାଧ୍ୟ ଦେବତା ଶ୍ରୀଗଣେଶଙ୍କ ଦର୍ଶନରେ ବଂଚିତ ହୋଇ ସେ ଫେରିଯାଇଥିଲେ। ତେବେ ସେ ମୁକ୍ତେଶ୍ୱର ମନ୍ଦିର ନିକଟରେ ଅବସ୍ଥାନ କରୁଥିବା ବେଳେ ଦେବବାଣିହୋଇଥିଲା ଯେ, ଗାଣପତ୍ୟ ତୁମେ ପୁନଶ୍ଚ ଫେରିଯାଇ ତୁମେ ମତେ ଦର୍ଶନ କର। ଗଣପତି ଫେରିଆସି ସ୍ନାନବେଦୀରେ କଳାଧଳା ହାତୀ ଦୁଇଟି ଶୁଣ୍ଡବିସ୍ତାର କରି ମହାପ୍ରସାଦ କୁଡ଼ିଆରୁ ଭୋଗ ଖାଇବାର ଲାଗିଛନ୍ତି। ନିଜର ଆରାଧ୍ୟ ଦେବତାଙ୍କୁ ଗଜାନନବେଶରେ ଦର୍ଶନ କରି ଧନ୍ୟହେଲେ ଗଣପତି, ସେହି ସ୍କୃତିରେ ପ୍ରତି ବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ମହାପ୍ରଭୁଙ୍କର ଗଜାନନବେଶ ଅନୁଷ୍ଠିତ ହୋଇଆସୁଛି।

ହାତୀବେଶ ବଢିବାପରେ ମହାପ୍ରଭୁଙ୍କୁ କର୍ପୁର ଲାଗି କରାଯାଇଥିଲା ପରେ ଟେରାବନ୍ଧାଯାଇ ସକାଳଧୂପର ଭୋଗ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପରେ ମହାପ୍ରଭୁଙ୍କ ବାଡ଼ରେ ମହାପ୍ରସାଦ ଲାଗି ସକାଳଧୂପ ଓ ବନ୍ଦାପନା ହୋଇଥିଲା ଏହାପରେ ସର୍ବସାଧାରଣ ବା ସାହାଣମେଲା ଅନୁଷ୍ଠିତ ହୋଇଥିଲା। ସ୍ନାନ ଯାତ୍ରା ପାଇଁ ବଡ଼ଦାଣ୍ଡ ଶ୍ରଦ୍ଧାଳୁଙ୍କ ସମାଗମରେ ପୂରୀ ଉଠିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରସାଶକ ପ୍ରଦୀପ୍ତ କୁମାର ମହାପାତ୍ର, ଆଇଜି ସୋମନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ଡ଼ଃ ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ସ୍ନାନବେଦୀ ନିକଟରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top