ସ୍ତ୍ରୀକୁ କଟୁରୀରେ ହାଣିବା ମାମଲାରେ ସ୍ୱାମୀକୁ ୭ବର୍ଷ ଜେଲ୍ ଦଣ୍ଡ

ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଖଣ୍ଡପଡ଼ା ଥାନା ଅଂଚଳରେ ମାଳତୀ ବେହେରାଙ୍କୁ ତାଙ୍କ ସ୍ୱାମୀ ଦିବାକର ବେହେରା କଟୁରୀରେ ହାଣି ହତ୍ୟା କରିବା ମାମଲାରେ ମହିଳା କୋର୍ଟ ସ୍ୱାମୀ ଦିବାକରକୁ ୭ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଦିବାକରକୁ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିବାକର ୨୦୧୧ ମସିହାରେ କଂଟିଲୋ ପାଟଣା ସାହିର ମାଳତୀଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ୱାମୀ ଦିବାକର ସ୍ତ୍ରୀ ମାଳତୀକୁ ନିର୍ଯ୍ୟାତନା ଦେବା ସହିତ ୨୦୧୭ ଜାନୁଆରୀ ୧୭ରେ ମାଳତୀକୁ ଏକ କଟୁରୀରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ମାଳତୀ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ଜୀବନ ଫେରି ପାଇଥିଲା। ମାମଲାର ବିଚାର କରି ମହିଳା କୋର୍ଟ ବିଚାରପତି ପ୍ରଜ୍ୟୋତି ରାଉତ ଦିବାକରକୁ ଦଣ୍ଡାଦେଶ ଦେଇଥିଲେ। ଏହି ମାମଲାରେ କୋର୍ଟ ୯ଜଣ ସାକ୍ଷୀଙ୍କ ବୟାନ ଓ ସରକାରୀ ଓକିଲ ବଳଭଦ୍ର ମହାନ୍ତିଙ୍କ ଯୁକ୍ତିକୁ ଆଧାର କରି ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Leave a Reply

Your email address will not be published. Required fields are marked *