ଜିଲ୍ଲା ପରିକ୍ରମା

ସ୍କୁଲ ପିଲାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସମୂହ ଦୀପଦାନ ଓ ମହମବତୀ ଶୋଭାଯାତ୍ରା

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କିଛି ବାଟ ଯାଇଥିଲେ ଖୁସିରେ ଖୁସିରେ ଘରେ ପହଞ୍ଚି ଯାଇଥନ୍ତେ ସମସ୍ତେ। ମାତ୍ର ସମୟର ବିଡମ୍ବନା। ମୁହୁର୍ତ୍ତକ ମଧ୍ୟରେ ମିଳାଇଗଲା ସମସ୍ତ ଖୁସି। ଭଦ୍ରକ ରାଣୀତାଲ ଜାତୀୟ ରାଜପଥ ଉପରେ ଟ୍ରକ୍ ଦ୍ୱାରା ଦଳି ହୋଇ ଆଖି ବୁଜି ଦେଲେ ୫ଜଣ ସହପାଠୀ। ମୃତ ୫ଜଣ ଛାତ୍ରୀଙ୍କର ଅମର ଆତ୍ମାର ସଦ୍ଗତି କାମନା ନିମନ୍ତେ ଆଜି ସନ୍ଧ୍ୟାରେ ଭଦ୍ରକ ସହରର ମା’ ବଙ୍କ ବାସୁଳୀ ମନ୍ଦିର ପରିସରରେ ଶତାଧିକ ଯୁବ, ଛାତ୍ରମାନଙ୍କ ଦ୍ୱାରା ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ତତ୍ ସହିତ ଗୁରୁତର ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ଏହି କ୍ରମରେ ଉପସ୍ଥିତ ଶତାଧିକ ଯୁବ ଛାତ୍ରମାନଙ୍କ ଦ୍ୱାରା ମନ୍ଦିର ପରିସରରୁ ଏକ ମହମବତୀ ଶୋଭଯାତ୍ରା ସହର ପରିକ୍ରମା କରି ଟାଉନ ହଲ ଠାରେ ସମାପନ ହୋଇଥିଲା। ଯୁବ ସଂଗଠକ ସ୍ୱାଧୀନ ସୁନ୍ଦର ଦାସଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱ ହିନ୍ଦୁ ପରିଷଦର ଗୋବିନ୍ଦ ରାଉତ ଓ ବିଜୟ ସିନ୍ହା, ଶହୀଦ ଭଗତ ସେନାରୁ ଦେବାଂଶୁ ରାଉତ, ହେମନ୍ତ ମହାପାତ୍ର, ଦିଲୁ ମହାନ୍ତି, ନଳିନୀକାନ୍ତ ଦାଶ, ୟୁଡି ଗୃପ୍ର ଅତୁଲ ନାୟକ, ବଜରଙ୍ଗ ଦଳରୁ ଦୋବଶିଷ ଗ୍ରହାଚାର୍ଯ୍ୟ ଏବଂ ପ୍ରଶାନ୍ତ ମଲ୍ଲିକ, ସାମ୍ବାଦିକ ଜୟ ଜଗନ୍ନାଥ ମଲ୍ଲିକ ଓ ଅପୂର୍ବ ବେହେରା, ଦୀପକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠିତ ମହମବତୀ ଶୋଭାଯାତ୍ରାରେ କାହ୍ନୁ ସାହୁ, ବାଦଲ ମୁଖୀ, ବିଶାଲ ଦାସ, ତପନ ତ୍ରିପାଠୀ, କାର୍ତ୍ତିକ ଦାସ, ମହେଶ ପ୍ରଧାନ, ସନ୍ଦିପ୍ତ ଭକ୍ତ ପ୍ରମୁଖ ସାମିଲ ଥିଲେ। ସର୍ବ ସମ୍ମତି କ୍ରମରେ ଜିଲ୍ଲା ପ୍ରଶାସନକୁ କେତୋଟି ଦାବି ଉପସ୍ଥାପିତ ହୋଇଥିଲା। ତନ୍ମଧ୍ୟରୁ ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିବା ଡ୍ରାଇଭରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ସ୍କୁଲ ପାଖାପାଖି ଅଞ୍ଚଳରେ ପୁଲିସର ଚେକ୍ପୋଷ୍ଟ ରଖାଯାଉ, ବିଦ୍ୟାଳୟରୁ ୫୦୦ ମିଟର ଦୂର ବିଦ୍ୟାଳୟ ରହିଥିବାର ସୂଚନା ଫଳକ ବୃହତାକାରରେ ଲଗାଯାଉ। ଭଦ୍ରକ ସହର ମଧ୍ୟରେ ଯାଇଥିବା ଜାତୀୟ ରାଜପଥର ଉଭୟ ପ୍ରବେଶ ପଥରେ ପୁଲିସ ଚେକ୍ ପୋଷ୍ଟ ରଖାଯାଉ। ରାଣୀତାଲରୁ ଗେଲପୁର ପର୍ଯ୍ୟନ୍ତ ଡେଞ୍ଜର ଜୋନ ବା ବିପଦ ସଂକୁଳ ବୋଲି ଦର୍ଶାଯାଉ। ସ୍କୁଲ ପିଲାମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଉ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top