ଓଡ଼ିଶା

ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ମୃତାହତ ଘଟଣାରେ ଶତାଧିକ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା, ୧ ଗିରଫ, ଫେରାର ଟ୍ରକ୍ ଚାଳକ ଆନ୍ଧ୍ରରୁ ଗିରଫ ନେଇ ପୁଲିସ୍ର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତ ୧୯ ତାରିଖ ଗୁରୁବାର ଅପରାହ୍ନରେ ଭଦ୍ରକର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାହାଞ୍ଜ-ଅସୁରା ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣା ଓ ଟ୍ରକ୍ ପୋଡି ମାମଲାରେ ସଂପୃକ୍ତ ଥାନାରେ ଶତାଧିକ ବ୍ୟକ୍ତିଙ୍କ ନାମରେ ପୁଲିସ୍ ପକ୍ଷରୁ ମାମଲା ରୁଜୁ ହୋଇଛି। ଏବଂ ଅସୁରା ଗ୍ରାମର ଦୁର୍ଯେ୍ୟାଧନ ଜେନାଙ୍କ ଅଭିଯୋଗ କ୍ରମେ ପୁଲିସ୍ କେଶ୍ ନଂ ୩୫୧/୧୮, ଦଫା ୨୭୯ / ୩୩୭ / ୩୩୮ / ୩୦୪ (କ) ଆଇପିସି ମୂଳେ ଟ୍ରକ୍ ଡ୍ରାଇଭର ଦେବଲମ୍ ଭେଙ୍କଟାଦି୍ର ନାମରେ ମାମଲା ରୁଜୁ ହୋଇ ତାକୁ ଆନ୍ଧ୍ରର ଏକ ଟ୍ରାନ୍ସପୋର୍ଟ କଂପାନୀ କାର୍ଯ୍ୟାଳୟରୁ ଗିରଫ କରାଯାଇଛି ବୋଲି ଆଜି ଏସ୍ଡିପିଓ ଜଳନ୍ଧର ଜାଲି ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ ଜାଲିଙ୍କ ସହ ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ୧୯ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୋଲ ଜିଲାର ବାଙ୍ଗରୁପାଲାମ୍ ଗ୍ରାମନିବାସୀ ଦେବଲମ୍ ଭେଙ୍କଟାଦି୍ର ନାମକ ଟ୍ରକ୍ ଚାଳକ ବିହାରରୁ ବେଙ୍ଗଲୁରକୁ ଆସୁଥିବାବେଳେ ଅପରାହ୍ନ ପ୍ରାୟ ୩.୪୦ ସମୟରେ ରାହାଞ୍ଜ ନିକଟରେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ରାଣୀତାଲ ହାଇସ୍କୁଲର ୧୧ ଜଣ ଛାତ୍ରଛାତ୍ରୀଙ୍କ ଉପରେ ଗାଡି ଚଢାଇଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଏବଂ ଜଣେ କଟକ ସ୍ଥାନାନ୍ତର ହୋଇଥିବାବେଳେ ୫ ଜଣ ଭଦ୍ରକରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଦୁର୍ଘଟଣାରେ ଉତ୍ତ୍ୟକ୍ତ ଲୋକେ ଏପି-୦୩ଟିଜେ-୦୧୨୨ ନମ୍ବରର ଉକ୍ତ ଟ୍ରକ୍ଟିକୁ ନିଆଁ ଜାଳି ପୋଡିଦେଇଥିବାବେଳେ ଟ୍ରକ୍ ଚାଳକକୁ କାବୁ କରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। ତେବେ ଗାଡି ଚାଳକ ଜଣକୁ ପୁଲିସ୍ ସ୍ଥାନୀୟ ଏକ ରାଇସ୍ ମିଲ୍ରେ ବନ୍ଦ କରି ରଖିଥିବାବେଳେ ରାତି ପ୍ରାୟ ୮ଟା ସମୟରେ ସେ ସେଠାରୁ ଫେରାର ହୋଇ ବ୍ରହ୍ମପୁର ରାସ୍ତାରେ ଆନ୍ଧ୍ର ଯାଇ ଇଚ୍ଛାପୁରସ୍ଥିତ କାବିଟି ଥାନା ଅଧୀନସ୍ଥ ଏକ ଟ୍ରାନ୍ସପୋର୍ଟ କଂପାନୀରେ ଆତ୍ମଗୋପନ କରିଥିଲା। ଦୁର୍ଘଟଣା ଦିନ ଶତାଧିକ ବ୍ୟକ୍ତି ରାତି ପ୍ରାୟ ୯.୨୦ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ପୁଲିସ୍ ଓ ବହୁ ଯାତ୍ରୀଙ୍କୁ ଆକ୍ରମଣ କରିବା ସହ ଗାଡିଟିକୁ ଜାଳିଦେବା ଅଭିଯୋଗରେ ପୁଲିସ୍ ପକ୍ଷରୁ ଶତାଧିକ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇ ଅଦ୍ୟାବଧି ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଶ୍ରୀ ଜାଲି ସୂଚନା ଦେଇଛନ୍ତି। ଏବଂ ଏହି ଦୁର୍ଘଟଣାରେ ଜଡିତ ଟ୍ରକ୍ ଚାଳକ ମଦ୍ୟପାନ କରି ପୂର୍ବରୁ ଏକ ଦୁର୍ଘଟଣା ଘଟାଇବା ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଗାଡି ଚଢାଇଦେଇଥିବା ନେଇ ରାଜ୍ୟର ଜଣେ ଉଚ୍ଚ ପଦାଧିକାରୀଙ୍କ ମନ୍ତବ୍ୟକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଜାଲି ଅଭିଯୁକ୍ତକୁ ଘଟଣା ଘଟିବାର ତିନିଦିନ ପରେ ଥାନାଧିକାରୀ ଦୟାନିଧି ଦାସଙ୍କ ନେତୃତ୍ୱରେ ତଦନ୍ତ ଅଧିକାରୀ ସମରେନ୍ଦ୍ର ବାରିକ ଓ ଅନ୍ୟ ପୁଲିସ୍ଙ୍କ ସହାୟତାରେ ଆନ୍ଧ୍ରରୁ ଗିରଫ କରିଥିବାରୁ ମଦ୍ୟପାନ ନେଇ କୌଣସି ତଥ୍ୟ ମିଳିପାରିବ ନାହିଁ ବୋଲି କହିଛନ୍ତି। ଏଥିସହ ପୂର୍ବରୁ ଘଟାଇଥିବା ଦୁର୍ଘଟଣକୁ ଟ୍ରକ୍ ଚାଳକ ଅସ୍ୱୀକାର କରିଥିବାବେଳେ ହଠାତ୍ ଗାଡିଟର ବ୍ରେକ୍ ଫେଲ ହୋଇଯିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଥିବା ବିଷୟ ସୂଚନା ଦେଇଛନ୍ତି। ତେବେ ଟ୍ରକ୍ଟିରେ ଥିବା ବିହାର ନିବାସୀ ରଘୁପତି ନାମକ ଏକ ଖଲାସୀ ଏପର୍ଯ୍ୟନ୍ତ ନିଖୋଜ ଥିବା ବିଷୟ ଟ୍ରକ୍ ଚାଳକର ବୟାନରୁ ଜଣାପଡିଛି। ତେବେ ଟ୍ରକ୍ଟିର ବ୍ରେକ୍ ପ୍ରକୃତରେ ଫେଲ୍ ହୋଇଛି କି ନାହିଁ, ତାହାର ସତ୍ୟତା ନେଇ ଶ୍ରୀ ଜାଲି ଦେଇଥିବା ସୂଚନା ଅନୁସାରେ ଗାଡିଟି ସଂପୂର୍ଣ୍ଣ ଜଳିଯାଇଥିବାରୁ ସେ ସଂପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଆଜି ଅଭିଯୁକ୍ତ ଟ୍ରକ୍ ଚାଳକକୁ କୋର୍ଟ ଚାଲାଣ ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top