ସ୍କୁଲ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପ୍ରସଙ୍ଗ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଭଦ୍ରକ ଗସ୍ତ

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତକାଲି ରାଣୀତାଲ ହାଇସ୍କୁଲର ଛୁଟି ପରେ ଗୃହ ଫେରନ୍ତା ୫ ଜଣ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ଶୋଚନୀୟ ମୃତ୍ୟୁ ପରେ ସେମାନଙ୍କ ଶବ ସତ୍କାର ଶୋକାକୁଳ ପରିବେଶରେ ଆଜି ସଂପନ୍ନ ହୋଇଛି। ଏଠାରେ ସୂଚନାଯୋଗ୍ୟ ଗତକାଲି ଦିନ ପ୍ରାୟ ୩.୪୦ ସମୟରେ ଅସୁରା ଗ୍ରାମର ୧୧ ଜଣ ଛାତ୍ରଛାତ୍ରୀ ସ୍କୁଲ ଛୁଟି ପରେ ସାଇକେଲ୍ ଯୋଗେ ନିଜ ଗ୍ରାମକୁ ଫେରୁଥିବାବେଳେ ୧୬ ନଂ ଜାତୀୟ ରାଜପଥରେ ଏକ ଦୃତଗାମୀ ଟ୍ରକ ପିଲାମାନଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନେ ହେଲେ ଶ୍ୱେତା ସାହୁ, କଳ୍ପନା ଜେନା, ପ୍ରିୟମ୍ବଦା ମହାନ୍ତି, ସତ୍ୟବ୍ରତ ବାରିକ ଏବଂ ସୁକାନ୍ତ ସାହୁ। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଥିଲେ। ସେମାନେ ହେଲେ ଶୀତଲ ସାହୁ, ଉର୍ବଶୀ ସାହୁ, ବର୍ଷାରାଣି ମହାନ୍ତି, ଦିପ୍ତିରେଖା ସାହୁ, ପୂଜାରାଣୀ ସାହୁ ଏବଂ ଲିଜାରାଣୀ ସାହୁ। ଏମାନଙ୍କ ମଧ୍ୟରୁ ଗୁରୁତୁର ଶୀତଲ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ପୂଜା ଓ ଲିଜାଙ୍କୁ ପ୍ରାଥମିକ ଚିକତ୍ସା ପରେ ଛାଡି ଦିଆ ଯାଇଛି। ଅନ୍ୟ ୩ଜଣ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପରେ ଦୁର୍ଘଟଣା ଘଟିଥିବା ରାହାଞ୍ଜ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ହଜାର ହଜାର ଲୋକ ରାଜପଥ ଅବରୋଧ କରିଥିଲେ। ପରେ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ପ୍ରତିଶୃତି ଦେବା ପରେ ମଧ୍ୟ ରାସ୍ତାରୋକୋ ହଟି ନ ଥିଲା। ଯାହା ଫଳରେ ପୁଲିସ୍ ବାଧ୍ୟ ହୋଇ ରାତି ପ୍ରାୟ ୯.୨୦ ରେ ଲାଠିଚାର୍ଜ କରିବା ସାଙ୍ଗକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ପରେ ରାଜପଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଆଜି ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଅସୁରା ଗ୍ରାମକୁ ଯାଇଥିଲେ। ସେହିପରି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଭଦ୍ରକ ଗସ୍ତରେ ଆସି ଡାକ୍ତରଖାନାରେ ଆହତଙ୍କୁ ଭେଟିବା ସହିତ ବିଦ୍ୟାଳୟକୁ ଯାଇ ସବିଶେଷ ପଚାରି ବୁଝିଥିଲେ। ଏବଂ ପରେ ସେ ଜିଲାପାଳ ଜ୍ଞାନ ଦାସ ଓ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କ ଉପସ୍ଥିତିରେ ପିଲାମାନଙ୍କ ସୁରକ୍ଷା ବିଷୟରେ ଆଲୋଚନା କରି ମୃତାହତ ଛାତ୍ରଛାତ୍ରୀଙ୍କ ପରିବାର କିଭଳି ସରକାରଙ୍କ ପକ୍ଷରୁ ଘୋଷିତ ଅନୁକମ୍ପା ରାଶି ଓ ଚିକିତ୍ସା ପାଇପାରିବେ ସେଥିନେଇ ବିଶଦ ଆଲୋଚନା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଏହି ଦୁର୍ଘଟଣାରେ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୨ ଲକ୍ଷ ଓ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ହିସାବରେ ମୋଟ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଆଜି ରାଣୀତାଲ ସ୍କୁଲ ଆଗରେ ରାଜପଥ ଉପରେ ଷ୍ଟପ୍ ବୋର୍ଡ ରଖାଯାଇ ଯାନବାହନର ବେଗ ନିୟନ୍ତ୍ରଣ କରାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ୧ ପ୍ଳାଟୁନ ପୁଲିସ ମୁତୟନ ହୋଇଛନ୍ତି। ତେବେ ଗତକାଲି ରାତିରେ ଦୁର୍ଘଟଣା ଘଟାଇ ଧରାପଡିଥିବା ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଛି। ପୁଲିସ କହିବା ଅନୁଯାୟୀ ଲୋକେ ଡ୍ରାଇଭରକୁ ଧରି ମାଡ ମାରି ଏକ ରାଇସମିଲ ଭିତରେ ରଖି ଗେଟ ବନ୍ଦ କରିଦେଇଥିଲେ। ମାତ୍ର ରାଇସମିଲର ପଛପଟେ ପାଚେରୀ ନ ଥିବାରୁ ଡ୍ରାଇଭର ମିଲ ପଛପଟ ରାସ୍ତାରେ କୁଆଡେ ଫେରାର ହୋଇ ଯାଇଛି। ଅନ୍ୟପକ୍ଷରେ ଲୋକଙ୍କ କହିବା କଥା ଡ୍ରାଇଭରକୁ ଧରି ପୁଲିସରେ ଦିଆ ଯାଇଥିଲା। ମାତ୍ର ପୁଲିସ ତାକୁ ଛାଡି ଦେଇଛି, ନଚେତ ପରିସ୍ଥିତିକୁ ଲକ୍ଷ୍ୟ ରଖି ପୁଲିସ ଡ୍ରାଇଭରକୁ ଅନ୍ୟ କୌଣସି ଥାନାରେ ଲୁଚେଇ ରଖି ଫେରାର ହୋଇ ଯାଇଥିବାର ପ୍ରଚାର କରୁଛି।

Leave a Reply

Your email address will not be published. Required fields are marked *