ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚର ଧାରଣା

ରେଢ଼ାଖୋଲ, ୧୨/୯ (ଓଡ଼ିଆ ପୁଅ) – ୬ ଦଫା ଦାବି ନେଇ ସ୍କୁଲ, କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ପରିକ୍ଷୀତ ସାହୁଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୦୧୭ ସେପ୍ଟେମ୍ବର ୧ ତାରିଖରେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯିବା ନେଇ ଘୋଷଣା କରିଥିଲେ। ଏଥି ସହିତ ୨୦୧୮ ଜୁନ ମାସରୁ ସପ୍ତମ ପେ ପ୍ରଦାନ କରାଯିବ ବୋଲି କହିଥିଲେ ହେଁ ଅଦ୍ୟାବଧି ପ୍ରଦାନ କରାଗଲା ନାହିଁ। ସେହିପରି ୨୦୧୮ ଏପ୍ରିଲ ୧୮ ତାରିଖ ଦିନ ଘୋଷଣା କରାଯାଇଥିବା ପୂର୍ଣ୍ଣ ଅନୁଦାନ ମଧ୍ୟ ଲାଗୁ କରାଗଲା ନାହିଁ। ଯାହା ଫଳରେ ଆଜକୁ ୨୫ ଦିନ ଧରି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅହୋରାତ୍ରା ଧାରଣାରେ ବସି ରହିଛନ୍ତି ବୋଲି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମିଳିତ ସଂଘ ପକ୍ଷରୁ କୁହାଯାଇଛି। ଯୋଗ୍ୟ ବିବେଚିତ ଦିନଠାରୁ ସମସ୍ତ ସ୍କୁଲ ଓ କଳେଜକୁ ଅନୁଦାନ ପରିସରଭୁକ୍ତ କରୀାଯାଇ ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ, ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଲେଜକୁ ଅନୁଦାନ ପ୍ରଦାନ କରାଯିବା ଓ ୨୦୧୮ ଅନୁଦାନ ଆଇନ ଅନୁଯାୟୀ ୪୦, ୬୦ ଓ ୭୫ ପ୍ରତିଶତ ଦରମା ପାଉଥିବା ବିଦ୍ୟାଳୟର ନିର୍ଦ୍ଦେଶପତ୍ର ସହିତ ବାର୍ଷିକ ଦରମା ବୃଦ୍ଧିକୁ ଯୋଗ କରାଯିବା, ସପ୍ତମ ବେତନ କମିଶନ ଲାଗୁ କରିବା, ଅନୁଦାନ ଦେବା ଆଳରେ ସତ୍ୟପାଠ ନିର୍ଦ୍ଦେଶନାମା ପ୍ରତ୍ୟାହାର, ବକେୟା ଦରମା ପ୍ରଦାନ, ଚାକିରୀ କାର୍ଯ୍ୟକାଳ ୬୨ ବର୍ଷକୁ ବୃଦ୍ଧି ପ୍ରଭୃତି ୭ ଦଫା ଦାବି ନେଇ ସ୍କୁଲ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି। ଗତ ୬ ତାରିଖ ଠାରୁ ରେଢ଼ାଖୋଲ ବ୍ଲକର ୭ଟି ହାଇସ୍କୁଲ ଓ ୨ଟି କଲେଜର ଶିକ୍ଷକ, ଅଧ୍ୟାପକମାନେ ତାଲା ପକାଇ ଆନ୍ଦୋଳନ କରୁଥିବା ଯୋଗୁଁ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

Leave a Reply

Your email address will not be published. Required fields are marked *