ad
ଓଡ଼ିଶା

ସ୍କୁଲ୍ ଫି ବୃଦ୍ଧି ପ୍ରତିବାଦରେ ଡି.ଏ.ଭି. -୮ନମ୍ବର ଅଭିଭାବକ ସଂଘର ସ୍ୱାକ୍ଷର ଅଭିଯାନ

ଭୁବନେଶ୍ୱର, ତା ୧୦ା୨ (ଓଡ଼ିଆ ପୁଅ) : ସ୍କୁଲ୍ ଫି ବୃଦ୍ଧି ପ୍ରତିବାଦରେ ୮ନମ୍ବର ଡି.ଏ.ଭି. ସ୍କୁଲ୍ ର ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ପୁଞ୍ଜିଭୁତ ହେବାକୁ ଲାଗିଛି। ଆଜି ସ୍କୁଲ୍ ସମ୍ମୁଖରେ ସଂଘ ତରଫରୁ ଏକ ସ୍ୱାକ୍ଷର ଅଭିଯାନ କରାଯାଇଅଛି। ଏହି ସ୍ୱାକ୍ଷର ଅଭିଯାନରେ ସଂଘର କର୍ମକର୍ତ୍ତାଙ୍କ ସହ କିଛି ପି.ଟି.ସି.ସି. ରିପ୍ରେଜେଣ୍ଟେଟିଭ୍ ଏବଂ ପ୍ରାୟ ୬୦୦ ଅଭିଭାବକ ସାମିଲ୍ ହୋଇଥିଲେ। ସ୍କୁଲ୍ ଫାଟକ ନିକଟରେ ଫି ବିରୁଦ୍ଧରେ ବ୍ୟାନର ମଧ୍ୟ ଲଗାଯାଇଛି।

ପ୍ରକାଶଥାଉକି, ସ୍କୁଲ୍ କର୍ତ୍ତୃପକ୍ଷ କିଛି ହାତ ଗଣତି ଅଭିଭାବକମାନଙ୍କୁ ହାତବାରିଶି କରି ଅଭିଭାବକମାନଙ୍କ ଦ୍ୱାରା ଫି ବୃଦ୍ଧି ପ୍ରସ୍ତାବ ଦିଆଯାଇଛି ବୋଲି ଏକ ଲିଖିତ ଚିଠା ସ୍କୁଲ୍ ଦ୍ୱାରା ଗଠିତ ପି.ଟି.ସି.ସି. ରିପ୍ରେଜେଣ୍ଟେଟିଭ୍ ମାନଙ୍କୁ ବିତରଣ କରାଯାଇଛି। ସ୍କୁଲ୍ କର୍ତ୍ତୃପକ୍ଷ ବିଗତ ୪ ବର୍ଷ ଧରି ବାର୍ଷିକ ୧୫% ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫି ବଢ଼ାଇ ଆସୁଥିବାରୁ ଅଭିଭାବକ ସଂଘ ଏହାର ପ୍ରତିବାଦ କରିଛି। ଡି.ଏ.ଭି. କର୍ତ୍ତୃପକ୍ଷ ଏପରି ଏକ ସୂତ୍ରରେ ଫି ବର୍ଦ୍ଧିତ କରୁଛନ୍ତି ଯେ, କିଛି ଅଭିଭାବକମାନଙ୍କ ପାଇଁ ୧୫% ଚକ୍ରବୃଦ୍ଧି ଥିବାବେଳେ କିଛି ଅଭିଭାବକମାନଙ୍କ ପାଇଁ ଏହା ୨୦%ରୁ ଅଧିକ। ଆର୍ଥିକ ବର୍ଷ ୨୦୧୬-୧୭କୁ ଅନୁଧ୍ୟାନ କଲେ ମୋଟାମୋଟି ସ୍କୁଲ୍ କର୍ତ୍ତୃପକ୍ଷ ୨୦୧୫-୧୬ ଆର୍ଥିକ ବର୍ଷ ତୁଳନାରେ ୨୧% ଅଧିକ ଫି ଆଦାୟ କରିଛନ୍ତି।

ଏପଟେ ସରକାରଙ୍କଠାରୁ ପ୍ରାପ୍ତ ଖେଳପଡ଼ିଆରେ ଗଛ କାଟି ନୂତନ ଛାତ୍ରାବାସ ନିର୍ମାଣ ପାଇଁ ତତ୍ପର ହୋଇପଡ଼ିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ।

ସ୍କୁଲ୍ କର୍ତ୍ତୃପକ୍ଷ ବିଭିନ୍ନ ଆଳରେ ଭିନ୍ନ ଭିନ୍ନ ରାଶି ଆଦାୟ କରୁଥିବାରୁ ଏହାକୁ ସଦ୍ ବିନିଯୋଗ କରାଯାଉଛି କି ନାହିଁ, ପୁଞ୍ଜାପୁଞ୍ଜା ଗଚ୍ଛିତ ବଳକା ରାଶିକୁ, ଗୃହ-ଭଙ୍ଗାରୁଜା ଏବଂ ନୂତନ ଗୃହ ନିର୍ମାଣ ମାଧ୍ୟମରେ ହଡ଼ପ କରୁଛି ବୋଲି ସଂଘ ପ୍ରଶ୍ନ ଉଠାଇଛି।

ଅଭିଭାବକ ସଂଘ ଆକଳନ କରିଛି ଯେ, ଏହିପରି ଚକ୍ରବୃଦ୍ଧି ହାରରେ ସ୍କୁଲ୍ ଫି ବର୍ଦ୍ଧିତ ହେଲେ, ଚଳିତ ବର୍ଷ ଏଲ.କେ.ଜି.ରେ ଆଡ୍ ମିସନ୍ କରୁଥିବା ଛାତ୍ରଟିଏ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପର୍ଯ୍ୟନ୍ତ ତାହାର ପିତାମାତାଙ୍କୁ ମୋଟାମୋଟି ୧୬ ଲକ୍ଷ ଟଙ୍କା କେବଳ ସ୍କୁଲ୍ ଫି ବାବଦକୁ ସଜାଗ ରହିବାକୁ ପଡ଼ିବ। ଏତଦ୍ ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପ୍ରାଇଭେଟ୍ ଟ୍ୟୁସନ୍ ନଦେଲେ ପ୍ରତିଯୋଗୀପୂର୍ଣ୍ଣ ସହପାଠୀ ହେବା କଷ୍ଟକର ବ୍ୟାପାର ହୋଇପଡ଼ିବ।

ଏଭଳି ସ୍କୁଲ୍ ମାନଙ୍କର ମନୋମୁଖି କାର୍ଯ୍ୟ ରୋକିବାକୁ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ଅଭିଭାବକ ସଂଘ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top