ଓଡ଼ିଶା

ସ୍କୁଲରେ ରୋଷେଇ ନାହିଁ ,ମଧ୍ୟାନ୍ନ ଭୋଜନରେ ବିସ୍କୁଟ ଧରି ଘରକୁ ଫେରୁଛନ୍ତି ପିଲା

ବାହାନଗା/ବାଲେଶ୍ୱର,୨୨/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ସରକାରଙ୍କ ତରଫରୁ ସ୍କୁଲରେ ଶତପ୍ରତିଶତ ଉପସ୍ଥାନ ଓ ସ୍ୱାକ୍ଷର ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ହେଲେ କାଗଜ ପତ୍ରରେ ଯୋଜନାର ସଫଳ ରୁପାୟନ ଦର୍ଶା ଯାଉଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା । ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ରୋଷେଇ ନକରି ପିଲାଙ୍କୁ ବିସ୍କୁଟ ଦିଆ ଯାଉଥିବା ବେଳେ ଆବଶ୍ୟକ ଉପସ୍ଥାନ ଠାରୁ ଅଧିକ ଉପସ୍ଥାନ ଦର୍ଶାଇ ପିଲାଙ୍କ ମଧ୍ୟାନ୍ନ ଭୋଜନ ଲୁଟ କରାଯାଉଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ବାହାନଗା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଖନ୍ତାପଡ଼ା କ୍ଲଷ୍ଟର ଅଧିନ ନାଚିନ୍ତା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୨୩ଜଣ ପିଲା ପାଠ ପଢୁଥିବା ବେଳେ ପ୍ରଧାନ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଶିକ୍ଷାଦାନରେ ନିୟୋଜିତ ଅଛନ୍ତି । ତେବେ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ରୋଷେଇ ନହୋଇ ବିସ୍କୁଟ ଦିଆ ଯାଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏନେଇ ଆଜି ଗ୍ରାମର ୱାର୍ଡ଼ ସଭ୍ୟ କୃତିକାନ୍ତ ରାଉତଙ୍କ ସହ ଦୀନବନ୍ଧୁ ରାଉତ, ଗଜେନ୍ଦ୍ର ମଲ୍ଲିକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟକୁ ଅଭିଯୋଗ କରିବା ନିମନ୍ତେ ଯାଇଥିଲେ । ଅଭିଯୋଗ ବାବଦରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାନ୍ତିଙ୍କୁ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟର ରୋଷେଇ ବନ୍ଦ ହୁଏ ନାହିଁ ବୋଲି କହିବା ସହ ସେମାନଙ୍କ ପିଲା ବିଦ୍ୟାଳୟରେ ପଢୁ ନଥିବାର କହିଥିଲେ । ବିଇଓ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରୁ ସେ ଅଭିଯୋଗ ବାବଦରେ ସୂଚନା ପାଇଥିବାର କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top