ସ୍କିମ୍ ୱାର୍କସ୍ ମାନଙ୍କୁ ସ୍ଥାୟୀ ଶ୍ରମିକ ଘୋଷଣା ଦାବି ସିଟୁ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସମଗ୍ର ଦେଶରେ କାର୍ଯ୍ୟରତ ସ୍କିମ୍ ୱାର୍କସ୍ ମାନଙ୍କୁ ସ୍ଥାୟୀ ଶ୍ରମିକ ଘୋଷଣା ଦାବିରେ ସିଟୁ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭଦ୍ରକ ବନ୍ତଛକରୁ ସିଟୁ ସଂଗଠନ ସହ ସାମିଲ୍ ପାଚିକା, ଆଶାକର୍ମୀ, ବ୍ୟାଙ୍କ ମିତ୍ର, ଅଙ୍ଗନୱାଡି ୱାର୍କସ୍ ଓ ହେଲପର, କୃଷକ ସାଥୀ, ଗାଁ ସାଥୀ ଓ ଶକ୍ତି ସହାୟିକାମାନଙ୍କର ନେତା ଚନ୍ଦ୍ରକାନ୍ତ ବିଶ୍ୱାଳ, ରାଧା ଦାସ, ଶାନ୍ତିଲତା ନାୟକ, ମଣ୍ଟୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବନ୍ତଛକରୁ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହାପରେ ଅନୁଷ୍ଠିତ ପ୍ରତିବାଦ ସଭା ବିଶିଷ୍ଟ ଶ୍ରମିକ ନେତା ତଥା ସିଟୁ ସଭାପତି ଦିବ୍ୟସିଂହ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ପ୍ରଧାନ, ଶାନ୍ତି ନାୟକ ନିଜ ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କ ଯେଉଁ ନୀତି ପାଇଁ ସ୍କିମ୍ ୱାର୍କସ୍ ଶୋଷଣର ସମ୍ମୁଖୀନ ହୋଇ ସ୍ଥାୟୀ ଶ୍ରମିକରୁ ବଂଚିତ ହେଉଥିବାରୁ ଗଭୀର କ୍ଷୋଭ ପ୍ରକାଶ କରି ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦୃଢ ପ୍ରତିବାଦ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ। ଏବଂ ସେମାନଙ୍କୁ ସ୍ଥାୟୀ ଶ୍ରମିକ ଘୋଷଣା ସହ ମାସିକ ୧୮ ହଜାର ଟଙ୍କା ବେତନ ଦାବି ଓ ସାମାଜିକ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚାଇବା ସହ ଆଜି ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାରେ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ।

Leave a Reply

Your email address will not be published. Required fields are marked *