ଓଡ଼ିଶା

ସୌଭାଗ୍ୟ ଯୋଜନାରେ ଲାଂଚ ଦାବି ; କେନ୍ଦ୍ର ସରକାରଙ୍କ ପ୍ରଚାର ପତ୍ରର ଓଲଟା ଚିତ୍ର; ମାଗଣାରେ ବିଦ୍ୟୁତ ସଂଯୋଗ ଦେବା ନାଁରେ ଟଙ୍କା ଆଦାୟ

ଯାଜପୁର-୧୭/୭(ଓଡିଆ ପୁଅ/ଏ.ରାଉତ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଜ ବିଜୁଳି ହର୍ ଘର୍ ସୌଭାଗ୍ୟ ଯୋଜନା। ମାର୍ଚ୍ଚ ୨୦୧୯ ସୁଧା ସମଗ୍ର ଦେଶର ପ୍ରତ୍ୟେକ ଘରକୁ ଆଲୋକିତ କରିବାପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି। ପାଖାପାଖି ୪ କୋଟି ଘରକୁ ଆଲୋକିତ କରିବା ପାଇଁ ଏହି ଯୋଜନାରେ ଲକ୍ଷ ଧାର୍ଯ୍ୟ କରାଯାଇଥିବାବେଳେ ଗରିବ ଲୋକଙ୍କ ଜୀବନଧାରା ବଦଳାଇବାକୁ ସରକାର ଏହି ରାପିଡ ଆକ୍ସନ୍ ଯୋଜନା ପ୍ରଣୟନ କରିଛନ୍ତି। ଏନେଇ ସମସ୍ତ ଲୋକଙ୍କୁ ସଚେତନ କରାଇବାକୁ ସମସ୍ତ ସହର, ବଜାର, ଗାଁ ଗହଳୀ, ଗଳି କନ୍ଦିରେ ଛାଇଯାଇଛି ବଡ ବଡ ହୋଡିଂ। ଏହି ଯୋଜନା ସଂପୂର୍ଣ୍ଣ ନିଶୁଳ୍କ ହୋଇଥିବାବେଳେ ଏଥିନିମନ୍ତେ ବ୍ୟାସନଗର ପୌର ପରିଷଦ ଅଂଚଳରେ ଉକୋôଚ ଅର୍ଥ ଆଦାୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫଳରେ ଏହାକୁ କେନ୍ଦ୍ର ସରକାରଙ୍କ ପ୍ରଚାର ପତ୍ରର ଓଲଟା ଚିତ୍ରବୋଲି ଅଭିହିତ କରାଯାଉଛି। ମିଳିଥିବା ସୂଚନା ଅନୁଯାଇ ବ୍ୟାସନଗର ପୌର ପରିଷଦର ୨୨ ନମ୍ବର ୱାର୍ଡରେ ରହୁଥିବା ଦୁଇ ଶହ ଆଦିବାସୀ ପରିବାରଙ୍କଠାରୁ ଏହି ଯୋଜନା ପାଇଁ ପ୍ରବଳ ଅର୍ଥ ଆଦାୟ ହେଉଛି। ସରକାରଙ୍କ ତରଫରୁ ତାର, ଖୁଂଟ ଓ ବିଦ୍ୟୁତ୍ ସାମଗ୍ରୀ ସବୁ ମାଗଣାରେ ଯୋଗାଇ ଦିଆ ଯାଉଥିବାବେଳେ ନୀରିହ ଆଦିବାସୀ ପରିବାରମାନଙ୍କଠାରୁ ଖୁଂଟ ପକାଇବା ଓ ତାର ଟାଣିବାପାଇଁ ପରିବାର ପିଛା ୫ ଶହ ଟଙ୍କା ଆଦାୟ ହେଉଛିବୋଲି ସଂପୃକ୍ତ ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଏନେଇ କାମ ନେଇଥିବା ସଂପୃକ୍ତ ଠିକାଦାର ପରିବାର ପିଛା ଉକ୍ତ ଟଙ୍କା ଆଦାୟ କରି ମୂଲ ଲାଗି ଚଳୁଥିବା ଆଦିବାସୀ ପରିବାରମାନଙ୍କୁ ଶୋଷଣ କରୁଛନ୍ତି। ଏହି ଯୋଜନାରେ ମୋଟା ଅଙ୍କର ଉତ୍କୋଚ ଆଦାୟ କରି ଠିକାଦାର ମାଲେମାଲ ହେଉଥିବାବେଳେ ନୀରିହ ଆଦିବାସୀମାନେ ପ୍ରତାରଣାର ଶୀକାର ବନୁଛନ୍ତି। ତୁମ ଘରେ ଶୀଘ୍ର ବିଜୁଳି ବତୀ ଜଳିବ କହି ପ୍ରତିଦିନ ଭିନ୍ନ ଭିନ୍ନ ଲୋକଙ୍କ ଜରିଆରେ ବିଭିନ୍ନ ପରିବାରରୁ ସଂପୃକ୍ତ ଠିକାଦାରଙ୍କ ତରଫରୁ ଏହି ଟଙ୍କା ଆଦାୟ ହେଉଛିବୋଲି ଆଦିବାସୀମାନେ ଅଭିଯୋଗ କରିଥିବାବେଳେ ଟଙ୍କା ଆଦାୟ କରୁଥିବା ଲୋକଙ୍କ ମଧ୍ୟରୁ ଜଣକୁ ଧରି ଯାଜପୁରରୋଡ ପୋଲିସ ହାତରେ ଜିମା ଦେଇଛନ୍ତି। ଆମେ ଘଟଣାସ୍ଥଳରେ ପହଂଚି ଏ ସଂକ୍ରାନ୍ତରେ ସଂପୃକ୍ତ ଠିକାଦାରଙ୍କ କର୍ମଚାରୀଙ୍କୁ ଏନେଇ ପଚାରିବାରୁ ଆମ ନାଁ କହି କିଏ ଅର୍ଥ ଆଦାୟ କରୁଥିବବୋଲି କହିବାସହ ଆମେ କାହାଠାରୁ ଅର୍ଥ ଆଦାୟ କରିନାହୁଁବୋଲି ମତ ଦେଇଥିଲେ। ତେବେ କାମ ନେଇଥିବା ସଂପୃକ୍ତ ଠିକାଦାରଙ୍କ ସହ ଯୋଗାଯୋଗ କରିବାକୁ ମୋବାଇଲ ନମ୍ବର ମାଗିଥିବାବେଳେ ସଂପୃକ୍ତ କର୍ମଚାରୀ ତାଙ୍କ ପାଖରେ ମାଲିକଙ୍କ ନମ୍ବର ନାହିଁ ବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top