ସୋରେଜ ବୋର୍ଡ କଳେଙ୍କାରୀ ବଦଳି ହୋଇଥିବା ଯନ୍ତ୍ରୀ ଓ ବହିଷ୍କୃତ ପିଅନଙ୍କୁ ସୁରକ୍ଷା ଦେଉଛି କିଏ?

ରାଉରକେଲା ୧୬-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସହରରେ ବ୍ୟବସ୍ଥିତ ଉପାୟରେ ସୋରେଜ କାମ କରି ନ ପାରି ଦୈନିକ ଲୋକଙ୍କୁ ଦହଗଞ୍ଜ ଅବସ୍ଥାରେ ରହିବାକୁ ବାଧ୍ୟ କରୁଥିବା ସୋରେଜ ବୋର୍ଡରେ କଳେଙ୍କାରୀ ଥମିବାର ନାମ ନେଉନାହିଁ। ସହରର ବିକାଶ ପାଇଁ ସାଧାରଣ ଲୋକ ମୁହଁରେ ତୁଣ୍ଡି ମାରିଦେଇ ଥିବାବେଳେ ରାଜନୈତିକ ଛତ୍ରଛାୟାରେ ଜନୈକ ବଦଳି ହୋଇଥିବା ଯନ୍ତ୍ରୀ ଓ ବହିଷ୍କୃତ ପିଅନଙ୍କୁ ସୋରେଜ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ଦାୟୀତ୍ୱ ଦେଇ କିଏ ଓ କାହିଁକି ସୁରକ୍ଷା ଦେଉଛନ୍ତି ସେ ନେଇ ବିଭାଗ ମଧ୍ୟରେ ଆଲୋଚନା ଜୋର ଧରିଛି। ସରକାରୀ ଚାକିରିରେ ବଦଳି ଏକ ନିୟମିତ ପ୍ରକ୍ରିୟା. ତେବେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଗତ ୨୧ ମାସ ପୂର୍ବେ ୦୩/୦୯/୨୦୧୬ ରେ ଚିଠି ସଂଖ୍ୟା ୨୧୨୮୮ରେ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ସେଠୀଙ୍କୁ ବିଭାଗୀୟ ସଚୀବ ଖଣ୍ଡପଡାକୁ ବଦଳି ନିର୍ଦ୍ଦେଶ ଦେଇଥିଲେ ହେଁ ତାଙ୍କୁ ଏଠାରୁ ଅଦ୍ୟବଧି ରିଲିଭ ଦିଆଯାଇ ପାରିନାହିଁ। ତେବେ ବିଭାଗୀୟ ସଚୀବଙ୍କ ନିର୍ଦ୍ଦେଶକୁ ବେଖାତିର କରିବାର ସାମର୍ଥ୍ୟ ରଖୁଥିବା ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ଘଡାଇଙ୍କ ଦିନ ଓ ରାତିର ଆବଶ୍ୟକତାକୁ ଯନ୍ତ୍ରୀ ପୂରଣ କରିବାରେ ସିଦ୍ଦହସ୍ତ ଥିବାରୁ ତାଙ୍କୁ ରିଲିଭ କରିବାକୁ ଉଚିତ ମଣୁନାହାନ୍ତି ଅଧିକାରୀ। କେବଳ ସେତିକି ନୁହେଁ ସହକାରୀ ଯନ୍ତ୍ରୀଙ୍କୁ ବେସରକାରୀ କାର୍ଯ୍ୟରେ ପୂର୍ଣ୍ଣ ମାତ୍ରାରେ ସାହାର୍ଯ୍ୟ କରିବା ପାଇଁ ଜଣେ ଜନସ୍ୱାସ୍ଥ୍ୟ ବିଭାଗର ପୂର୍ବତନ ତଥା ବହିଷ୍କୃତ ପିଅନକୁ କାର୍ଯ୍ୟାଳୟ ପରିସରରେ ଏକ ବାସଗୃହ ବେଆଇନ ଭାବେ ନିର୍ମାଣ କରାଇ ତାଙ୍କୁ ସପରିବାରେ ରହିବାକୁ ସୁଯୋଗ ମେଲାଇ ଦେଇଛନ୍ତି। ଅନେକ ଗରୀବ ଲୋକମାନେ ଇନ୍ଦିରା ଆବାସ ଘରଟିଏ ପାଇଁ ସରକାରୀ ଅଧିକାରୀ ଓ ନେତାଙ୍କ ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ ମଧ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ ଚାଳଟିଏ ଯୋଗାଡ କରିପାରୁ ନଥିବା କଥା ଆଉ କାହାକୁ ଅଛପା ନଥିବାବେଳେ ଏଠାରେ ଅଧିକାରୀଙ୍କ ଏଭଳି ବେଆଇନ ବଦାନ୍ୟତା ଘଟଣାକୁ ରହସ୍ୟବୃତ କରୁଛି। ପ୍ରକାଶ ଥାଉକି, ବଦଳି ହୋଇଯାଇଥିବା ସହକାରୀ ଯନ୍ତ୍ରୀ ଶ୍ରୀ ସେଠୀ ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ଗେଷ୍ଟ ହାଉସରେ ଦିର୍ଘ ବର୍ଷ ହେବ ଉପରିସ୍ଥ ଅଧିକାରୀଙ୍କ ସୀକୃତରେ ବିଭିନ୍ନ କାରନାମା କରି ଅପଦସ୍ତ ହେବାର ନଜିର ମଧ୍ୟ ସମସ୍ତଙ୍କୁ ଜଣା। ମାତ୍ର ଏକମାତ୍ର ଉପରିସ୍ଥ ଅଧିକାରୀ ଶ୍ରୀ ଘଡାଇଙ୍କ କାମକୁ ସେ ସୁଚାରୁ ରୁପେ ତୁଲାଉଥିବାରୁ ତାଙ୍କୁ ସେ ଏଠାରୁ ଛାଡିବାକୁ ନାରାଜ ବୋଲି କିଛି କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସେ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ସରକାର ସୂଚନା ଅଧିକାର ଆଇନକୁ କଡାକଡି ପାଳନ କରିବାକୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବିଭାଗୀୟ ସଚୀବଙ୍କ ବଦଳି ନିର୍ଦ୍ଦେଶ ପାଳନ ଭଳି ସୂଚନା ଅଧିକାର ଆଇନ ମାଧ୍ୟମରେ କିଛି ତଥ୍ୟ ଯଦି କିଏ ମାଗିଲେ ତେବେ ତାଙ୍କୁ ନାଲି ଆଖି ଦେଖାଇବା ସହିତ ତୁମ ସୂଚନା ଆବେଦନ ଫର୍ମ ହଜିଗଲା ମଧ୍ୟ କହିବାକୁ ପଛାଉ ନାହାନ୍ତି ଯାହା ସରକାରୀ ବିଦ୍ଧିବ୍ୟବସ୍ଥା ପ୍ରତି ଏକ ତାତ୍ସଲ୍ୟ କହିଲେ ଅତ୍ୱ୍ୟକ୍ତି ହେବନାହିଁ। ସରକାରୀ କାର୍ଯ୍ୟାଳୟର ବାତାନୁକୁଳ ଗେଷ୍ଟ ହାଉସରେ ସଂଜ ନଂଇଲେ ରାଜନୈତିକ ଲୋକ ଓ କିଛି ବଛା ଠିକାଦାର ଦୈନିକ ଅନଧିକାର ଆମୋଦ ପ୍ରମୋଦ କରୁଥିବା ସମ୍ପର୍କରେ ସ୍ଥାନୀୟ ମହିଳା ସଂଗଠନ ମାନେ ପୂର୍ବରୁ ଥାନା, ଏସପି ଏଭଳିକି ବିଭାଗୀୟ ମୁଖିଆଙ୍କୁ ଅଭିଯୋଗ କରିଥିଲେ ହେଁ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ଠିକାଦାରଙ୍କ ଭାରିଯାନ କାର୍ଯ୍ୟାଳୟ ପରିସରରେ ରିତିମତ ପାର୍କିଂଗ ହେବା ବ୍ୟବସ୍ଥାର ଅପାରଗତାକୁ ପଦାରେ ପକାଉଛି। ସେହିଭଳି ଠିକାଦାରଙ୍କ ଠାରୁ ପିସି ଆଦାୟ ପାଇଁ ବହିଷ୍କୃତ ପିଅନ ଓ ସ୍ଥାନୀୟ ଛେଣ୍ଡ କଲୋନୀରେ ରହୁଥିବା ଜଣେ ଟ୍ରାକ୍ଟର ମାଲିକଙ୍କୁ ବିଭାଗୀୟ କାର୍ଯ୍ୟଳୟ ପକ୍ଷରୁ ଅଧିକାରୀ ମାନେ ବ୍ୟବହାର କରୁଥିବା କଛି ଠିକାଦାର ଚାପା ସ୍ୱରରେ ପ୍ରକାଶ କରିଛନ୍ତି। କୈାଣସି କାମର ଫାଇନାଲ ବିଲ ହେବା ପୂର୍ବରୁ ଅଧିକାରୀ ଶ୍ରୀ ଘଡାଇଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଯନ୍ତ୍ରୀ ଶ୍ରୀ ସେଠୀ କାମର ସମ୍ପୂର୍ଣ୍ଣ ତଦାରଖ କରି ରିପୋର୍ଟ ଦେବା ବେଳକୁ ଧାର୍ଯ୍ୟ ଆବଶ୍ୟକତା( ପିସି ) ବାବଦରେ ସଦିଛା ପ୍ରକାଶ କରି ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଆଦାୟ ପାଇଁ ଚେଷ୍ଟା କରନ୍ତି ବୋଲି ଠିକାଦାରଙ୍କ ଠାରୁ ପ୍ରକାଶ। ବିଗତ କିଛି ଦିନ ପୂର୍ବେ ଠିକାଦାର ଅରୁଣ ମିଶ୍ର ଅଧିକାରୀଙ୍କ ଏଭଳି ଶୋଷଣ ମନୋବୃତ୍ତି ପାଇଁ ଆତ୍ମହତ୍ୟାର ବାଟ ଚୟନ କରିବା ସୋରେଜ ବୋର୍ଡର କଳେଙ୍କାରୀକୁ ସର୍ବସମ୍ମୁଖକୁ ଆଣିଛି।

Leave a Reply

Your email address will not be published. Required fields are marked *