ସେମିଲିଗୁଡାର ୬ଟି ହୋଟେଲରୁ ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ ; ତା୧୬-୦୫-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମିଲିଗୁଡାର ୬ଟି ହୋଟେଲରେ ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା ଶ୍ରମ, ଶିଶୁ ମଙ୍ଗଳ ସମିତି, ଚାଇଲଡ ଲାଇନ ଓ ପୋଲିସର ମିଳିତ ଚଢାଉ କରି ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି।୮ ଜଣଙ୍କ ମଧ୍ୟରେ ୩ ଜଣ ବିଭିନ୍ନ ସ୍କୁଲର ଛାତ୍ର ରହିଥିବା ଜଣାପଡିଛି।ଘରେ ଆର୍ଥିକ ଅବସ୍ଥା ଠିକ ନ ଥିବାରୁ ଖାତା କ୍ରୟ ନିମନ୍ତେ ହୋଟେଲରେ କାମ କରୁଥିଲେ ଜଣାପଡିଛି। ଏହି ଚଡାଉ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ, ଶିଶୁ ମଙ୍ଗଳ ସମିତିର ଜୟଦେବ ପ୍ରଧାନ ଓ ଜଗୁ ନାୟକ, ସହାୟକ ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଗ୍ରାମୀଣ ଶ୍ରମ ନିରୀକ୍ଷକ ପଦ୍ମଲୋଚନ ପଣ୍ଡା, ଏନସିଏଲପିର କାର୍ଯ୍ୟକ୍ରମ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ଅଧିକାରୀ, ଚାଇଲଡ ଲାଇନର କେନ୍ଦ୍ର ସଂଯୋଜକ ଜସ୍ମିନ ମହାନ୍ତି, ସଦସ୍ୟ ହେମନ୍ତ କୁମାର ପାତ୍ର, ଚିନ୍ମୟ ଆଶିଷ କୁମାର, ବିଧୁସ୍ମିତା ବାଙ୍କା, ପୂର୍ଣ୍ଣିମା ଦାସ ଓ ପଦଲାମ କୁଲଦୀପ, ସୁନାବେଡା ଓ ସେମିଲିଗୁଡାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।ସେମିଲିଗୁଡାର ୬ ଟି ହୋଟେଲରେ ଚଢାଉ କରାଯାଇଥିଲା ବୋଲି ସହାୟକ ଶ୍ରମ ଅଧିକାରୀ ଶ୍ରୀ ପଣ୍ଡା ପ୍ରକାଶ କରିବା ସହ ଆଗାମୀ ଦିନରେ ଚଢାଉ ଜାରିରହିବ ବୋଲି ପ୍ରକାଶ କରିଥିଲେ।

ଏକ ଆଦର୍ଶ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ର ଘରେ ଅର୍ଥ ଅଭାବ ଓ ଖାତା କ୍ରୟ କରିବା ନିମନ୍ତେ ଏବଂ ସ୍କୁଲ ଛୁଟି ଥିବାରୁ ହୋଟେଲରେ କାମ କରୁଥିଲା ବୋଲି ଉଦ୍ଧାର ଶିଶୁ ଶ୍ରମିକ ପ୍ରକାଶ କରିଥିଲା।ଆଗାମୀ ଦିନରେ ପାଠ ପଢିବ ଓ ଛୁଟିରେ ଘରେ ରହି କାମ କରିବ ବୋଲି ସେ ସୂଚନା ଦେଇଥିଲା। ସେମିଲିଗୁଡାର ବିଭିନ୍ନ ହୋଟେଲରୁ ୮ ଜଣ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ପ୍ରକାଶ କରିଥିଲେ।ଆଜି ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯାଇଛି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାମାନଙ୍କୁ ପାଠପଢାର ବନ୍ଦୋବସ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *