ସେପ୍ଟେମ୍ବର ୧୮ରୁ ସମୂହ ଛୁଟିରେ ଯିବେ ରାଜ୍ୟର ସେବାରତ ୮୫୦୦ ଡିପ୍ଲୋମା ଇଞ୍ଜିନିୟର

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଦୀର୍ଘ ପାଞ୍ଚବର୍ଷ ଧରି ସରକାରଙ୍କ ନିକଟରେ ଗୁହାରୀ ଜଣାଇବା ସତ୍ତ୍ୱେ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ କ୍ୟାଡ଼ର ପୁନର୍ଗଠନର ନ୍ୟାୟ ମିଳିଲା ନାହିଁ  । ସରକାର ଡିଗ୍ରୀ ଇଞ୍ଜିନିୟରମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ସର୍ବନିମ୍ନ ନ୍ୟାୟ ପ୍ରଦାନ ନିମିତ୍ତ ପ୍ରସ୍ତୁତ ନୁହଁନ୍ତି  । ଡିଗ୍ରୀ ଇଞ୍ଜିନିୟମାନଙ୍କ ନିଯୁକ୍ତି ପଦବୀ ପାଞ୍ଚବର୍ଷ ତଳୁ ସହକାରୀ ନିର୍ବାହୀ ଯନ୍ତ୍ରୀ କରାଯାଇଥିବା ବେଳେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ନିଯୁକ୍ତି ପଦବୀ ସହକାରୀ ଯନ୍ତ୍ରୀ କରାନଯାଇ କନିଷ୍ଠ ଯନ୍ତ୍ରୀ ରଖାଯାଇଛି  । ସେହିଭଳି ଗତ ମାର୍ଚ୍ଚ ମାସରୁ ସରକାର ପଞ୍ଚାୟତରାଜ ବିଭାଗରେ କାର୍ଯ୍ୟରତ ଜିପିଟିଏ ମାନଙ୍କୁ କନିଷ୍ଠ ଯନ୍ତ୍ରୀ ପଦବୀରେ ନିୟମିତ କରିବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ନେଇ ସାରିଥିଲେ ମଧ୍ୟ ବିଭାଗୀୟ ମନ୍ଥରତା ହେତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ  । ଏହି ବିଭାଗର କନିଷ୍ଠ ଯନ୍ତ୍ରୀମାନେ ସରକାରଙ୍କ ନିୟମ ଥିବା ସତ୍ତ୍ୱେ ସହକାରୀ ଯନ୍ତ୍ରୀ ହୋଇପାରୁ ନାହାନ୍ତି  । ଡିଗ୍ରୀ ଇଞ୍ଜିନିୟରମାନଙ୍କ ପଦୋନ୍ନତି ହାର ଶତକଡ଼ା ୮୨ ଭାଗ ଥିବା ସମୟରେ ଡିପ୍ଲୋମା ଇଞ୍ଜିନିୟରମାନଙ୍କ ପଦୋନ୍ନତି ହାର ମାତ୍ର ଶତକଡ଼ା ୧୩ରେ ସୀମିତ  । ଏହା ସତ୍ତ୍ୱେ ରାଜ୍ୟ ସରକାର ଡିଗ୍ରୀ ଇଞ୍ଜିନିୟରମାନଙ୍କୁ ପୁନର୍ବାର ଅଧିକ ଅନୁକମ୍ପା ଦେଖାଇ ଓଡ଼ିଶା ପି.ଡବ୍ଲ୍ୟ.ଡି. କୋର୍ଡ଼କୁ ଅଣଦେଖା କରି ଦ୍ୱିତୀୟବାର ସେମାନଙ୍କର କ୍ୟାଡ଼ର ପୁନର୍ଗଠନ କରିବାକୁ ଯାଉଛନ୍ତି  । ଏହା ରାଜ୍ୟର ସେବାରତ ଆଠହଜାର ପାଞ୍ଚଶହ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ମର୍ମାହତ କରିଛି  । ସଂଘ ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରମାନେ ଗଣତାନ୍ତ୍ରିକ ପନ୍ଥାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ନିମିତ୍ତ ସମସ୍ତ ଉଦ୍ୟମ କରି ବିଫଳ ହେବା ପରେ ସଂଘ ସମୂହ ଛୁଟି ନିଷ୍ପତ୍ତି ଗ୍ରହଣ କରିଛି  । ସରକାର ଡିପ୍ଲୋମା ଇଞ୍ଜିନିୟମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଗ୍ରହଣ କରୁନଥିବାରୁ ସଂଘ ଆଠହଜାର ପାଞ୍ଚଶହ ସଦସ୍ୟ ସଦସ୍ୟା ଆସନ୍ତା ସେପ୍ଟେମ୍ବର ମାସ ୧୮ ତାରିଖରୁ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବେ  । ଭବିଷ୍ୟତରେ ଏଥିନିମିତ୍ତ ଉତ୍ପନ୍ନ ଯେକୌଣସି ପ୍ରକାର ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଏକତରଫା ଜିଦ୍ଖୋର ମନୋଭାବ ହିଁ କେବଳ ଦାୟୀ ରହିବ  ।

Leave a Reply

Your email address will not be published. Required fields are marked *