ଓଡ଼ିଶା

ସେପ୍ଟେମ୍ବର ୧୦ରେ ମିଳିତ ବି.ଏଡ୍ ଶିକ୍ଷକ ମହାସଂଘର ବିଧାନସଭା ଘେରାଉ

– ୩ ସେପ୍ଟେମ୍ବରରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
– ୬ ସେପ୍ଟେମ୍ବର, ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମାନ୍ୟବରର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
– ୧୦ ସେପ୍ଟେମ୍ବର ଦିବା ୧୧ ଘଣ୍ଟା ସମୟରେ ଭୁବନେଶ୍ୱର ରେଲୱେ ଷ୍ଟେସନ୍ରୁ ବିଧାନସଭା ଘେରାଉ ଅଭିମୁଖେ ମହାସମାବେଶ ଓ ଲୋୟର ପି.ଏମ୍.ଜି. ଠାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର, ତା ୨ା୯ା୨୦୧୮ (ଓଡ଼ିଆ ପୁଅ) : ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓ ରାଜ୍ୟସରକାରଙ୍କ ପ୍ରଣୀତ ରାଜ୍ୟ ଶିକ୍ଷାନୀତି ୨୦୧୦କୁ ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିନାହିଁ। ଏନ୍.ସି.ଟି.ଇ. ର ନିୟମ ତଥା କେନ୍ଦୀୟ ନିର୍ଦ୍ଦେଶନାମା ଅନୁସାରେ ବି.ଏଡ୍. ଶିକ୍ଷକମାନଙ୍କୁ ରାଜ୍ୟର ବିଭିନ୍ନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଥିଲେ ମଧ୍ୟ ୧୯୯୭ ମସିହାରୁ ପ୍ରଚଳିତ କ୍ୟାଡର ରୁଲ୍ ଆଧାରରେ ଦରମା ପ୍ରଦାନ କରାଯାଉଅଛି, ଯାହାକି ଶିକ୍ଷାଅଧିକାର ଆଇନ୍ର ସମ୍ପୂର୍ଣ୍ଣ ପରିପନ୍ଥୀ ଅଟେ। ଓଡ଼ିଶା ସରକାର ୧.୭.୨୦୧୪ ମସିହାରୁ ଏକ କ୍ୟାଡର ରୁଲ୍ ପ୍ରସ୍ତୁତ କରିଥିଲେ ମଧ୍ୟ ତାହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିନାହାଁନ୍ତି। ବରଂ କିଛି ନ୍ୟସ୍ତସ୍ୱାର୍ଥ ଅଫିସରଙ୍କ ପ୍ରରୋଚନାରେ ପୁଣିଥରେ ୨୦୧୮ ମସିହାରେ କ୍ୟାଡର ରୁଲ୍ ସଂଶୋଧନ ଆଳରେ ବି.ଏଡ୍. ଶିକ୍ଷକମାନଙ୍କୁ ଏପର୍ଯ୍ୟନ୍ତ ହକ୍ ଦରମା ପ୍ରଦାନରୁ ବିରତ ରଖିଛନ୍ତି। ୨୦୦୧ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ଓ ଉନ୍ନିତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବି.ଏଡ୍ ଆଧାରରେ ଶିକ୍ଷକମାନଙ୍କୁ ନିଯୁକ୍ତି କରି ଅବସ୍ଥାପିତ କରିବା ପରେ ପୁନଶ୍ଚ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଦରଦ ରିଟ୍ ପିଟିସନ୍ କେସ୍ ନଂ- ଡବ୍ଲ୍ୟୁ.ପି.ସି. ୧୩୬୧/୨୦୧୦, ଡବ୍ଲ୍ୟୁ.ପି.ସି. ୧୭୬୨/୨୦୧୦ ଏବଂ ବ୍ୟାଚ୍ କେସ୍ଗୁଡ଼ିକରେ ସ୍ପଷ୍ଟ ଭାବରେ ମାନ୍ୟବର କୋର୍ଟ ଯୋଗ୍ୟତା ଆଧାରରେ ଏବଂ ଖାଲି ପଦବୀ / ସୃଷ୍ଟି ପଦବୀ ଆଧାରରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ଓ ତଦନୁଯାୟୀ ଦରମା ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ। ଓଡ଼ିଶା ସରକାର ଏଲିମେଣ୍ଟାରୀ ଶିକ୍ଷାକୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଭଳି ଦୁଇଭାଗରେ ବିଭକ୍ତ କରି ବିଜ୍ଞପ୍ତି ପ୍ରକାଶ କରିବା ସହ ଅଷ୍ଟମ ଶ୍ରେଣୀକୁ ଉଚ୍ଚବିଦ୍ୟାଳୟରୁ ପୃଥକ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ୍ କରିଥିଲେ ମଧ୍ୟ ଏଯାବତ୍ ୨୦୦୧ ମସିହାଠାରୁ ଏଯାବତ୍ ବି.ଏଡ୍ ଭିତ୍ତିରେ ସମସ୍ତ ଶିକ୍ଷକଙ୍କୁ କେବଳ ପ୍ରାଥମିକ ଶିକ୍ଷକ ହିସାବରେ ପୂର୍ବ ପ୍ରଚଳିତ ମାଟି୍ରକ୍ ସିଟି ବେତନ ପ୍ରଦାନ କରୁଛନ୍ତି, ଯାହାକି ଶିକ୍ଷା ଅଧିକାର ଆଇନର ଖୋଲା ଉଲ୍ଲଙ୍ଘନ କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ ବ୍ୟତୀତ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକମାନଙ୍କୁ ଓ.ଟି.ଇ.ଟି. ପେପର-୨ ପାସ୍ କରି ନିଯୁକ୍ତ ହୋଇଥିଲେ ମଧ୍ୟ ମାତ୍ର ୬୫୧୨ ଟଙ୍କାରେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟର ସମସ୍ତ ବର୍ଗର ଠିକା ତଥା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୭ମ ବେତନ ଆଧାରରେ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ ମଧ୍ୟ ଏଯାବତ୍ ସେମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରାଯାଇନାହିଁ।

ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓ ରାଜ୍ୟ ଶିକ୍ଷାନୀତି ୨୦୧୦ ଅନୁସାରେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୦୯ ମସିହାର କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ (ଷଷ୍ଠ, ସପ୍ତ ଓ ଅଷ୍ଟମ) ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ବି.ଏଡ୍ ଭିତ୍ତିରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଆସୁଅଛି। ମାତ୍ର ସରକାରୀ କଳ କେତେକ ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ପ୍ରରୋଚନାରେ ଗତ ୨୦୧୬ ମସିହାଠାରୁ ଆଗକୁ ଯାଉଥିବା ଶିକ୍ଷା ବ୍ୟବସ୍ଥାକୁ କ୍ରମାଗତ ଭାବେ ଗୋଡଟଣା ନୀତି ଆଧାରରେ ପଛକୁ ପଛକୁ ଟଣା ଯାଉଛି ଓ ପରିଣାମ ସ୍ୱରୂପ ଅଧିକାଂଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ଶିକ୍ଷା ବ୍ୟବସ୍ଥା’ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଲାଣି। ଚଳିତବର୍ଷ କେନ୍ଦ୍ର ସରକାର ଏ.ଡବ୍ଲ୍ୟୁ. ଆଣ୍ଡ ପି.ଏ.ବି. ସୁପାରିଶରେ କେନ୍ଦ୍ର ସରକାର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୧୬୭୦୦ ଟଙ୍କା ଦରମା ପ୍ରଦାନ ପାଇଁ ନିଷ୍ପତ୍ତି ନେଇ ଓଡ଼ିଶା ସରକାରଙ୍କୁ ଜଣାଇ ସାରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଏହିସବୁ ବିଷୟକୁ ବିଚାରକୁ ନେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ନେଇ ଏକ ଅଭିଜ୍ଞ ବିଷୟ ଭିତ୍ତିକ ଶିକ୍ଷକ ମଣ୍ଡଳୀ ସୃଷ୍ଟି କରି ଦରମା ପ୍ରଦାନ ନ କରନ୍ତି ତେବେ ଆଗାମୀ ବିଧାନସଭା ସମୟରେ ଚଳିତ ୧୦ ତାରିଖ ଦିନଠାରୁ ସମସ୍ତ ବି.ଏଡ୍ ଭିତ୍ତିରେ ନିଯୁକ୍ତ ଶିକ୍ଷକ ସ୍ଥାନୀୟ ଲୋୟର ପି.ଏମ୍.ଜି.ଠାରେ ବିକ୍ଷୋଭ ପ୍ରଦର୍ଶନରେ ଏକ ମହାସମାବେଶ କରି ବିଧାନସଭା ଘେରାଉ କରିବେ ବୋଲି ମହାସଂଘ ତରଫରୁ ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ କୁମାର ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ଅଜୟ କୁମାର ଧଳ, ଦେବେନ୍ଦ୍ର କୁମାର ନାୟକ, ରଞ୍ଜନ ମହାନ୍ତି, ମୁରଲୀଧର ନାୟକ, ସଚିକାନ୍ତ ମିଶ୍ର, ସୁଧୀର କୁମାର ପ୍ରଧାନ, ଉମେଶ ଚନ୍ଦ୍ର ନାୟକ, ସରୋଜ କୁମାର ପଣ୍ଡା, ନୃସିଂହ ଚରଣ ସାହୁ, ଦୁର୍ଯେ୍ୟାଧନ ଦାସ, ଅମୂଲ୍ୟ କୁମାର ଲେଙ୍କା, ଅର୍ଚ୍ଚନା ଜେନା, ସବିତା ପାଣିଗ୍ରାହୀ, ମକର କେତନ ସାହୁ, ସନ୍ତୋଷ ମିଶ୍ର, ଅଜୟ ବିଶ୍ୱାଳ, ରତିକାନ୍ତ ଦାସ, ବଳରାମ ପତି, ପ୍ରତାପ ବେହେରା, ମହେନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ନାୟକ, ନୀଳକଣ୍ଠ ସୁନା, କ୍ଷୀରୋଦ ସ୍ୱାଇଁ, ଲଲାଟେନ୍ଦୁ ମହଲ, ପ୍ରଦୁମ୍ନ ବାରିକ ପ୍ରମୁଖ ଶିକ୍ଷକ ନେତାମାନେ ଚରମ ଚେତାବନୀ ଦେଇଛନ୍ତି।

ପ୍ରକାଶଥାଉକି, ଗତ ବିଧାନସଭା ସମୟରେ ରାଜ୍ୟ ସରକାରଙ୍କ ତୃତୀୟ ମହଲା ତରଫରୁ ତୁରନ୍ତ ଏହି ସମସ୍ୟାର ସମାଧାନ କରି ନ୍ୟାୟ ପ୍ରଦାନ ସହ ଟି.ଜି. ବେତନ ପ୍ରଦାନ ପାଇଁ ଦୃଢ ପ୍ରତିଶ୍ରୁତି ମିଳିଥିଲା, ମାତ୍ର ଦୀର୍ଘ ୧୧ ମାସ ଅତିକ୍ରାନ୍ତ କରିଥିବା ବେଳେ ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ରାଜ୍ୟ ସରକାରଙ୍କ ଶିକ୍ଷକମାନଙ୍କୁ ନ୍ୟାୟ ଦେବାରେ ବୈମାତୃକ ମନୋଭାବ ତଥା କାଳକ୍ଷେପଣ ନୀତି ଶିକ୍ଷକମାନଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି ଓ ପରୋକ୍ଷରେ କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ପ୍ରେସ୍ ଇସ୍ତାହାର ମାଧ୍ୟମରେ ମହାସଂଘର ଆବାହକ ଉମେଶ ଚନ୍ଦ୍ର ନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top