ଓଡ଼ିଶା

ସେଦିନ ୧୯୪୨ ଓ ଆଜି ୨୦୧୮

ସମ୍ବଲପୁର, ୨୩/୯ (ଓଡ଼ିଆ ପୁଅ) – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର। ଦୁର୍ଲଗା, ମାଲିମୁଣ୍ଡା ଓ ତାଲମାଲ ଗ୍ରାମର ୧୭୯୨ ଏକଡ଼ ଜମି ବିମାନବନ୍ଦର ପାଇଁ ନିଆଯାଇଥିଲା। ବିଶେଷ କରି ଯୁଦ୍ଧ ଜାହାଜଗୁଡ଼ିକରେ ଇନ୍ଧନ ଭରିବା ସକାଶେ ଏହି ବିମାନବନ୍ଦର ବ୍ୟବହୃତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମ ସମୟରେ ବିମାନବନ୍ଦରରେ ଘଟିଥିବା ଏକ ଅଗ୍ନିକାଣ୍ଡ ମଣିଷକୃତ ଥିଲା ଏବଂ ଏହା ପଛରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ହାତ ଥିବାର ସନ୍ଦେହ କରାଯାଇଥିଲା। ସ୍ୱାଧୀନତା ପରେ ଏହି ବିମାନବନ୍ଦର କଦାଚିତ କେତେବେଳେ କେମିତି ବିଶିଷ୍ଟ ବ୍ୟକ୍ତିମାନଙ୍କର ବିମାନର ଅବତରଣ ସକାଶେ ଉପଯୋଗ ହେଉଥିଲା। ଦ୍ୱିତୀୟ ବାଟାଲିୟନ ଓଡ଼ିଶା ଆର୍ମଡ଼ ଫୋର୍ସ ପ୍ରତିଷ୍ଠା ସମୟରେ ପ୍ରୋକ୍ତ ୧୭୯୨ ଏକଡ଼ ଜମି ମଧ୍ୟରୁ ୭୭୪ଏକଡ଼ ଜମି ଓଡ଼ିଶା ସରକାର ନେଇଥିଲେ। ସେଥିମଧ୍ୟରୁ ୪୮୭ ଏକଡ଼ ଜମିରେ ଦ୍ୱିତୀୟ ବାଟାଲିୟନ ପ୍ରତିଷ୍ଠା କରାଯାଇଥିଲା। ଝାରସୁଗୁଡ଼ା ବିମାନବନ୍ଦରକୁ ସବୁଦିନିଆ କରିବା ପାଇଁ ବରାବର ଦାବି ହୋଇ ଆସୁଥିଲା। ଉଡ଼ାଣ ଯୋଜନା କାର୍ଯ୍ୟକାରୀ ହେବାପରେ ଏଥିପାଇଁ ଦ୍ୱାର ଉନ୍ମୁକ୍ତ ହୋଇଥିଲା ଏବଂ ଆଜି ଅନେକ ଦିନର ସ୍ୱପ୍ନ ସଫଳ ହୋଇଛି। ଦେଶର ବିଭିନ୍ନ ମହାନଗରୀ ସହିତ ଆଜିର ଏହି ପୁନର୍ଜନ୍ମିତ ବିମାନବନ୍ଦରର ସିଧାସଳଖ ସମ୍ପର୍କକୁ ନେଇ ଅଞ୍ଚଳବାସୀ ଖୁବ୍ ଆଶାବାଦୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top