ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ବେଲଜିୟମ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ସୂଚନା, ଯୋଗାଯୋଗ, ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବେଲଜିୟମ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ନଭେମ୍ବରରେ ବେଲଜିୟମ ରାଜା ଫିଲିପ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଏମଓୟୁରେ ସ୍ୱାକ୍ଷର କରିଥିଲେ। ଏମଓୟୁରେ ଥିବା ବ୍ୟବସ୍ଥା ଅନୁଯାୟୀ ସୂଚନା, ଯୋଗାଯୋଗ ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ ନୀତି, ସୂଚନା ଯୋଗାଯୋଗ ପ୍ରଯୁକ୍ତି ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ନିର୍ମାଣ ଏବଂ ସେବାର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଗବେଷଣା ତଥା ଡିଜିଟାଲ ଏଜେଣ୍ଡା ପ୍ରଯୁକ୍ତି, ଇ-ଶାସନ, ଇ-ଜନସେବା ଯୋଗାଣ, ସମ୍ମିଳନୀରେ ଭାଗିଦାରୀ, ଅଧ୍ୟୟନ ଏବଂ ବିଶେଷଜ୍ଞଙ୍କ ବିନିମୟ, ସାଇବର ସୁରକ୍ଷା, ଡାଟା ଏଡିକ୍ୟୁଏସି ମାମଲାର ସମାଧାନ, ବଜାର ଉପଲବ୍ଧତା, କାରବାର ଏବଂ ସେବା କ୍ଷେତ୍ରରେ ଶ୍ରେଷ୍ଠ ଅଭ୍ୟାସରେ ଭାଗିଦାରୀ କରାଯିବ।

ସୂଚନାଯୋଗ୍ୟ ଯେ ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ସହଯୋଗ ଲାଗି ବିଭିନ୍ନ ଦେଶ ସହିତ ସହଯୋଗ କରୁଅଛି। ବର୍ତମାନର ଜ୍ଞାନ ଯୁଗରେ ଆଇସିଟି ଆର୍ଥିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ଦେଶର ଆର୍ଥିକ ତଥା ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

ବେଲଜିୟମ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ର, ବିଶେଷ କରି ଇ-ଶାସନ, ଇଲେକଟ୍ରୋନିକ୍ସ ପରିଚୟପତ୍ର ଏବଂ ୱେବଆଧାରିତ ଟିକସବ୍ୟବସ୍ଥା ଆଦିରେ ଦକ୍ଷତା ହାସଲ କରିଛି। ଭାରତ ଏବଂ ବେଲଜିୟମ ମଧ୍ୟରେ ନିବିଡ଼ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ୟୁରୋପୀୟ ସଂଘରେ ବେଲଜିୟମ, ଭାରତର ଦ୍ୱିତୀୟ ସବୁଠୁ ବଡ଼ ବ୍ୟବସାୟିକ ସହଭାଗୀ ଅଟେ।

Leave a Reply

Your email address will not be published. Required fields are marked *