ad
ଅପରାଧ

ସୂଚନା ଫଳକରେ ସୀମିତ ବିଦ୍ୟାଳୟ ପାଚେରୀ , ସରକାରୀ କର୍ମଚାରୀ ଠିକାଦାର ସଲାସୁତରା ଲିପିବଦ୍ଧ ପରେ ଅର୍ଥ ହରିଲୁଟ

ହରିଚନ୍ଦନପୁର,ତା ୩୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢାଖମଣ ଗ୍ରାମ ପଞ୍ଚାୟତ ନିକଟସ୍ଥ ନଳପଙ୍ଗା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପାଚେରୀ ଟଙ୍କା ସୂଚନା ଫଳକରେ ସୀମିତ ହୋଇଯାଇଛି ,ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ସରକାର ଆଦିବାସୀ ଓ ଗ୍ରାମାଞ୍ଚଳ ଗୁଡ଼ିକର ବିକାଶକୁ ଆଖି ଆଗରେ ରଖି ବାର୍ଷିକ କୋଟି କୋଟି ଟଙ୍କା ବିଭିନ୍ନ ସଂସ୍ଥା ମାଧ୍ୟମରେ ଖର୍ଚ୍ଚ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସ୍ୱଚ୍ଛ ପାନୀୟ ଜଳ ଭଳି ଅନେକ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ହେଲେ ସେହି ଯୋଜନା ଗୁଡିକ ଠିକ୍ ଭାବରେ ରୂପାୟନ ହେଉଛି କି ନାହିଁ, ସେ ବିଷୟରେ ତଦାରଖ କରିବା ନିମନ୍ତେ ସରକାର ମାସିକ ଲକ୍ଷାଧିକ ଟଙ୍କା ଦରମା ଦେଇ ସ୍ତର ଅନୁଯାୟୀ କର୍ମଚାରୀ ନିୟୋଜିତ କରିଛନ୍ତି । ସେହି କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବକୁ ନେଇ ଏହି ଭଳି ଅନେକ ଯୋଜନା ଠିକ୍ ଭାବରେ ରୂପାୟନ ହେଉନାହିଁ । ଯାହା ଫଳରେ କନିଷ୍ଠଯନ୍ତ୍ରୀଙ୍କ ସହ ଠିକାଦାର ସଲାସୁତରା ହୋଇ ସରକାରୀ ଅନୁଦାନକୁ ଆତ୍ମସାତ କରି ମାଲେମାଲ ହେବାକୁ ବସିଛନ୍ତି । ଠିକାଦାର ସରକାରୀ କର୍ମଚାରୀମାନଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ ସ୍ଥାନୀୟ ଆଦିବାସୀ ଲୋକମାନଙ୍କୁ ଭୂଆଁ ବୁଲାଇ ନିମ୍ନମାନର କାର୍ଯ୍ୟ କରିବା ସହ ଅନେକ କାର୍ଯ୍ୟ ଆରମ୍ଭ ନକରି ଟଙ୍କା ଉଠାଇ ନେଉଥିବାର ନଜିର ରହିଛି । ଏହିଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ହରିଲୁଟ ହେଉଥିବାକୁ ନେଇ ଅନେକ ଅଞ୍ଚଳ ଆଜିକା ଦିନରେ ବିକାଶରୁ ଅନେକ ଦୂରରେ ରହିଯାଇଛି । ହରିଚନ୍ଦନପୁର ବ୍ଲକ ଏକ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଅଞ୍ଚଳରେ ଅଧିକାଂଶ ଲୋକ ଆଦିବାସୀ ଶ୍ରେଣୀ ଅଟନ୍ତି । ଏହି ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଠ ପଢିବାରୁ ବଞ୍ଚିତ ନହେବାକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ୨୩/୦୪/୧୯୬୭ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟ ହଷ୍ଟେଲରେ ୪୦ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ବିଦ୍ୟାଳୟର ଚତୃପାର୍ଶ୍ୱ ଆବଦ୍ଧ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପାଚେରୀ ଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ । ବିଦ୍ୟାଳୟ ନିକଟରେ ଜଙ୍ଗଲ ପରିପୃର୍ଣ୍ଣ ଅଞ୍ଚଳ ରହିଥିବା ବେଳେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଉପରେ ସରକାରୀ ଉଚ୍ଚ କର୍ତୃପକ୍ଷଙ୍କ ନଜର ପଡୁନଥିବାକୁ ନେଇ ଅଭିଭାବକ ମହଲରେ ବିଭିନ୍ନ ପ୍ରଶ୍ନ ଉଠୁଛି । ପାଚେରୀ ନଥିବାକୁ ନେଇ ବିଦ୍ୟାଳୟ ହଷ୍ଟେଲ ମଧ୍ୟରେ ରହୁଥିବା ଛାତ୍ର ଛାତ୍ରୀମାନେ ସଂନ୍ଧ୍ଯା ହେବା ମାତ୍ରକେ ହାତୀ , ବିଭିନ୍ନ ବନ୍ୟଯନ୍ତୁ ଓ ସରୀସୃପ ଭୟରେ କବାଟ ଝରକା ଲଗାଇ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ସାଧାରଣତଃ ସରକାରଙ୍କ ତରଫରୁ ବର୍ତମାନ ଦିନରେ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯାଇପାରିନାହିଁ । ବିଦ୍ୟାଳୟର ଚତୃପାର୍ଶ୍ୱ ପାଚେରୀ କରିବା ନିମନ୍ତେ ଗ୍ରାମବାସୀ ତଥା ବିଦ୍ୟାଳୟର ପରିଚାଳନା କମିଟ ପକ୍ଷରୁ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲା । ହେଲେ ବହୁତ ଦିନ ବିତିଯିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବିଦ୍ୟାଳୟର ନୂତନ ପାଚେରୀ ନିର୍ମାଣ ନିମନ୍ତେ ୨୦୧୭/୧୮ ମସିହାରେ ୩ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନରେ କାର୍ଯ୍ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶ ପରେ ଠିକାଦାର ଜଣଙ୍କ ଅତି ଚତୁରତାର ସହ ଲୋକଲୋଚନକୁ ନଆସିବା ଭଳି ବିଦ୍ୟାଳୟ ସମ୍ମୁଖ ପାଚେରୀ ଭିତର ପାଖରେ ସୂଚନା ଫଳକ ତିଆରି କରି ସେଠାରେ କାର୍ଯ୍ୟର ବିବରଣୀ ଲିପିବଦ୍ଧ କରିଥିଲେ । ଲୋକମାନଙ୍କ କହିବା ଅନୁଯାୟୀ ଠିକାଦାର କାର୍ଯ୍ୟଦେଶ ପାଇବା ପରେ ସୂଚନା ଫଳକରେ ଲିପିବଦ୍ଧ କରି କନିଷ୍ଠଯନ୍ତ୍ରୀଙ୍କ ସହ ହାତ ମିଶାଇ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ହୋଇଛି । ଆଜକୁ ଅନେକ ଦିନ ବିତିଯାଇଥିବା ସହ ସୂଚନା ଫଳକରୁ ବିବରଣୀ ଲିଭିଯିବାକୁ ବସିଥିବା ବେଳେ କାର୍ଯ୍ୟର ଦେଖା ନଥିବାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଏଥି ସହ ଆଜକୁ ଅନେକ ଦିନ ବିତିଯାଇଥିବା ବେଳେ କାର୍ଯ୍ୟର ଦେଖା ନଥିବାକୁ ନେଇ ଟଙ୍କା ଆତ୍ମସାତ ହୋଇଥିବାର ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି । ଶିକ୍ଷାବିତଙ୍କ କହିବା ଅନୁସାରେ ହରିଚନ୍ଦନପୁର ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଲକ୍ଷିତ ହୋଇଥିବାକୁ ନେଇ ଏଅଞ୍ଚଳର ଜନସାଧାରଣଙ୍କୁ ଠିକାଦାର ଓ କନିଷ୍ଠଯନ୍ତ୍ରୀ ଦିନରେ ଲଣ୍ଠନ ଦେଖାଇ ଉନ୍ନୟନମୂଳକ କାର୍ଯ୍ୟକୁ ଲୁଟି ଚାଲିଛନ୍ତି । ଏହି ଭଳି ଏଅଞ୍ଚଳର ଅନେକ ଗ୍ରାମରେ ଠିକାଦାର ଓ ସରକାରୀ କର୍ମଚାରୀ ହାତ ମିଶାଇ ଆସିଥିବା କାର୍ଯ୍ୟାଦେଶ ନାମରେ ଲକ୍ଷାଧିକ ଟଙ୍କା ହଡପ୍ କରିନେଉଥିବାର ବୁଦ୍ଧିଜୀବି ମହଲରେ ଅଭିଯୋଗ ହୋଇଛି । ସରକାରୀସ୍ତରରେ ଏହି ଭଳି ଆଦିବାସୀ ଅଞ୍ଚଳରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାଦେଶ ହୋଇଥିବା କିମ୍ବା ହେବାକୁଥିବା କାର୍ଯ୍ୟ ଉପରେ ଠିକ୍ ଭାବରେ ତଦାରଖ ଓ ତଦନ୍ତ କରାଗଲେ ଆଗାମୀ ଦିନରେ ଯୋଜନା ଗୁଡିକ ଠିକ୍ ଭାବରେ ରୂପାୟନ ହୋଇପାରନ୍ତା । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉଚିତ୍ କାର୍ଯ୍ୟନୁଷ୍ଠାନ ନେବା ସହ ବିଦ୍ୟାଳୟର ପାଚେରୀ ନିର୍ମାଣ ଉପରେ ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ନେବାକୁ ଏଅଞ୍ଚଳବାସୀ ଦାବି କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top