ସୂଚନା ଅଧିକାରକୁ ନେଇ ମହାସମ୍ମିଳନୀ ଉଦ୍ ଘାଟିତ – ଲୋକଙ୍କ ଆୱାଜ ହିଁ ସୂଚନା ଅଧିକାରକୁ ସଫଳ କରିବ : ହମିଦ୍ ଆନସାରୀ

ଭୁବନେଶ୍ୱର ୧୪-୧୦ (ଓଡିଆ ପୁଅ) : ଜନ ସୂଚନା ଅଧିକାରୀମାନେ ସୂଚନା ନ ଦେବା ଓ ସୂଚନା କମିଶନଗୁଡିକରେ ମାମଲାଗୁଡିକର ଅହେତୁକ ବିଳମ୍ବ ଯୋଗୁଁ ସୂଚନା ଅଧିକାର ଆଇନର ସଫଳତାରେ ବାଧା ସୃଷ୍ଟି ହେଉଛି। ତେବେ ଲୋକ ଏହା ବିରୋଧରେ ସ୍ୱର ଉଠାଇଲେ ହିଁ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ପୂର୍ବତନ ଉପ-ରାଷ୍ଟ୍ରପତି ଶ୍ରୀ ହମିଦ୍ ଅନସାରୀ। ଭୁବନେଶ୍ୱରେ ଶନିବାର ଦିନ ୫ମ ସୂଚନା ଅଧିକାର ସମ୍ମିଳନୀକୁ ଉଦଘାଟନ କରି ସେ ଏହା କହିଛନ୍ତି। ତେବେ କେନ୍ଦ୍ର ସୂଚନା କମିଶନ ତୁଳନାରେ ରାଜ୍ୟ ସୂଚନା କମିଶନଙ୍କ କାର୍ଯ୍ୟ ନୈରାଶ୍ୟଜନକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉତ୍କଳ ମଣ୍ଡପରେ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ୧୫ଟି ରାଜ୍ୟରୁ ଏକ ହଜାରରୁ ଅଧିକ ସୂଚନା ଅଧିକରା କର୍ମୀ, ମାନବାଧିକାର କର୍ମୀ, ସାମାଜିକ କର୍ମୀ ଓ ସାମ୍ବାଦିକକୁ ଉଦବୋଧନ ଦେଇ ଅନ୍ୟତମ ଅତିଥି ଜଷ୍ଟିସ୍ ଏ.ପି.ଶାହା କହିଲେ, ସୂଚନା ଅଧିକାର ଆଇନକୁ ଏଡାଇବା ପାଇଁ ସରକାରୀ ଅଧିକାରୀମାନେ ରେକର୍ଡ ପ୍ରସ୍ତୁତ କରି ରଖୁନାହାନ୍ତି। ଏବେ ସେମାନଙ୍କ ଅଧିକାଂଶ ସୂଚନା ହ୍ୱାଟସପ୍ ମାଧ୍ୟମରେ ହେଉଛି। ଯାହା ଦ୍ୱାରା ସ୍ୱଚ୍ଛତା ଓ ଉତରଦାୟିତ୍ୱକୁ ଏଡାଇ ଦେବାକୁ ସେମାନେ ଚେଷ୍ଟା କରୁଛନ୍ତି। ସେହିପରି ହ୍ୱିସଲ ବ୍ଲୋୟର ଆକ୍ଟ, ଲୋକପାଳ ଓ ଲୋକାୟୁକ୍ତ ଆଇନ ଲାଗୁ କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାର ଅଭାବକୁ ସେ ସମାଲୋଚନା କରିଥିଲେ। ଉଦଘାଟନୀ ଉତ୍ସବ ସମ୍ପର୍କରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସୂଚନା ଦେଇଥିବା ବେଳେ ଏନସିପିଆରଆଇ ଆବାହକ ଅରୁଣା ରାୟ ଅଧ୍ୟକ୍ଷତା କରିଥିଲେ। ପ୍ରଭାତ ପଟ୍ଟନାୟକ ବକ୍ତାମାନଙ୍କର ବକ୍ତବ୍ୟ ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ।

୧୫ଟି ରାଜ୍ୟରୁ ୧୦୦୦ରୁ ଅଧିକ ପ୍ରତିନିଧି

ଏହି ସମ୍ମିଳନୀରେ ୧୨ଟି ରାଜ୍ୟରୁ ଆରଟିଆଇ ଷ୍ଟଲ ଓ ମେଳା ଲାଗିଛି। ଦିନ ତମାମ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଆରଟିଆଇ ଓ ଶାସନ ବ୍ୟବସ୍ଥା ଉପରେ ଜିନ୍ ଡ୍ରେଜ୍, ଏମ୍ .କେ.ବେଣୁ, ଯାମିନୀ ଆୟାର, ନିତିନ ସେଠୀ ପ୍ରମୁଖ ଆଲୋଚନା କରିଥିଲେ। ଏହାକୁ ଅଧ୍ୟକ୍ଷତା କରିଥିଲେ ୱାଜାହାତ୍ ହବିବୁଲା ଓ ଭେଙ୍କେଟେସ୍ ନାୟକ। ସେହିପରି ଗଣତନ୍ତ୍ର, ଜନ ଆନ୍ଦୋଳନ ଓ ଆରଟିଆଇ ଉପରେ ଦମୟନ୍ତି ବାର୍ଲା, ସଂଜୟ ହାଜାରିକା, ଆନି ରାଜା ପ୍ରମୁଖ ଆଲୋଚନା କରିଥିଲେ। ଏଥିରେ ପ୍ରଫୁଲ ସାମନ୍ତରା ଓ ନିଖିଲ ଦେ ଅଧ୍ୟକ୍ଷତା କରିଥିଲେ। ଖାଦ୍ୟ ଅଧିକାର (ସାଧାରଣ ବଂଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ, ଆଇସିଡିଏସ୍ ), ଶିକ୍ଷା ଅଧିକାର– ସ୍ୱଚ୍ଛତା ଓ ଉତରଦାୟିତ୍ୱ ଉପରେ ନିଖିଲ ଦେବ, ଭିନସି, ଶୈଳେଶ ଗାନ୍ଧୀ, ଯାମିନୀ ଆୟାର ପ୍ରମୁଖ ଆଲୋଚନା କରିଥିଲେ। ମହିଳା ଅଧିକାର ଓ ଆରଟିଆଇ ଉପରେ ଆଲୋଚନାରେ କମଳା ଭାସିନ୍, ପଙ୍କତି ଯୋଗ, କାତାୟନି, ପୁଷ୍ପା ଲତା ପ୍ରମୁଖ ଭାଗ ନେଇଥିଲେ। ବଜେଟ୍ ସ୍ୱଚ୍ଛତା ଓ ଆରଟିଆଇ ଉପରେ ହୋଇଥିବା ଆଲୋଚନାରେ ରବି ଦୁଗଲ, ବସନ୍ତ ନାୟକ, ସୁବ୍ରତ ଦାଶ, ସୌମ୍ୟ କିଦାମ୍ବି, ଇନାୟତ୍, ବିଦ୍ୟା ଭେଙ୍କଟ ପ୍ରମୁଖ ଆଲୋଚନା କରିଥିଲେ। ବିବାଦୀୟ ଇଲାକାରେ ଆରଟିଆଇ ବ୍ୟବହାର ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ଶେଖ ଗୁଲାମ, ୱାଜାହାତ୍ ହବିବୁଲା, ଅପୂର୍ବାନନ୍ଦ, ପ୍ରଶାନ୍ତ ଭୂଷଣ ପ୍ରମୁଖ ଭାଗ ନେଇଥିଲେ। ବିସ୍ଥାପନ, ଥଇଥାନ ଓ ପୁନଃସ୍ଥାପନ ଉପରେ ପ୍ରଫୁଲ ସାମନ୍ତରା, ସନ୍ଦିପ ପଟ୍ଟନାୟକ, ଆଶିଷ ରଂଜନ, ମନୋହର, ରାମକୃଷ୍ଣ ରାଜୁ ପ୍ରମୁଖ ନିଜର ମତ ରଖିଥିଲେ। ରାଜନୈତିକ ସ୍ୱଚ୍ଛତା ଓ ଉତରଦାୟିତ୍ୱ ବିଷୟ ଉପରେ ଅନିଲ ବର୍ମା, ରାକେଶ ଡୁବୁଡୁ, ବିପୁଲ ମୁଦଗଲ୍, ପରଂଜୟ ଗୁହା ଥାକୁର୍ତା ପ୍ରମୁଖ ଆଲୋଚନା କରିଥିଲେ। ଗଣତନ୍ତ୍ର, ଭିନ୍ନମତ, ବାକ୍ ସ୍ୱାଧିନତା, ଉପରେ ସିଦ୍ଧାର୍ଥ ବର୍ଧରାଜନ, ପରଜଂୟ ଗୁହା ଥାର୍କୁତା, ପ୍ରଶାନ୍ତ ଭୂଷଣ, ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଆଲୋଚନା କରିଥିଲେ। ସଂଧ୍ୟାରେ ‘ଦସ୍ତକ’ ପ୍ରଦର୍ଶନ ହୋଇଥିଲା। ଏହି ସମ୍ମିଳନୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବା। ଶେଷ ଦିନ ଆଗାମୀ କାର୍ଯ୍ୟପନ୍ଥା ସମ୍ବଳିତ ଭୁବନେଶ୍ୱର ପ୍ରସ୍ତାବ ଗୃହୀତ ହେବା ସହ ସୂଚନା ଅଧିକାର ଆଇନକୁ ବ୍ୟବହାର କରି ସାରା ଦେଶରେ ସକ୍ରିୟ ଭାବେ ଆନ୍ଦୋଳନ ଚାଲିବ ବୋଲି ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *