ସୁରକ୍ଷା ଉପକରଣ ପ୍ରଦାନ ପାଇଁ ରାଉରକେଲା ଶ୍ରମିକ ସଂଘର ଦାବି

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାରୀ ପରିଷଦର ବୈଠକ ସଂଘର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟଙ୍କ ସଭାପତିତ୍ୱରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାଶ୍ମୀରରେ ଲଢେଇ କରି ୫ ଜଣ ଆତଙ୍କବାଦୀଙ୍କୁ ମାରି ଶେଷରେ ନିଜେ ଜୀବନ ଦେଇଥିବା ସୁନ୍ଦରଗଡ଼ ଜିଲ୍ଲାର ସହିଦ ବୀର ସୈନିକ ପ୍ରଦୀପ ପଣ୍ଡାଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରୀ ରାଉତରାୟ କହିଲେଯେ, ଆରଏସପି ତଥା ଶ୍ରମିକ ସମାଜର ଉନ୍ନତି ପାଇଁ ରାଉରକେଲା ଶ୍ରମିକ ସଂଘ ସର୍ବଦା କାର୍ଯ୍ୟ କରି ଆସିଛି। ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଏମଡିଏନ ପାନିକର ତାଙ୍କର ଦୀର୍ଘଦିନର ସମ୍ପର୍କ ଓ ହାଇକୋର୍ଟରେ ଏକ ରିଟ୍ ପିଟିସନ କରି ଆରଏସପିର ଶ୍ରମିକ କର୍ମଚାରୀଙ୍କ ପାଇଁ ଗୁପ୍ତ ଭୋଟର ଅଧିକାର ଆଣିଥିଲେ। କେବଳ ଆରଏସପି ନୁହେଁ, ସମଗ୍ର ଓଡ଼ିଶାର ବିଭିନ୍ନ କଳକାରଖାନାରେ ସ୍ୱୀକୃତି ନିର୍ବାଚନ ଗୋପନ ଭୋଟ ଦ୍ୱାରା କରାଯାଉଛି। ତେଣୁ ରାଉରକେଲା ଶ୍ରମିକ ସଂଘକୁ ବିଜୟୀ କରି ସ୍ୱର୍ଗତ ପାନିକରଙ୍କ ପ୍ରତି ଶ୍ରଦ୍ଧାଜଂଳି ଦେବା ପାଇଁ ଶ୍ରୀ ରାଉତରାୟ ସମସ୍ତ କର୍ମଚାରୀ ଓ କର୍ମକର୍ତାଙ୍କୁ ନିବେଦନ କରିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କହିଲେଯେ, ଆରଆଇକେକେଏସ ୟୁନିୟନ ଦୁଇଗୋଷ୍ଠୀରେ ବିଭକ୍ତ ହୋଇ ନିଜର ରାଜନୈତିକ ଗୁରୁ ମାନଙ୍କ ପ୍ରରୋଚନାରେ ଅଯଥା ରାଜନୈତିକ ହସ୍ତକ୍ଷେପ ଓ ମକଦ୍ଦମା କରି ହାଇକୋର୍ଟ ଓ ଶ୍ରମିକ କର୍ମଚାରୀଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଛନ୍ତି ଓ ଶ୍ରମିକ କର୍ମଚାରୀଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି। ସ୍ୱୀକୃତି ସମୟରେ କୌଣସି ଆର୍ଥିକ ସୁବିଧା ଦେଇନଥିବା ବେଳେ ଶ୍ରମିକ କର୍ମଚାରୀ ମାନଙ୍କୁ ବହୁ ଦିନରୁ ମିଳୁଥିବା ସୁବିଧା ସୁଯୋଗ ଗୁଡ଼ିକ କାଟି ଦେଇଛନ୍ତି। ମୃାନେଜମେଂଟ ଓ ସରକାରଙ୍କ ହାତବାରିସି ହୋଇ ଶ୍ରମିକ ସମାଜର ମିଳିତ ଆନ୍ଦୋଳନକୁ ଭଣ୍ଡୁର କରିଛନ୍ତି। ଆରଏସପିରେ ବହୁବାର ଦୁର୍ଘଟଣା ଘଟି କ୍ଷତି ହୋଇଛି। ପ୍ଲାଂଟରେ ସୁରକ୍ଷା ଉପକରଣ ଯଥା ସୁରକ୍ଷା ଜୋତା, ହେଲମେଟ, ଗ୍ଲୋଭସ, ଡଷ୍ଟ ମାସ୍କ, ଫେସ ସିଲ୍ଡ, ଗ୍ୟାସ ମନିଟର, ୱାକିଟକି ଆଦି ଶ୍ରମିକ କର୍ମଚାରୀ ମାନଙ୍କୁ ମିଳୁନାହିଁ। ଏହା ବ୍ୟତୀତ ହାତ ଧୋଇବା ପାଇଁ ସାବୁନ ଓ ମାର୍କିଂ କ୍ଲଥ ମଧ୍ୟ ମିଳୁନାହିଁ। ଶ୍ରମିକ କର୍ମଚାରୀ ମାନେ କୌଣସି ସୁରକ୍ଷା ଉପକରଣ ମାଗିଲେ ତାଙ୍କୁ ସମୟ ଘୁଂଚାଇ ଦିଆଯାଉଛି। ଏଣୁ ଶ୍ରମିକ ମାନଙ୍କୁ ସୁରକ୍ଷା ଉପକରଣ ଯଥାଶିଘ୍ର ପ୍ରଦାନ କରିବା ଲାଗି ଆରଏସଏସର ସାଧାରଣ ସମ୍ପାଦକ ଶ୍ରୀ ବେହେରା ଦୃଢ ଦାବି କରିଛନ୍ତି। ଏହି ବୈଠକରେ ଶତାଧିକ କାର୍ଯ୍ୟକର୍ତାଙ୍କ ସହ ବହୁ କର୍ମଚାରୀ ଯୋଗ ଦେଇଥିବା ବେଳେ, ଉପସାଧାରଣ ସମ୍ପାଦକ ଅକ୍ଷୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *