ସୁଧାର ଗୃହରୁ ଯୁବତୀ ଚମ୍ପଟ

କୋରାପୁଟ;ତା୨୬-୧୨-୧୭ (ଓଡିଆପୁଅ/ରଂଜନ କୁମାର ଦାସ) ଜୟପୁରର ଏକ ସୁଧାର ଗୃହରୁ କୋରାପୁଟ ଆରଇଓ କଲୋନୀର ଜଣେ ୧୯ ବର୍ଷିୟା ଯୁବତୀ ଚମ୍ପଟ ମାରିଛନ୍ତି। ଯୁବତୀଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ୨୦୧୭ ସେପ୍ଟେମ୍ବର ମାସ ୨୪ ତାରିଖରେ କୋଲାବ ନଗରର ଶିବ ଖରା, ଆଶା ଖରା ନାମକ ଦମ୍ପତି ଓ ରଂଜିତ ଗରଡାଙ୍କ ସହ ନିଜ ଘରୁ ଲୁଚି ବାହାରି ଯାଇଥିଲେ। କୋରାପୁଟ ସହର ନିକଟସ୍ଥ ସୁନାପୁର ଗ୍ରାମରେ ଏକ ଭଡା ଘରେ ରହୁଥିବା ଜାଣିବା ପରେ ପରିବାର ଲୋକେ ସେଠାରୁ ଝିଅକୁ ଆଣିବା ପାଇଁ ଯାଇଥିଲେ, କିନ୍ତୁ ସେମାନେ ପହଂଚିବା ଆଗରୁ ଯୁବତୀ ଜଣକ ସେଠାରୁ କେଉଁ ଆଡେ ଚାଲି ଯାଇଥିଲେ। ଶେଷରେ ଯୁବତୀଙ୍କ ବାପା କୋରାପୁଟ ଟାଉନ ଥାନାରେ ଏତେଲା ଦେଇଥିଲେ। ଝିଅକୁ ନେଇ ଉପରୋକ୍ତ ତିନିଜଣ କେଉଁଠି ବିକ୍ରି କରିଦେବେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଥିଲେ। କିଛି ଦିନ ପରେ ପୋଲିସ ଯୁବତୀଙ୍କୁ ଠାବ କରି ତାକୁ ଘରକୁ ନେବା ପାଇଁ ବାପାଙ୍କୁ ଖବର ଦେଇଥିଲେ କିନ୍ତୁ ଯୁବତୀ ଜଣକ ଘରକୁ ଫେରିବାକୁ ଅରାଜି ହେବାରୁ ଜୟପୁରରେ ଥିବା ଏକ ସୁଦ୍ଧାରଗୃହକୁ ପଠାଇ ଦିଆ ଯାଇଥିଲା। ତେବେ ଉକ୍ତ ସୁଦ୍ଧାର ଗୃହରୁ ସେ ୨୫ତାରିଖ ଦିନ କେଉଁଆଡେ ଚାଲି ଯାଇଥିବା ଜଣା ପଡିଛି। ଘରକୁ ଫେରିଲେ ପରିବାର ଲୋକ ତାଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା ଦେବେ ତେଣୁ ସେ ଘରକୁ ଫେରିବେ ନାହିଁ ବୋଲି ଏକ କାଗଜରେ ଲେଖି ଯୁବତୀ ଜଣକ ଫେରାର ହୋଇଥିବା ସୁଦ୍ଧାରଗୃହ କର୍ତୂପକ୍ଷ କହିଛନ୍ତି। ଅନ୍ୟ ପକ୍ଷରେ ୨୦ ତାରିଖ ଦିନ ଯୁବତୀଙ୍କ ବାପା, ମାଆ, ଏବଂ ଭାଇ ଜୟପୁର ଯାଇ ତାଙ୍କୁ ଦେଖା କରି ଗାଳି ଗୁଲଜ କରିଥିବାରୁ ସେ ବିରକ୍ତି ପ୍ରକାଶ କରି କେଉଁ ଆଡେ ଚାଲି ଯାଇଥିବା ସନ୍ଦେହ କରା ଯାଉଛି।

Leave a Reply

Your email address will not be published. Required fields are marked *